ଖଣ୍ଡଗିରି: ଚାନ୍ଦା ଆଦାୟ ହୁଏନି। ହେଲେ ରୀତିନୀତି ଅନୁଯାୟୀ ଆଡ଼ମ୍ବର ସହକାରେ ମା’ଙ୍କ ପୂଜା କରାଯାଏ। ପୂଜା ମଣ୍ଡପରେ ମା’ଙ୍କ ମୁହଁ ଉତ୍ତର ଦିଗକୁ ରହିଥିବାରୁ ଶାସ୍ତ୍ରମତେ ମା’ ଉତ୍ତରାୟଣୀ ଭାବେ ପରିଚିତ। ବିଶ୍ବାସ ଅଛି ମା’ଙ୍କ ପାଖରେ ମାନସିକ କଲେ ଭକ୍ତର ମନସ୍କାମନା ପୂରଣ ହୁଏ। ଏଣୁ ମାନସିକ ରଖୁଥିବା ଭକ୍ତମାନଙ୍କ ପାଇଁ ଏଠାରେ ସ୍ଥାପନ ହୁଏ ମାନସିକ ହୁଣ୍ଡି। ଭକ୍ତମାନେ ନିଜର ସାଧ୍ୟମତେ ଦକ୍ଷିଣା ପକାନ୍ତି। ତା’ ସହିତ ପୂଜା ଆରମ୍ଭ ହେବା ଦିନ ଠାରୁ ଭକ୍ତମାନେ ମାନସିକ ରଖି ଦକ୍ଷିଣା ସହିତ ଏକ ଛୋଟ କାଗଜରେ ନିଜ ନାମ ଓ ଗୋତ୍ର ଲେଖି ମାନସିକ ହୁଣ୍ଡିରେ ପକାଇ ଦିଅନ୍ତି। ଦଶମୀ ଦିନ ଏହା ମା’ଙ୍କ ପାଦରେ ଅର୍ପଣ କରାଯାଏ। ହୁଣ୍ଡି ସମେତ ଆୟୋଜକଙ୍କ ଆର୍ଥିକ ସହାୟତାରେ ଜାକଜମକରେ ପୂଜା ପାଆନ୍ତି ମା’ ଦୁର୍ଗା। ସବୁଠୁ ବଡ଼ କଥା ହେଉଛି ପୂଜାର ଖର୍ଚ୍ଚ ବିବରଣୀ, ମାନସିକ ହୁଣ୍ଡିରେ ଦାନ କରିଥବା ଅର୍ଥର ହିସାବ ମାନସିକ କାଗଜରେ ଥିବା ଭକ୍ତର ଠିକଣା ଆଧାରରେ ଘରେ ପହଞ୍ଚାଇ ଦିଆଯାଏ। ଯେଉଁଥିପାଇଁ ଦୀର୍ଘ ୩୪ ବର୍ଷ କାଳ ନିଆରା ପୂଜା ପାଇଁ ଚର୍ଚ୍ଚାରେ ରହି ଆସିଛି ବରମୁଣ୍ଡା ରୁଚିକା ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି।
ଏଭଳି ନିଆରା ବ୍ୟବସ୍ଥାକୁ ନେଇ ମା’ ଉତ୍ତରାୟଣୀଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥର ମା’ଙ୍କ ମୃଣ୍ମୟ ମୂର୍ତ୍ତିର ଉଚ୍ଚତା ୧୭ ଫୁଟ ରହିଛି। ବଡ଼ମ୍ବା ଆଠଗଡ଼ର ୪ଜଣ କାରିଗର ମାସେ ହେଲା ଲାଗିଛନ୍ତି। ୪୫ ଫୁଟ୍ ଲାଇଟ୍ ଗେଟ୍ ସହ ବିରାଟ ତୋରଣ ନିର୍ମାଣ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରଥମ ଦିନ ପାଲା ପରିବେଷଣ ହେବା ସହ ସ୍ଥାନୀୟ ପ୍ରତିଭାଙ୍କୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହା ସହିତ ଭଜନ ସମାରୋହ ଆୟୋଜିତ ହେବ।