ରୋଗୀ କଲ୍ୟାଣ ସମତି ବୈଠକ: ଡିଜି ସେଟ୍ ଏବଂ ଥଣ୍ତା ପାନୀୟ ପ୍ରକଳ୍ପ ବିଧାୟକଙ୍କ ପାଣ୍ଠିରୁ ଲାଗିବ

ବାଲିପାଟଣା: ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ରୋଗୀ କଲ୍ୟାଣ ସମିତ ବୈଠକ। ଉକ୍ତ ବୈଠକରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ଯୋଗ ଦେଇଥିଲେ। ଡାକ୍ତର ପଦବି ଖାଲି ପଡ଼ିବା ଏବଂ ଡାକ୍ତର ମାନେ କ୍ବାର୍ଟରରେ ନ ରହିବା ନେଇ ବୈଠକରେ ଅଭିଯୋଗ ହୋଇଥିଲା। ବର୍ତମାନ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତର ପଦବିରୁ ୩ ଜଣ ସ୍ଥାୟୀ ଏବଂ ଜଣେ ଠିକା ଭିତ୍ତିରେ କାମ କରୁଛନ୍ତି । ୩ଟି ସବ୍‌ସେଣ୍ଟର ମଧ୍ୟରୁ ଅଭୟମୁଖୀ ସବ୍‌ସେଣ୍ଟରରେ ଡାକ୍ତର ପଦବି ଖାଲି ପଡ଼ିଛି। ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ମନୋରଂଜନ ହାତୀଙ୍କ କହିବା ଅନୁସାରେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଆସିବା ପାଇଁ ରାଜି ହେଉନାହାନ୍ତି। ଅପରପକ୍ଷରେ ସରକାରଙ୍କ ତରଫରୁ ଡାକ୍ତର ପଦବି ପୂରଣ କରାଯାଉନାହିଁ ବୋଲି ଶ୍ରୀ ହାତୀ କହିଥିଲେ। ବିଧାୟକ ଶ୍ରୀ ଢାଲି ନିଜ ପାଣ୍ଠିରୁ ବିଦ୍ୟୁତ୍ ସମସ୍ୟା ସମାଧାନ ପାଇଁ ଡିଜି ସେଟ୍‌ ଏବଂ ପାନୀୟ ଜଳ ସମସ୍ୟାର ସମାଧାନ ଲାଗି ଅର୍ଥ ବରାଦ କରିବେ ବୋଲି କହିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ସରକାରୀ କ୍ବାର୍ଟର ନିର୍ମିତ ହୋଇଛି। ଅଥଚ ଜଣେବି ଡାକ୍ତର କ୍ବାର୍ଟରରେ ରହୁନାହାନ୍ତି। ଏ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ଏଏନଏମ କର୍ମୀମାନେ ସେଣ୍ଟରରେ ରହୁନଥିବା ଅଭିଯୋଗ ଆସିଥିଲା। ୨୦ଟି ସେଣ୍ଟର ମଧ୍ୟରୁ ୮ ଟିର ଘର କାମ ସରିଛି, ବାକି ସେଣ୍ଟର ଖୁବ୍ ଶୀଘ୍ର ଘର ନିର୍ମାଣ ହେବ ବୋଲି ବିଧାୟକ କହିଥିଲେ। ଦୀର୍ଘ ଦିନ ହେବ ଶଲ୍ୟବିଭାଗ ଏବଂ ଶିଶୁ ରୋଗ ବିଭାଗର ବିଶେଷଜ୍ଞ ପଦବି ଖାଲି ପଡ଼ିଥିବା ନେଇ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ସିଡିପିଓ ଆରତୀ ରଥ, ବିଇଓ ମହେଶ୍ବର ସାହୁ, ପାନୀୟ ଜଳ ଯୋଗାଣ ଅଧିକାରୀ ସୁନୀଲ କୁମାର ପାଢ଼ୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପିଏଚଇଓ କ୍ଷେତ୍ର ମୋହନ ବେହେରା, ବିପିଏମ ତପନ କୁମାର ମଣ୍ଟୁ, ଆକାଉଣ୍ଟ ମ୍ୟାନେଜର ବସନ୍ତ କୁମାର ସାହୁ, ଆୟୁଷ ଡାକ୍ତର ପରବିନ୍ ବିବି ବେଗମ, ବିଜେଡି ବ୍ଲକ ସଭାପତି ପ୍ରତାପ କିଶୋର ନାୟକ, ଗାରେଡ଼ିପାଞ୍ଚଣ ସରପଞ୍ଚ ସୌମ୍ୟରଂଜନ ମହାନ୍ତି, ଜାକିରି ହୋସେନ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର