ଭୁବନେଶ୍ବର: ମହାଷ୍ଟମୀ ତିଥିରେ ଆଜି ମଣ୍ଡପରେ ମା’ଙ୍କ ଦର୍ଶନ କରିବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇପଡ଼ିଥିଲେ। କଟକଣା ସତ୍ତ୍ବେ ମା’ଙ୍କ ଦର୍ଶନ ଓ ପୂଜା ପାଇଁ ଶହ ଶହ ଶ୍ରଦ୍ଧାଳୁ ବିଭିନ୍ନ ମଣ୍ଡପରେ ଭିଡ଼ ଜମାଇଥିଲେ। କିନ୍ତୁ କଟକଣା ପାଇଁ କାହାକୁ ଭିତରକୁ ଯିବାକୁ ସୁଯୋଗ ଦିଆଯାଇନଥିଲା। ତଥାପି ଆଶା ଛାଡ଼ିନଥିଲେ ଶ୍ରଦ୍ଧାଳୁମାନେ। ବହୁ ସମୟ ପର୍ଯ୍ୟନ୍ତ ମଣ୍ଡପ ସମ୍ମୁଖରେ ଅପେକ୍ଷା କରି ଭିଡ଼ କରିଥିଲେ। ଏମିତିକି କିଛି ମଣ୍ଡପରେ ପରଦା ଆଡ଼େଇ ମା’ଙ୍କୁ ଦେଖିବା ପାଇଁ ଲୋକେ ଉଦ୍ୟମ କରିବାରୁ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ରାଜଧାନୀର ବହୁ ମଣ୍ଡପରେ ଥିଲା ଏମିତି ସ୍ଥିତି।
ସକାଳୁ ସୂର୍ଯ୍ୟ ପୂଜାରୁ ଆରମ୍ଭ କରି ଗୋଦେବ ପୂଜନ, ଭୂଦେବ ପୂଜନ ଓ ପାର୍ଶ୍ବ ଦେବଦେବୀ ପୂଜନ ପର୍ଯ୍ୟନ୍ତ ସବୁ ବିଧି ସମ୍ପନ୍ନ ହେଲା। ଦିନ ତମାମ୍ ହୋମଯଜ୍ଞ ଓ ଚଣ୍ଡୀପାଠ ହେଲା। ସକାଳେ ଆଳତି ସହ ଫଳ ଭୋଗ ଓ ମଧ୍ୟାହ୍ନରେ ଖେଚୁଡ଼ି, ଖିରୀ, ହାଲୁଆ ଭୋଗ ଲାଗି ହେଲା। ସେହିଭଳି ଆଜି ସପ୍ତମୀ ଶେଷ ଓ ଅଷ୍ଟମୀ ଆରମ୍ଭର ସନ୍ଧିକ୍ଷଣରେ ସନ୍ଧି ପୂଜା ଓ ରାତିରେ ପାଣିକଖାରୁ(କୁଷ୍ମାଣ୍ଡ) ବଳି ଦିଆଗଲା। ତେଣୁ ସକାଳୁ ରାତି ଯାଏ ମା’ଙ୍କ ମଣ୍ଡପ ଆଜି ପୂଜା ବିଧିରେ ପ୍ରକମ୍ପିତ ହୋଇଉଠିଥିଲା। ମାତ୍ର ମା’ଙ୍କ ପୂଜାରେ ଅଂଶୀଦାର ହୋଇପାରିନଥିଲେ ଶ୍ରଦ୍ଧାଳୁମାନେ। କଟକଣା ପାଇଁ ଏହି ମହାବିଧି ଦର୍ଶନରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ହୋଇଥିଲେ। ଏମିତିକି କଟକଣା ସତ୍ତ୍ବେ ବହୁ ଶ୍ରଦ୍ଧାଳୁ ବିଭିନ୍ନ ମଣ୍ଡପକୁ ଆସି ମା’ଙ୍କ ଦର୍ଶନ ନପାଇ ହତାଶ ହୋଇ ଫେରିଥିଲେ।
ଆଜି ରାଜଧାନୀର ସମସ୍ତ ପୂଜା ମଣ୍ଡପରେ ମହାଷ୍ଟମୀ ବିଧି ସମ୍ପନ୍ନ ହୋଇଥିଲା। ରୀତିନୀତି ଅନୁଯାୟୀ ଅଷ୍ଟମୀ ପୂଜା ପାଳିତ ହୋଇଥିଲା। ବିଧି ଅନୁସାରେ ସପ୍ତମୀ ଶେଷ ଓ ଅଷ୍ଟମୀ ତିଥି ଆରମ୍ଭରେ ସନ୍ଧି ପୂଜା କରାଯାଇଥିଲା। ପୂଜକଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠରେ ମଣ୍ଡପ ଚଳଚଞ୍ଚଳ ହୋଇପଡ଼ିଥିଲା। ମାତ୍ର ଅଷ୍ଟମୀ ପୂଜାର ପରିବେଶ ଥିଲା ନିଆରା। ଶ୍ରଦ୍ଧାଳୁଙ୍କ ଭିଡ଼ ବିନା ମଣ୍ଡପ ଲାଗୁଥିଲା ଖାଁ ଖାଁ। ସବୁ ମଣ୍ଡପର ତିନିପାର୍ଶ୍ବକୁ କପଡ଼ା ଦ୍ବାରା ଆଚ୍ଛାଦିତ କରାଯାଇଥିଲା। ଭିଡ଼କୁ ଏଡ଼ାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ପୁଲିସ ମୁତୟନ କରାଯାଇଥିଲା। ଫଳରେ ବହୁ ମଣ୍ଡପରେ ଅଷ୍ଟମୀ ପୂଜା ଅବସରରେ ଏକପ୍ରକାର ନିରବତା ଛାଇ ଯାଇଥିଲା। ପଣ୍ଡିତଙ୍କ ମନ୍ତ୍ରୋଚାରଣ ଥିଲା ହେଲେ ଶ୍ରଦ୍ଧାଳୁଙ୍କ କୋଳାହଳ ନଥିଲା। ଭୋଗ ଡାଲା ଧରି ମହିଳା ଶ୍ରଦ୍ଧାଳୁମାନେ ଧାଡ଼ିରେ ନଥିଲେ। ଦୀପ ଷ୍ଟାଣ୍ଡ୍ରେ ଘିଅ ଦୀପ ଜଳୁନଥିଲା। ମଣ୍ଡପ ବାହାରେ ଦୋକାନ ବଜାର ଭିଡ଼ ନଥିଲା।
କିନ୍ତୁ କିଛି ମଣ୍ଡପରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। କଟକଣା ଥିବା ସତ୍ତ୍ବେ ବହୁ ସ୍ଥାନୀୟ ଶ୍ରଦ୍ଧାଳୁ ମଣ୍ଡପକୁ ପୂଜା ପାଇଁ ଆସି ଯାଇଥିଲେ। ସହିଦନଗର ମଣ୍ଡପକୁ ସ୍ଥାନୀୟ ଶ୍ରଦ୍ଧାଳୁମାନେ ଆସି ଭିଡ଼ କରିଥିଲେ। ପୁଲିସ ଓ ପୂଜା କମିଟି ପକ୍ଷରୁ ସେମାନଙ୍କୁ ବହୁ ଅନୁରୋଧ କରି ଫେରାଇବାକୁ ପଡ଼ିଥିଲା। ବମିଖାଲ ମଣ୍ଡପରେ ମହିଳାମାନେ ଭୋଗ ଡାଲା ଧରି ଧାଡ଼ି ବାନ୍ଧି ଥିଲେ। ପୂଜାର କର୍ମକର୍ତ୍ତାମାନେ ବାରଣ କରିଥିଲେ ମଧ୍ୟ ମହିଳାମାନେ ଧାଡ଼ି ବାନ୍ଧି ଠିଆ ହୋଇଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ମଣ୍ଡପକୁ ଯିବାକୁ ଦେଇନଥିଲା। ସେମାନେ ବହୁ କାକୁତିମିନତୀ କରିଥିଲେ ମଧ୍ୟ ପୁଲିସ କଟକଣା କୋହଳ କରିନଥିଲା। ତେଣୁ କିଛି ମହିଳା ଯୁକ୍ତିତର୍କ କରୁଥିବା ବେଳେ କିଛି ମହିଳା କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା। କେବଳ ବମିଖାଲ ନୁହେଁ, ଅନ୍ୟ କେତେକ ମଣ୍ଡପରେ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳିଥିଲା। ଅଷ୍ଟମୀରେ ଶାଢ଼ି ପୂଜା କରିବାକୁ ବହୁ ମହିଳା ମଣ୍ଡପ ଆସି ହତାଶ ହୋଇ ଫେରିଥିଲେ। ସେହିଭଳି ସନ୍ଧ୍ୟାରେ ବିଭିନ୍ନ ମଣ୍ଡପ ନିକଟରେ ଶ୍ରଦ୍ଧାଳୁମାନଙ୍କୁ ରୁଣ୍ଡ ହୋଇଥିବାର ଦେଖାଯାଇଥିଲା। ମଣ୍ଡପ ବନ୍ଦ ଥିଲେ ମଧ୍ୟ ମଣ୍ଡପ ମୁହଁରେ ଲଗାଯାଇଥିବା ଫ୍ଲେକ୍ସ ବୋର୍ଡରେ ମା’ଙ୍କ ଚିତ୍ର ଦେଖି ସେମାନେ ମୁଣ୍ଡିଆ ମାରୁଥିଲେ।