ଭୁବନେଶ୍ବର: ଏକାମ୍ର ସଂରକ୍ଷଣ ଯୋଜନାକୁ ନ୍ୟାସନାଲ୍‌ ମନୁମେଣ୍ଟସ୍‌ ଅଥରିଟି(ଏନଏମଏ) ଏନ୍‌ଓସି ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ପୁରୀରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରକୁ ନିଷିଦ୍ଧାଞ୍ଚଳ ବାହାରେ କରିବାକୁ ଏନଏମଏର ନିଷ୍ପତ୍ତିକୁ ସେ ସ୍ବାଗତ କରିବା ସହ ଏଠାରେ ମଧ୍ୟ ସରକାର ନିୟମ ଅନୁସାରେ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଆମ୍‌ସାର୍‌ ଆକ୍ଟ ନବୁଝି-ଏଏସଆଇର ବିନା ପରାମର୍ଶରେ କୋଟି କୋଟି ଟଙ୍କା ନଷ୍ଟ କରି ନିର୍ମାଣ କରୁଥିଲେ। ଏବେ ନିୟମ ବୁଝିବା ପରେ ଜନସାଧାରଣଙ୍କ ଅର୍ଥ ବରବାଦ ନ କରି ଉପଯୁକ୍ତ କାମରେ ଲଗାନ୍ତୁ ବୋଲି କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଥିବା କୋଟିତୀର୍ଥେଶ୍ୱର ଲେନ୍‌, ତିନିମୁଣ୍ଡିଆ ଛକଠାରୁ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ରଥ ରୋଡ୍‌ ଓ ବିନ୍ଦୁ ସାଗରକୁ ସଂଯୋଗ କରୁଥିବା ପାଦ ଚଲା ରାସ୍ତା ପ୍ରଶସ୍ତ ହେବାକୁ ଯାଉଛି। ଲିଙ୍ଗରାଜ ବହୁବିଧ କେନ୍ଦ୍ର, କେଦାରଗୌରୀ ପାର୍କିଂ, ସ୍ୱତନ୍ତ୍ର ସଂରକ୍ଷିତ ପାର୍କିଂ, କେଦାରଗୌରୀ ପ୍ଲାଜା, ଅନନ୍ତ ବାସୁଦେବ ପ୍ଲାଜା, ଲିଙ୍ଗରାଜ ହାଟ ଓ ଭଜନ ମଣ୍ଡପ ଡିପିଆରକୁ ମଧ୍ୟ ଏନଓସି ମିଳିଛି। ଏସବୁ ନିର୍ମାଣ ସମୟରେ ପୁରାତନ କିର୍ତ୍ତୀରାଜି ଯେଭଳି ନଷ୍ଟ ନହୁଏ ସେଥିପାଇଁ ନଜର ରଖିବାକୁ କୁହାଯାଇଛି।