ଭାବବିନୋଦିଆଙ୍କ ଦିବ୍ୟାଙ୍ଗ ଭକ୍ତ: ଘୋଷଯାତ୍ରାରେ ଗଡ଼ିବ ତାଙ୍କ ନନ୍ଦିଘୋଷ

ଭୁବନେଶ୍ବର: ନବମ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ସୁବ୍ରତ ସାହୁ। ଉଭୟ ବାକ୍‌ ଓ ଶ୍ରବଣ ଶକ୍ତିବାଧିତ। ମାତ୍ର ସେ ବୁଝିଛି ଭାବବିନୋଦିଆ ଠାକୁରଙ୍କ କଥା। ବଡ଼ଠାକୁର ଜଗନ୍ନାଥ ‘ଭାବକୁ ନିକଟ’ ବୋଲି ସେ ଭଲ ଭାବେ ବୁଝିଛି। ସେ ଜାଣିଛି ଦିନେ ସାଲବେଗଙ୍କ ଭକ୍ତିଭାବରେ ବନ୍ଧା ପଡ଼ି ପ୍ରଭୁ କଳାଠାକୁର ତାଙ୍କ ନନ୍ଦିଘୋଷକୁ ବଡ଼ଦାଣ୍ଡରେ ଅଟକାଇଥିଲେ। ଭକ୍ତ ଦାସିଆ ବାଉରୀଙ୍କ ହାତରୁ ବଡ଼ଠାକୁର ନଡ଼ିଆ ନେଇଥିଲେ। ତେଣୁ ତା’ ହାତଗଢ଼ା ନନ୍ଦିଘୋଷକୁ ବି ସେଇ ଭାବବିନୋଦିଆ ଠାକୁର ନିଶ୍ଚୟ ଆସିବେ। ଏଇ ଭାବରେ ସେ ଲାଗିପଡ଼ିଛି ରଥ ଓ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣରେ। ପବିତ୍ର ଘୋଷଯାତ୍ରା ଦିନ ଗଡ଼ିବ ତା’ ନନ୍ଦିଘୋଷ। ଜଣେ ଦିବ୍ୟାଙ୍ଗ ଛାତ୍ରର ଏଭଳି ଭାବ ଏବେ ବମିଖାଲ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ବମିଖାଲ ଗୋବିନ୍ଦ ପ୍ରସାଦ ଅଞ୍ଚଳରେ ରହୁଛନ୍ତି ସୁବ୍ରତ। ବୟସ ମାତ୍ର ୧୫ବର୍ଷ। ବମିଖାଲ ଦେବରାଜ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ଜନ୍ମରୁ ବାକ୍‌ ଶକ୍ତି ଓ ଶ୍ରବଣ ଶକ୍ତି ହରାଇଛନ୍ତି। କିନ୍ତୁ ଜଗନ୍ନାଥଙ୍କ ପ୍ରତି ତାଙ୍କ ଭକ୍ତି ଜଣାପଡ଼ିଛି ପିଲାଦିନରୁ। କାଗଜ କଲମ ଧରି ଶିଖିବା‌ ଦିନରୁ ସେ ଜଗନ୍ନାଥଙ୍କ ଚିତ୍ର ସୁନ୍ଦର ଭାବେ ଆଙ୍କୁଛନ୍ତି। ବଡ଼ କଥା ହେଉଛି, ମହାପ୍ରଭୁଙ୍କ ଚିତ୍ର ଆଙ୍କି ସାରିବା ସେ ସେହି ଚିତ୍ରକୁ ଘଣ୍ଟା ଘଣ୍ଟା ଧରି ଚାହିଁ ରହନ୍ତି। ସତେ ଯେମିତି ସେ ବଡ଼ଠାକୁରଙ୍କ ସହ କିଛି କଥା ହେଉଛନ୍ତି। ତାଙ୍କର ଏଭଳି ଗୁଣ ବହୁ ସମୟରେ ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥାଏ ବୋଲି ମା’ ସସ୍ମିତା ଓ ବାପା ଶ୍ୟାମସୁନ୍ଦର ସାହୁ କହିଛନ୍ତି। ଏବେ ସୁବ୍ରତ ଗଢ଼ୁଛନ୍ତି ନନ୍ଦିଘୋଷ। ମାଟିରେ ଗଢ଼ିସାରିଛନ୍ତି ଶ୍ରୀଜିଉଙ୍କ ମୂର୍ତ୍ତି। ଛୋଟଛୋଟ କାଠ ଖଣ୍ଡରୁ ସୁନ୍ଦର ରଥଟିଏ ନିର୍ମାଣ କରୁଛନ୍ତି। ମନପ୍ରାଣ ଦେଇ ଘୋଷଯାତ୍ରା ପାଇଁ ରଥ ନିର୍ମାଣରେ ଲାଗିପଡ଼ିଛନ୍ତି। ମା’ଙ୍କ କହିବାନୁସାରେ ପିଲାବେଳୁ ସେ ବହୁତ ଜଗନ୍ନାଥଙ୍କୁ ଭକ୍ତି କରୁଛି। ପୂର୍ବରୁ ବହୁଥର ସେ କାଗଜ କଲମରେ ଶ୍ରୀମନ୍ଦିର, ଚତୁର୍ଦ୍ଧାମୂର୍ତ୍ତି ଓ ରତ୍ନ ସିଂହାସନର ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିଛି। ଚିତ୍ରାଙ୍କନ ପ୍ରତିଯୋଗିତା‌ରେ ଅନେକ ଥର ପୁରସ୍କୃତ ହୋଇଛି। ଚଳିତ ବର୍ଷ ହଠାତ୍ ସେ ରଥଯାତ୍ରା ପାଇଁ ଏଭଳି ନିଆରା କଥା ଭାବିଛି। ପ୍ରଭୁଙ୍କୁ ଏତେ ଭଲପାଉଥିବାରୁ ତାକୁ ଏଥିପାଇଁ ସେମାନେ ଆବଶ୍ୟକ ସହଯୋଗ କରୁଛନ୍ତି ବୋଲି ବାପା ମା’ କହିଛନ୍ତି। ଭଗବାନ ତା’ ଭକ୍ତିର ଭାବ ବୁଝିବେ ବୋଲି ସେମାନେ ଛଳଛଳ ହୋଇ କହିଛନ୍ତି।

ସମ୍ବନ୍ଧିତ ଖବର