ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ମନ୍ଦିର ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଉନ୍ନତୀକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ରାଜଧାନୀର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ୫-ଟି ସଚିବ ଭି କେ ପାଣ୍ଡିଆନ୍ଙ୍କ ଗସ୍ତ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ୍ ସିଂ, ବିଏମ୍ସି କମିସନର ବିଜୟ ଅମୃତ କୁଲାଙ୍ଗେ ଆଜି ସକାଳୁ ଶିଖରଚଣ୍ଡୀ ପାହାଡ଼ ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେମାନେ ବିଡିଏ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନକ୍ସା ଦେଖିବା ସହ ପାହାଡ଼ ଉପରକୁ ଯାଇ କେଉଁଠି କେଉଁ ପ୍ରକଳ୍ପ ହେବ ତାହାର ଅନୁଧ୍ୟାନ କରିଥିଲେ।
ପାଖାପାଖି ଗୋଟିଏ ଘଣ୍ଟା ଧରି ସେମାନେ ସ୍ଥିତି ଅନୁଧ୍ୟାନ କରିବା ସମୟରେ ସ୍ଥାନୀୟ କର୍ପୋରେଟର ମିହିର କୁମାର ରାଉତ, ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ମଧ୍ୟାହ୍ନରେ ବିଡିଏ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଯେଉଁଥିରେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଡିଏର ଉଚ୍ଚପଦସ୍ଥ ଅଧିକାରୀ, ବିଏମ୍ସି କମିସନର ଶ୍ରୀ କୁଲାଙ୍ଗେ, ମନ୍ଦିର ପରିଚାଳନା କମିଟିର ସଦସ୍ୟ, ସ୍ଥାନୀୟ କର୍ପୋରେଟର ଶ୍ରୀ ରାଉତ ଉପସ୍ଥିତ ରହି ମତାମତ ଦେଇଥିଲେ। ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ଲାଗି ଖୁବ୍ଶୀଘ୍ର ଟେଣ୍ଡର ଡକାଯିବ ବୋଲି ବୈଠକରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/61-2.jpg)