ଘଡ଼ଘଡ଼ିରେ ପୋଡ଼ିଗଲା ଡିଜି: ଧଉଳି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ବନ୍ଦ

ଧଉଳି: କାଳବୈଶାଖୀ ଜନିତ ବର୍ଷା ପବନରେ ଧଉଳି ଶାନ୍ତିସ୍ତୂପରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରଚଣ୍ଡ ବ୍ରଜପାତରେ ଡିଜି ପୋଡ଼ିଯାଇଛି। ଫଳରେ ଶାନ୍ତିସ୍ତୂପ ଅନ୍ଧାରରେ ରହିଛି। ନିୟମିତ ଭାବେ ଦୁଇଦିନ ଧରି କାଳବୈଶାଖୀ ମେଘ ପବନ ହେବାରୁ ଲାଇଟ ଆଣ୍ଡ ସାଉଣ୍ଡ ସୋ’ ବନ୍ଦ ହୋଇଯାଇଛି। ଶାନ୍ତିସ୍ତୂପ ବୁଲିସାରି ପର୍ଯ୍ୟଟକମାନେ ସୋ’ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି। ହେଲେ କାଳବୈଶାଖୀ ଯୋଗୁଁ ସୋ’ ବନ୍ଦ ରହୁଛି। ଫଳରେ ଉପସ୍ଥିତ ଦର୍ଶକମାନେ ସୋ’ ନଦେଖି ନିରାଶ ହୋଇ ଫେରୁଛନ୍ତି ବୋଲି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ର ଅପରେଟିଂ ଇଂଜିନିୟର ରଶ୍ମିରଂଜନ ପଣ୍ଡା। ଆଜି ଅପରାହ୍ନରେ ହଠାତ କାଳବୈଶାଖୀ ଆରମ୍ଭ ହୋଇଯାଇଥିଲା। ପବନରେ ଶାନ୍ତିସ୍ତୂପ ପଛ ପାର୍ଶ୍ୱରେ ଥିବା ଧବଳେଶ୍ୱର ମନ୍ଦିରର ବାନା ଉଡ଼ିଯାଇଥିଲା। ଏହା ସହିତ ଆଜବେଷ୍ଟସ, ଟିଣ ଚାଦର ଉଡ଼ିଯାଇ ସମ୍ମୁଖ ପାର୍ଶ୍ବ ପାହାଚରେ ପଡ଼ିଥିଲା।

ସୌଭାଗ୍ୟବଶତଃ ଏଥିରେ କୌଣସି ପର୍ଯ୍ୟଟକଙ୍କର କ୍ଷତି ହୋଇନାହିଁ। ସେହିପରି ଶାନ୍ତିସ୍ତୂପ ପରିସରରେ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାରୁ ଗଛ କାଟି ସଫା କରିବା ପରେ ଯାତାୟାତ ସ୍ୱଭାବିକ ହୋଇଛି। ବିଦ୍ୟୁତ ସରବରାହ ବିଛିନ୍ନ ହୋଇଥିବାରୁ ଶାନ୍ତିସ୍ତୂପ ଅନ୍ଧାରରେ ରହିଛି। ଅନୁରୂପ ଭାବେ ବାଲିଅନ୍ତା ବ୍ଲକ ଅଧୀନ ଟଙ୍କପାଣି ଗ୍ରାମ ନିକଟରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିବା ସହ ବିଦ୍ୟୁତ ତାର ଛିଣ୍ଡି ଯାଇଛି। ସରଦେଈପୁର-ନିମାପଡ଼ା ରାସ୍ତାର ବୁଧିପଡ଼ା ଏବଂ ପୂରଣ ପଧାନ ଛକ ମଧ୍ୟରେ ବଡ଼ ବଡ଼ ଚାକୁଣ୍ଡା ଗଛ ଡାଳ ଭାଙ୍ଗି ପଡ଼ିବାରୁ ଉଭୟ ପାର୍ଶ୍ୱ ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ି ମଟର ଅଟକି ରହିଥିଲା। ସ୍ଥାନୀୟ ଲୋକ ଗଛକାଟି ରାସ୍ତା ସଫା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ରିପୋର୍ଟ ଲେଖା ହେବା ବେଳକୁ ବାଲିଅନ୍ତାର ଅଧିକାଂଶ ପଞ୍ଚାୟତ ଅଞ୍ଚଳ ଅନ୍ଧାର ହୋଇପଡ଼ିଛି।

ସମ୍ବନ୍ଧିତ ଖବର