ମହାକାଶରେ ଚାଲିବା ଏକ ଅଦ୍ଭୁତ ଅନୁଭୂତି-ଡେଭିଡ ଫିଶର

୧୪ତମ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତତାମାଳା

ଭୁବନେଶ୍ୱର: ମହାକାଶରୁ ସୀମାହୀନ ବିଶ୍ୱକୁ ଦେଖିଲେ ମନୁଷ୍ୟ ଯେ କେତେ ନଗଣ୍ୟ ଓ କ୍ଷୁଦ୍ରାତିକ୍ଷୁଦ୍ର ତାହା ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ। ଏହି ଅନୁଭୂତି ଆମ ଭିତରେ ନମ୍ରତା ଓ ଆଧ୍ୟାତ୍ମିକତା ଭାଗ ଜାଗ୍ରତ କରିଥାଏ ବୋଲି କହିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ମହାକାଶଚାରୀ ଜ୍ୟାକ୍‌ ଡେଭିଡ ଫିଶର। ଆଜି ସଚିବାଳୟଠାରେ ୧୪ତମ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତତାମାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥିଭାବେ ଯୋଗଦେଇ ଶ୍ରୀ ଫିଶର କହିଲେ, ମାନବ ସମାଜ ସୃଷ୍ଟି କରିଥିବା ହଜାର ହଜାର ମହାକାଶ ବିଜ୍ଞାନୀଙ୍କ ସାଧନା ଯୋଗୁଁ ଆଜି ଆମେ ମହାକାଶର ଅନନ୍ତ ବକ୍ଷକୁ ଅନୁସନ୍ଧାନ କରିବାରେ ସୁଯୋଗ ପାଇଛୁ। ସେହି ବୈଜ୍ଞାନିକମାନଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହୁଏ। ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ, ମହାକାଶରେ ଚାଲିବା ଏକ ଅଦ୍ଭୁତ ଓ ସମ୍ମୋହକ ଅନୁଭୂତି। ଆମେ ମହାଶୂନ୍ୟରେ ଉପରକୁ ଉଠିଲା ବେକଳୁ ପୃଥିବୀ ଉପରେ ଏକ ଧୂଅାଁଳିଆ ଆସ୍ତରଣ ଦେଖା ଯାଇଥାଏ। ପରେ ପରେ ଏକ ନୀଳ ଆବରଖ ଦେଖିବାକୁ ମିଳିଥାଏ। ଯାହାକି ଏଠାରେ ଜୀବନ ଅଛି ବୋଲି ସୂଚାଏ। ଆଲିଏନ୍‌ଙ୍କ ଉପସ୍ଥିତି ସଂପର୍କରେ ଆଉ ଜଣେ ଛାତ୍ରଙ୍କ ଉତ୍ତରରେ ଫିଶର କହିଥିଲେ, ଏ ଅନନ୍ତ ବିଶ୍ୱରେ ଆଉ କେଉଁଠାରେ ଯେ ଜୀବଜଗତ ନାହିଁ ତାହା ମୁଁ କହିପାରିବି ନାହିଁ। ହୁଏତ ଅନ୍ୟ କୌଣସି ସୌର ମଣ୍ଡଳରେ ଜୀବଜଗତ ଥାଇପାରେ। ଓଡ଼ିଶାରେ ମହାକାଶ ଅଧ୍ୟୟନ ଓ ଗବେଷଣା ବିଷୟରେ ଅନେକ ଉତ୍ସାହଜନକ ଆଗ୍ରହ ଦେଖିବାକୁ ପାଇଛି। ଏହା ଆଗାମୀ ଦିନରେ ଫଳପ୍ରଦ ହେବ ବୋଲି ସେ କହିଥିଲେ।

ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଡେଭିଡ ଫିଶରଙ୍କୁ ସରକାରଙ୍କ ପକ୍ଷରୁ ଜ୍ଞାନପୁଞ୍ଜ ବକ୍ତତାମାଳାର ସ୍ମାରକୀ ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ୍‌, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିସନର ତଥା ଶାସନ ସଚିବ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏହାସହ ଓୟୁଏଟି, ଆଇଆଇଟି, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଆଇଏମ୍‌ଏମ୍‌ଟି ଭଳି ଜାତୀୟସ୍ତରୀୟ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଆଲୋଚନାରେ ଭାଗ ନେଇଥିଲେ। ବକ୍ତତାମାଳାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର କକ୍ଷ ଓ ବିଭିନ୍ନ ଜିଲ୍ଲା ସଦର ମହକୁମା ସହିତ ସଂଯୋଗ କରାଯାଇଥିଲା। ବିଭିନ୍ନ ଜିଲ୍ଲାରୁ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ କର୍ମକର୍ତା, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର