ମାୟା ଲଗାଇବେ ମହାମାୟା

ଭୁବନେଶ୍ୱର : ଶରତର ମୃଦୁ ମଳୟ ବ୍ୟସ୍ତ ସହରରେ ରଙ୍ଗ ମାଖିଛି। ନୂଆବୋହୂ ଭଳି ସଜେଇ ହୋଇ ପାଦ ଥାପିଛି ପାର୍ବଣ। ଚାରିଆଡ଼େ ଖାଲି ଉତ୍ସବ ଆଉ ଉତ୍ସବର ବାସ୍ନା। ଅଗ୍ରପୂଜ୍ୟଙ୍କୁ ଆବାହନ ପରେ ପଛକୁ ପଛ ଲମ୍ବିଛି ପାର୍ବଣର ଲମ୍ବା ତାଲିକା। ତେବେ ପ୍ରତୀକ୍ଷିତ ଶାରଦୀୟ ଉତ୍ସବ ଉପରେ ରହିଛି ସମସ୍ତଙ୍କ ନଜର। ଏନେଇ ଚଳଚଞ୍ଚଳ ହେଲାଣି ପୂଜା ମଣ୍ଡପ। ସୁଦୃଶ୍ୟ ତୋରଣରେ କିଏ କେତେ ଚମକ ଭରିବ ସେନେଇ ଆରମ୍ଭ ହୋଇଛି ପ୍ରତିଯୋଗିତା। କୋଲକାତାରୁ ଆସି ଡେରା ପକାଇଛନ୍ତି କାରିଗର। ତୋରଣଠୁ ନେଇ ମୂର୍ତି କାରିଗର ଯାଏଁ ନିଜ କାରିଗରୀରେ ଚମକ ଭରିବାକୁ ଦିନ ରାତି ଏକ କରି ଦେଇଛନ୍ତି।

ସଜେଇ ହେଉଛି ୧୭୦ରୁ ଊର୍ଧ୍ୱ ପୂଜା ମଣ୍ଡପ
ଚଳିତ ବର୍ଷ ରାଜଧାନୀରେ ୧୭୦ରୁ ଊର୍ଧ୍ୱ ପୂଜା ମଣ୍ଡପରେ ମା’ ପୂଜା ପାଇବେ। କାଁ ଭାଁ ପୂଜା ମଣ୍ଡପକୁ ଛାଡ଼ି ଦେଲେ ରାଜଧାନୀର ଅଧିକାଂଶ ପୂଜା ମଣ୍ଡପରେ ଆଡ଼ମ୍ବର ସହକାରେ ପୂଜାର୍ଚନା କରାଯିବ। ସୁଦୃଶ୍ୟ ତୋରଣ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବନ୍ଦୋବସ୍ତ କରାଯାଇଛି। ପୂଜା ସାଙ୍ଗକୁ ଭସାଣି ଶୋଭାଯାତ୍ରାରେ ପାରମ୍ପରିକ ଲୋକକଳାକୁ ଗୁରୁତ୍ୱ ଦିଆଯାଇ ବଇନା ଦିଆସରିଛି। କିଛି ପୂଜା କମିଟି ପକ୍ଷରୁ ରାବଣ ପୋଡ଼ି ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି।

ମୂର୍ତି ପାଇଁ ଜୈବିକ ରଙ୍ଗ, ମୂର୍ତି ନିର୍ମାଣ ବେଳେ ସାତ୍ତ୍ୱିକ ଭୋଜନ
ମୂର୍ତିରେ ମଖା ଯାଉଥିବା ରଙ୍ଗ ଜୈବିକ ପଦ୍ଧତିରେ ପ୍ରସ୍ତୁତ କରାଯାଉଛି। ରଙ୍ଗ ପାଉଡରରେ କଇଁଆ ମଞ୍ଜି ଗୁଣ୍ଡରେ ପ୍ରସ୍ତୁତ ଅଠାକୁ ମିଶାଇ ମୂର୍ତିରେ ଲଗାଯାଏ। ରାଗ ଓ ଶାନ୍ତ ମୁଦ୍ରାରେ ପ୍ରଭୁଙ୍କୁ ନିର୍ମିତ କରାଯାଏ। ଯିଏ ଯେଉଁ ମୁଦ୍ରାରେ ପ୍ରଭୁଙ୍କୁ ଉପସ୍ଥାପନ କରିବାକୁ କୁହେ, ସେପରି ପ୍ରସ୍ତୁତ କରାଯାଏ। ବଡ଼ ମଣ୍ଡପରେ ମୂର୍ତି ପିଛା ୩୦ ହଜାର ଟଙ୍କା ନେଉଥିବା ବେଳେ ଛୋଟ ମୂର୍ତି ପିଛା ୧୫ରୁ ୨୦ ହଜାର ଟଙ୍କା ରଖିବାକୁ ପଡ଼େ ବୋଲି ମୂର୍ତି କାରିଗର ତାପସ ଦେ କହିଛନ୍ତି। ମୂର୍ତି ନିର୍ମାଣରେ ଯେମିତି ଟିକେ ବି ଖୁଣ ନରହିବ ସେଥିପାଇଁ କାରିଗରମାନେ ମୂର୍ତି ନିର୍ମାଣ ମଧ୍ୟରେ ସାତ୍ତ୍ୱିକ ଭୋଜନ ଖାଆନ୍ତି। ଅଧିକାଂଶ ପୂଜା ମଣ୍ଡପରେ ଏହି ବିଧି କାରିଗରମାନେ ପାଳନ କରନ୍ତି।

ବାରିପଦା, ଚାକୁଳିଆରୁ ଆସିଛି ବାଉଁଶ
ସହରରେ ବେଶ୍‌ କିଛିବର୍ଷ ହେଲା ବିଶାଳ ତୋରଣକୁ ନେଇ ପ୍ରତିଯୋଗିତା ଚାଲିଛି। ପ୍ରତିବର୍ଷ ନୂଆନୂଆ ପୂଜା କମିଟି ବି ଏହି ପ୍ରତିଯୋଗିତାରେ ଯୋଡ଼ି ହେଉଛନ୍ତି। ବିଶାଳକାୟ ତୋରଣ ପାଇଁ ଅନ୍ୟୁନ ୨୫୦୦ ବାଉଁଶ ଲାଗୁଥିବା ବେଳେ ଛୋଟ ଧରଣର ପୂଜା ପାଇଁ ୫୦୦ ବାଉଁଶର ଆବଶ୍ୟକତା ପଡ଼ୁଛି। ଠିକ୍‌ ଏଇ ସମୟରେ ଏତେ ବାଉଁଶ ଲୋଡ଼ା ପଡ଼ୁଛି ଯେ, ବାରିପଦାରୁ ଆସୁଥିବା ବାଉଁଶ ଭୁବନେଶ୍ୱରର ଚାହିଦା ପୂରଣ କରିପାରୁନାହିଁ। ତେଣୁ କୋଲକାତାର ଚାକୁଳିଆରୁ ପ୍ରତିବର୍ଷ ନୂଆ ବାଉଁଶ ଅଣାଯାଉଥିବା ବେଳେ ଏ ବର୍ଷ ମଧ୍ୟ ଚାକୁଳିଆ ବାଉଁଶ ବଜାର ଉପରେ ନିର୍ଭର କରିବାକୁ ପଡ଼ିଛି ବୋଲି କୋଲକାତାର କାରିଗର ନିମାଇଁ ଜାନା କହିଛନ୍ତି। ବାଉଁଶର ଚାହିଦା ଏଇ ସମୟରେ ଅତ୍ୟଧିକ ରହୁଥିବାରୁ ମୂଲ୍ୟ ବାଉଁଶ ପିଛା ୧୮୦ ଟଙ୍କା ରହିଛି ବୋଲି ଶ୍ରୀ ଜାନା କହିଛନ୍ତି।

ଡେରା ପକାଇଛନ୍ତି କୋଲକାତା କାରିଗର
ଉନ୍ନତ ସାଜସଜା କଥା ଉଠିଲେ, କୋଲକାତା କାରିଗର ଲୋଡ଼ା ପଡ଼ନ୍ତି। ଓଡ଼ିଆ କାରିଗର ଯେ କାରିଗରୀରେ ଚମକ ଭରୁନାହାନ୍ତି ସେକଥା ନୁହେଁ, କିନ୍ତୁ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ କୋଲକାତା କାରିଗରଙ୍କ ଚାହିଦା ରହିଛି। ଓଡ଼ିଆ କାରିଗର ତାଙ୍କ ସ୍ଥାନ ନେଇପାରିନାହାନ୍ତି। ସହରର ପ୍ରତ୍ୟେକ ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ୫୦ରୁ ଊର୍ଧ୍ୱ ତୋରଣ ଓ ମୂର୍ତି କାରିଗର କାମ କରୁଥିବା ବେଳେ ରାଜଧାନୀ ଓ ଏହାର ଆଖପାଖରେ ଶତାଧିକ ପୂଜା ମଣ୍ଡପରେ କୋଲକାତା କାରିଗରଙ୍କୁ ନିୟୋଜିତ କରାଯାଇଛି।

ଗଙ୍ଗା ନଦୀରୁ ପଟୁ ମାଟି, କୋଲକାତାରୁ ଅଳଙ୍କାର ସାଜ
ମା’ଙ୍କ ମୃଣ୍ମୟ ମୂର୍ତି ପାଇଁ ନିକଟସ୍ଥ ନଦୀ ପଠାରୁ ପୂଜାର୍ଚନା ପୂର୍ବକ ମାଟି ଅଣାଯାଏ। ମାଟିକୁ ବିଭିନ୍ନ ମନ୍ଦିର ପରିକ୍ରମା କରାଇ ଆଣିବା ପରେ ସେଥିରେ ମୃଣ୍ମୟ ମୂର୍ତି ଗଢ଼ାଯାଏ। ତେବେ ମୂର୍ତି ଚିକ୍କଣ ଓ ସୁନ୍ଦର ଫିନିସିଙ୍ଗ୍‌ ପାଇଁ ଗଙ୍ଗାନଦୀର ମାଟି ନେଇ ଆସନ୍ତି କୋଲକାତାର କାରିଗର। କାରିଗର ତାପସ ଦେ’ଙ୍କ କହିବା ମୁତାବକ, ଗଙ୍ଗାନଦୀ କୂଳରେ ୧୫ ମିନିଟ୍‌ରେ ଥରେ ପାଣି ମାଡ଼ିଆସେ, ପୁଣି ଚାଲିଯାଏ। ସେହି ପାଣି ଛାଡ଼ିବା ସମୟରେ ଯେଉଁ ମାଟି ରହିଯାଏ ତାହାକୁ ସଂଗ୍ରହ କରାଯାଏ। ମାଟି ବସ୍ତା ପିଛା ୨୦୦ ଟଙ୍କାରେ କିଣି ତାକୁ ସ୍ୱତନ୍ତ୍ର ଗାଡ଼ିରେ ଭୁବନେଶ୍ୱର ଆଣିବାକୁ ପଡ଼େ ବୋଲି ଶ୍ରୀ ଦେ କହିଛନ୍ତି। ମାଟି ବ୍ୟତୀତ, ଅଳଙ୍କାର ସାଜ ମଧ୍ୟ କୋଲକାତାରୁ ଆଣୁ ବୋଲି ସେ କହିଛନ୍ତି।

ନିର୍ମାଣ ପାଇଁ ୪୫ଦିନ
କିଛି ପୂଜା ମଣ୍ଡପ ଜନ୍ମାଷ୍ଟମୀରେ ମା’ଙ୍କ ପାଇଁ ମାଟି ଆଣିବା ପରେ ତୋରଣର ଶୁଭ ଦେଇ କାମ ଆରମ୍ଭ କରିଦେଇଛନ୍ତି। ବିଶେଷକରି ଥିମ୍‌କୁ ନେଇ ତୋରଣ ନିର୍ମାଣ କରୁଥିବା ପୂଜା କମିଟିର କାମ ବ୍ୟାପକ ଥିବାରୁ ଏଥିପାଇଁ ୪୫ ଦିନ ସମୟ ଲାଗିଯାଏ ବୋଲି କହିଛନ୍ତି କୋଲକାତାରୁ ନୟାପଲ୍ଲୀ ଦୁର୍ଗାପୂଜା ତୋରଣ କରିବା ପାଇଁ ଆସିଥିବା ମୁଖ୍ୟ କାରିଗର ଉଜ୍ଜଲ ଦାସ। ନିଖୁଣ କାରିଗରୀ କାମ ରହୁଥିବାରୁ ଏଥିପାଇଁ ଦୀର୍ଘ ସମୟ ଲାଗିଯାଏ। ବିଶେଷତଃ ତୋରଣ ସମ୍ମୁଖରେ ଖଞ୍ଜା ଯାଉଥିବା ମୂର୍ତି ଫାଇବର, କାଚ, ଥର୍ମକୁଲ୍‌ରେ ନିର୍ମିତ ହେଉଥିବାରୁ ଏଥିପାଇଁ ସ୍ୱତନ୍ତ୍ର କାରିଗର ଖଞ୍ଜା ଯାଆନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

ବିପଦରେ କାରିଗରଙ୍କ ଭାଗ୍ୟ : କଞ୍ଚା ବାଉଁଶ ନେଇପାରେ ଜୀବନ!

ଭୁବନେଶ୍ୱର : ଦୁର୍ଗାପୂଜାରେ ଆଖିଖୋସା ତୋରଣ ନିର୍ମାଣକୁ ନେଇ ପ୍ରତିଯୋଗିତା ଚାଲିଛି। ବଡ଼ବଡ଼ ପୂଜା ମଣ୍ଡପରେ ସୁଉଚ୍ଚ ଓ ଦୀର୍ଘକାୟ ତୋରଣ ପ୍ରସ୍ତୁତ କରାଯାଉଛି। ତେବେ ଅଧିକାଂଶ ପୂଜା ମଣ୍ଡପର କଡ଼ରେ ଯାଇଥିବା ଇଲେଭେନ୍‌ କେଭି ତାର କାରିଗରମାନଙ୍କ ପାଇଁ ପାଦେପାଦେ ବିପଦ ଖଞ୍ଜି ଦେଇଛି। ସବୁଠୁ ବଡ଼ କଥା ହେଉଛି ତୋରଣ ପାଇଁ ଯେଉଁ କଞ୍ଚା ବାଉଁଶ ଅଣାଯାଇଛି ତାହା ହିଁ ଏହି କାରିଗରଙ୍କ ଜୀବନ ନେଇଯିବାର ବେଶି ଆଶଙ୍କା ରଖୁଛି। ଏନେଇ ବିଦ୍ୟୁତ କାର୍ଯ୍ୟାଳୟରେ ସୂଚନା ଦିଆଯାଇ ପୂଜାସ୍ଥଳ ନିକଟରେ ଯାଇଥିବା ତାର ଉପରେ କଭର ଦେବା ପାଇଁ ପୂଜା କମିଟି ପକ୍ଷରୁ କୁହାଯାଇଛି। ମାତ୍ର ୧୫ ଦିନ ତଳୁ କାମ ଆରମ୍ଭ ହୋଇଯାଇଥିଲେ ହେଁ ଏପର୍ଯ୍ୟନ୍ତ ତାର ଉପରେ କଭର ଦିଆଯାଇନାହିଁ।

ଯେବେ ଏନେଇ କୋଲକାତାର କାରିଗର ନିମାଇଁ ଜାନାଙ୍କୁ ପଚାରିଥିଲୁ, ସେ କହିଥିଲେ, ଏଇ ବୃତ୍ତି ମୋ ପରିବାରର ପେଟ ପୋଷୁଛି। ତେଣୁ ଯେତେ ରିସ୍କ୍‌ ଥିଲେ ହେଁ, କାମ କରିବାକୁ ପଡ଼ୁଛି। ମାତ୍ର କଞ୍ଚା ବାଉଁଶ ଉଠାପକା କରୁଥିବାରୁ କେତେବେଳେ କେମିତି ବିଦ୍ୟୁତ ତାରରେ ଲାଗିଯିବାର ସମ୍ଭାବନା ରହୁଛି। ତେଣୁ ସତର୍କତାର ସହ କାମ କରିବାକୁ ପଡ଼ୁଛି।

ଏତେ ରିସ୍କ୍‌ ନେଇ କାମ କରୁଥିବା ସତ୍ତ୍ୱେ ମାତ୍ର ହାତଗଣତି କିଛି କାରିଗରଙ୍କର ବୀମା ଅଛି। କୋଲକାତାରୁ ଆସିଥିବା ଅଧିକାଂଶ କାରିଗରଙ୍କର ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୧୨ଘଣ୍ଟା ପାଇଁ ମଜୁରି ୧ହଜାର ଟଙ୍କାରୁ ୧୫୦୦ ଟଙ୍କା ରହିଛି। ତେବେ କାମ ଶୀଘ୍ର ସାରିବା ପାଇଁ ଠିକାଦାରଙ୍କ ତାଗିଦ୍‌ ଏବଂ ଅଧିକ ରୋଜଗାର ଆଶାରେ କିଛି କାରିଗର ରାତି ଅଧ ଯାଏଁ ଖଟୁଛନ୍ତି। କ୍ଳାନ୍ତ ହେଲେ ବି ଅଧିକ ରୋଜଗାର ଆଶାରେ ସେମାନେ ଖଟୁଛନ୍ତି। ତେବେ କ୍ଳାନ୍ତ ଓ ତରବର ସ୍ୱଭାବ ଯୋଗୁଁ କେତେବେଳେ କାମରେ ବାଉଁଶ ବଢ଼େଇବା ବେଳେ ଟିକେ ଏପଟ ସେପଟ ହେଲେ ଜୀବନ ଚାଲିଯିବାର ଢେର୍‌ ସମ୍ଭାବନା ରହିଛି। ସହିଦନଗର, ନୟାପଲ୍ଲୀ, ବମିଖାଲଠୁ ଆରମ୍ଭ କରି ଅନେକ ପୂଜା ମଣ୍ଡପ ନିକଟରେ ଏଭଳି ବିପଦ ଥିବାରୁ ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ ତୋରଣ ନିର୍ମାଣ ସ୍ଥଳ ନିକଟରେ ଯାଇଥିବା ତାର ଉପରେ ତୁରନ୍ତ କଭର ଦେବା ପାଇଁ କାରିଗର ନିମାଇଁ ଜାନା କହିଛନ୍ତି।

ସମ୍ବନ୍ଧିତ ଖବର