ଭୁବନେଶ୍ବର: ସମବାୟ ମାଧ୍ୟମରେ ଓଡ଼ିଶାର ସାମଗ୍ରିକ ବିକାଶ ସମ୍ଭବ ହୋଇ ପାରିବ। ସମବାୟ ଆନ୍ଦୋଳନର ସଫଳତାକୁ କୃଷକ, ଖଟିଖିଆ, ଶ୍ରମିକ ତଥା ସମିତିର ସଭ୍ୟମାନଙ୍କ ନିକଟରେ ପହଞ୍ଚାଇବାରେ ନିରୀକ୍ଷକ ଓ ସମୀକ୍ଷକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ସେମାନେ ସ୍ବଚ୍ଛତା ଓ ନିଷ୍ଠା ବଜାୟ ରଖିବା ଆବଶ୍ୟକ ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଆଜି ଇନଷ୍ଟିଚ୍ୟୁଟ ଅଫ୍ ଇଂଜିନିୟର୍ସ ପରିସରରେ ସମବାୟ ସାମଗ୍ରିକ ବିକାଶ ଶୀର୍ଷକ କର୍ମଶାଳା ଓ ନୂତନ ଭାବେ ନିଯୁକ୍ତି ପାଇଥିବା ସମବାୟ ସମୀକ୍ଷକ ଓ ନିରୀକ୍ଷକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ଏହା କହିଛନ୍ତି। ଶ୍ରୀ ପାତ୍ର ଆହୁରି କହିଛନ୍ତି, କୃଷକମାନଙ୍କ ଆୟ ବୃଦ୍ଧି, ଜୀବିକା ନିର୍ବାହ ପାଇଁ ସମବାୟ ବିଭାଗ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ସଫଳତାର ସହିତ କାର୍ଯ୍ୟକାରୀ କରୁଛି। ସମସ୍ତ ହିତାଧିକାରୀ ଚାଷୀମାନେ କାଳିଆ ଯୋଜନାରୁ ଯେପରି ବଞ୍ଚିତ ନ ହେବେ ସେଥିପ୍ରତି ସରକାର ଦୃଷ୍ଟି ରଖିଛନ୍ତି। ଅନ୍ୟତମ ଅତିଥି ଭାବେ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରୟଦର୍ଶୀ ମିଶ୍ର କହିଥିଲେ, ରାଜ୍ୟରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବାରେ ସମବାୟର ଅବଦାନ ଅନସ୍ବୀକାର୍ଯ୍ୟ। ସମବାୟର ଉଚିତ ବ୍ୟବହାର ଦ୍ବାରା କୃଷି ସହିତ ରାଜ୍ୟର ବିକାଶ ସାଧିତ ହୋଇ ପାରିବ। ଓଡ଼ିଶା ରାଜ୍ୟ ସମବାୟ ୟୁନିଅନର ସଭାପତି ହେମନ୍ତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ସମବାୟ ୟୁନିଅନର ଉପସଭାପତି ସନ୍ଧ୍ୟାରାଣୀ ଲାକ୍ରା, ସମବାୟ ସମିତି ସମୂହର ନିବନ୍ଧକ ତ୍ରିବିକ୍ରମ ପ୍ରଧାନ, ସମବାୟ ସମିତି ମହାସମୀକ୍ଷକ ଭରତ ଚନ୍ଦ୍ର ବେହେରା, ଏ ସୋରେନ, ବିଜୟ ମିଶ୍ର, ବ୍ରହ୍ମାନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ୧୧୦ ଜଣ ନିରୀକ୍ଷକ ଓ ୫୨ ଜଣ ସମୀକ୍ଷକଙ୍କୁ ରାଜ୍ୟ ସରକାର ଏହି ଅବସରରେ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।
ସମବାୟର ସାମଗ୍ରିକ ବିକାଶ ଶୀର୍ଷକ କର୍ମଶାଳା: ନିରୀକ୍ଷକ ଓ ସମୀକ୍ଷକମାନେ ସ୍ବଚ୍ଛତା ବଜାୟ ରଖିବା ଆବଶ୍ୟକ
/sambad/media/post_attachments/wp-content/uploads/2019/03/Untitled-30.jpg)