ବାଲିଅନ୍ତା: ନାରୀମାନଙ୍କ ନିକଟରେ ରହିଛି କ୍ରାନ୍ତିକାରୀ ଚେତନା। ସେମାନଙ୍କ ସଂଗ୍ରାମୀ ମନୋଭାବ ଓ ସାମ୍ୟବାଦୀ ଚିନ୍ତାଧାରା ନୂଆ ଓଡ଼ିଶା ଗଠନ ପାଇଁ ବଡ଼ ମାପକାଠି। ପବିତ୍ର ଅକ୍ଷୟ ତୃତୀୟା ତଥା ଜୟଦେବ ଜୟନ୍ତୀ ଅବସରରେ କେନ୍ଦୁବିଲ୍ଵସ୍ଥିତ ଜୟଦେବ ପୀଠରେ ଆୟୋଜିତ ‘ଦେବୀ ପଦ୍ମାବତୀ ମହିଳା ସମାବେଶ’ରେ ଯୋଗଦେଇ ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଜୟଦେବ ଜୟନ୍ତୀ ପରିପ୍ରେକ୍ଷୀରେ ଆୟୋଜିତ ଏହି ସମାବେଶ ଆଉ ଏକ ଅଭିନବ ପ୍ରୟାସ। ଅକ୍ଷୟ ତୃତୀୟା ଏକ ପବିତ୍ର ଦିନ। ଏହି ଦିନ ଚାଷୀ ଚାଷ ଅନୁକୂଳ କରେ। ଖଳାରେ ରଥ ତିଆରି ଆରମ୍ଭ ହୁଏ। ନୂଆଘର ପ୍ରତିଷ୍ଠା ଭଳି ଅନୁକୂଳ କାର୍ଯ୍ୟ ଆରମ୍ଭ ହୁଏ। ଆଜିର ଦିନ ମଧ୍ୟ ଆଉ ଏକ ସଂକଳ୍ପର ଦିନ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସମବେତ ମହିଳାମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଥିଲେ, ମହିଳାମାନେ ଶିକ୍ଷିତା ହେବା ଦିଗରେ ଯତ୍ନବାନ ହେବା ଦରକାର। ଏହି ମର୍ମରେ ସେ ବାଲିପାଟଣା ବ୍ଲକ୍ ଦେଉଳିଧରପୁର ସରପଞ୍ଚ ଭାବେ ନିର୍ବାଚିତ ତଥା ମଞ୍ଚରେ ଉପସ୍ଥିତ ଥିବା କିଟ୍ ବିଶ୍ୱବିଦ୍ୟାଳୟ ଇଂଜିନିୟରିଂ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ନାୟକଙ୍କ ଉଦାହରଣ ଦେଇଥିଲେ। ଏଥିସହ ଶ୍ରୀ ପଟ୍ଟନାୟକ ନିଜ ପରିବାର ସଦସ୍ୟଙ୍କୁ ନିଶାଠାରୁ ଦୂରେଇ ରଖିବାକୁ ସଂକଳ୍ପ ନେବାକୁ ଉପସ୍ଥିତ ମହିଳାମାନଙ୍କୁ ଆହ୍ଵାନ ଦେଇଥିଲେ। ଜୟଦେବ ନିର୍ବାଚନମଣ୍ଡଳୀସ୍ତରୀୟ ଏହି ସମାବେଶରେ ସ୍ଥାନୀୟ ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ପୌରୋହିତ୍ୟ କରିଥିଲେ। ସଭାକୁ ସଂଯୋଜନା କରିଥିଲେ ୧୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ର। ସେହିପରି ସମାବେଶରେ ଯୋଗଦେଇ ସାଂସଦ ତଥା କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ, ଜୟଦେବ ପୀଠ ପରି ସଂସ୍କୃତିର ପ୍ରାଣକେନ୍ଦ୍ରର ସୁରକ୍ଷା ଓ ବିକାଶ ପ୍ରତି ଯତ୍ନବାନ ହେବା ଜୟନ୍ତୀ ଉତ୍ସବରେ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ। ମନ୍ତ୍ରୀ ଶ୍ରୀ ବେହେରା ଜୟଦେବ ପୀଠର ଗାରିମା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ସାମନ୍ତଙ୍କୁ ଜୟଦେବ ନିର୍ବାଚନମଣ୍ଡଳୀ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ସେହିପରି ଶିଶୁ ସାହିତ୍ୟିକା ତନୟା ଦାଶ ଗୋସ୍ୱାମୀ, କଣ୍ଠଶିଳ୍ପୀ ମିନତି ଭଞ୍ଜ ଓ ‘ନୃତ୍ୟ ପ୍ରତିଭା’ର ସଂପାଦିକା ପ୍ରତିଭା ପଣ୍ଡାଙ୍କୁ ‘ଦେବୀ ପଦ୍ମାବତୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଦବ୍ରହ୍ମ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ‘ଭଜି ଭଜି ତୋ ନାମ ଚକାନୟନ …, ଅନ୍ୟତମ ଶିଳ୍ପୀ ମିନତି ଭଞ୍ଜ ଗୀତ ଗୋବିନ୍ଦରୁ ‘ଚନ୍ଦନ ଚର୍ଚ୍ଚିତ ନୀଳ କଳେବର…’ ପରିବେଷଣ କରଥିଲେ। ସନ୍ଧ୍ୟା ଅଧିବେଶନରେ ସଂସ୍କୃତି ବିଭାଗ ପକ୍ଷରୁ ଅନ୍ୟ ଦୁଇଟି ଗ୍ରୁପ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ସକାଳେ ଅନନ୍ତ ବାସୁଦେବ ମନ୍ଦିରରୁ ବାହାରିଥିବା ସଂକୀର୍ତ୍ତନମଣ୍ଡଳୀ ପଟୁଆର ପୂର୍ବାହ୍ନରେ ମଦନମୋହନ ମନ୍ଦିର, ଶିଶୁମଠ ଦେଇ ଜୟଦେବ ପୀଠ ପରିସରରେ ପହଞ୍ଚି ସଂକୀର୍ତ୍ତନ ପରିବେଷଣ କରିଥିଲେ। ଏଠାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁମିତ୍ରା ରାଉତରାୟ, ବିଭିନ୍ନ ପଞ୍ଚାୟତର ନର୍ବାଚିତ ସରପଞ୍ଚ, ସମିତିସଭ୍ୟ, ଉପଜିଲ୍ଲାପାଳ, ତହସିଲଦାର ଅକ୍ଷୟ ରାଉତ, ବ୍ଲକ କର୍ମକର୍ତା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ଜୟଦେବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବ୍ଲକ କୃଷି ବିଭାଗ ପକ୍ଷରୁ ସ୍ଥାନୀୟ କଞ୍ଚିଲୋରେ ଅକ୍ଷିମୁଠି ଅନୁକୂଳ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବାଳକାଟି ସହକାରୀ କୃଷି ଅଧିକାରୀ ନକ୍ଷତ୍ରମୋହନ ରାଉଳ, ଭିଙ୍ଗାରପୁର ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳ, ସିଫାର ବୈଜ୍ଞାନିକ ଡ. ଅଜୟ କୁମାର ଦାଶ ଓ ସୁରେନ୍ଦ୍ର ନାଥ ସିଂହଙ୍କ ସହିତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ପ୍ରମୁଖ ସାମିଲ ଥିଲେ।