ବାଲିଅନ୍ତା: ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ କିଛି ନୂଆ କଥା ନୁହେଁ। ବହୁ ପୂର୍ବରୁ ଏଠାରେ ଢାଲି ବନାମ ପାତ୍ର ଲଢ଼େଇ ଚର୍ଚ୍ଚାରେ ରହିଆସିଛି। ତେବେ ପଞ୍ଚାୟତ ନିର୍ବାଚନ ବିଗୁଲ୍‌ ବାଜିବା ପରେ ଏହି ଗୋଷ୍ଠୀ ବିବାଦର ପାରଦ ଉପରମୁହାଁ ହୋଇଛି। ଦୁଇ ଗୋଷ୍ଠୀ ନିଜ ନିଜର ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ୍‌ ଦେଇ ବିଜୟୀ କରିବାକୁ ଲାଗିପଡ଼ିଛନ୍ତି। ତେଣୁ ଆଶାୟୀମାନେ ଯେତିକି ଆଶା ଆଶଙ୍କାରେ ଅଛନ୍ତି, କର୍ମୀମାନେ ସେତିକି ଉତ୍ସୁକତାର ସହ କାହା ପଲା ଭାରି ଦେଖିବାକୁ ଟାକି ବସିଛନ୍ତି। ଏଥିପାଇଁ ଦୁଇ ଗୋଷ୍ଠୀ ପକ୍ଷରୁ ଘନଘନ ରଣନୀତି ବୈଠକ ଚାଲିଛି ଓ ନିଜ ନିଜ ଆଶାୟୀମାନଙ୍କୁ ଟିକେଟ୍ ଦେବା ପାଇଁ ବିଭିନ୍ନ ଫୋରମ୍‌ରେ କସରତ ଆରମ୍ଭ ହୋଇଯାଇଛି। ପଲା ଭାରି ଦେଖାଇବା ପାଇଁ ମିଶ୍ରଣ ପର୍ବ ଚାଲିଥିବା ବେଳେ କର୍ମୀମାନେ ହିଁ ଏପଟସେପଟ ହେଉଥିବା ଦେଖିବାକୁ ମିଳୁଛି। ଏହି ନିର୍ବାଚନ ମଣ୍ଡଳୀରେ ଥିବା ୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ଦୁଇ ପକ୍ଷରେ ୧୫ ଜଣ ଆଶାୟୀ ଥିବା ଜଣାପଡ଼ିଛି। ସେହିଭଳି ମାଳମାଳ ସରପଞ୍ଚ ଓ ସମିତି ସଭ୍ୟ ଆଶାୟୀ ଲବି ଚଳାଇଛନ୍ତି।

Advertisment

ବାଲିଅନ୍ତା ବ୍ଲକ ଅଧୀନରେ ରହିଛି ଖୋର୍ଦ୍ଧା ଜିଲ୍ଲା ପରିଷଦର ୧୬, ୧୭ ଓ ୧୮ ନମ୍ବର ଜୋନ୍‌। ବିଧାୟକ ଅରବିନ୍ଦ ଢାଲିଙ୍କ ସୂଚନାନୁସାରେ ୯ ଜଣ ଆଶାୟୀ ତାଙ୍କ ନିକଟରେ ଆବେଦନ କରିଛନ୍ତି। ସେହିଭଳି ବିଧାୟକଙ୍କ ବିରୋଧୀ ବିଜେଡି ନେତା କମଳ କୁମାର ପାତ୍ରଙ୍କ ନିକଟରେ ୬ ଜଣ ଆଶାୟୀ ଏହି ଟିକେଟ୍‌ ପାଇଁ ଲବିରେ ଅଛନ୍ତି। ତେଣୁ ଶେଷରେ କିଏ ଟିକେଟ୍‌ ପାଇବେ, ତାହା ଉପରେ ସମସ୍ତଙ୍କ ନଜର। କମଳ ପାତ୍ରଙ୍କ ଗୋଷ୍ଠୀ ବିଭିନ୍ନ ସମୟରେ ଏକ ଫାର୍ମ ହାଉସ୍‌ରେ ଦଳୀୟ ବୈଠକ କରି ମିଶ୍ରଣ ପର୍ବ ପାଳନ କରୁଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ସାମିଲ୍‌ ହେଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ପାତ୍ର, ଜୟଦେବ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅମରେଶ ଜେନା, ବାଲିପାଟଣା ବ୍ଲକ ସଭାପତି କିଶୋର କୁମାର ଜେନା ଓ ବାଲିଅନ୍ତା ବ୍ଲକ ସଭାପତି ପ୍ରଦୀପ୍ତ ଜେନାମଣି ପ୍ରମୁଖ ମଧ୍ୟ ଉପସ୍ଥିତ ରହୁଛନ୍ତି। ଅନ୍ୟ ପକ୍ଷରେ ବିଧାୟକ ଶ୍ରୀ ଢାଲିଙ୍କ ମିଶ୍ରଣ ସମାବେଶରେ ବି ବହୁ ବିଜେଡି ହେଭିୱେଟ୍‌ ସାମିଲ୍‌ ହେଉଛନ୍ତି।

ବାଳକାଟି ମେଳଣ ପଡ଼ିଆରେ ଆୟୋଜିତ ସମାବେଶରେ ଚୌଧୁରୀ ଦ୍ବାରିକାନାଥ ଦାଶଙ୍କ ନେୃତ୍ବରେ ବହୁ ବିଜେଡି କର୍ମୀ ସାମିଲ୍‌ ହୋଇଥିବା ବେଳେ ସାଂସଦ ଅମର କୁମାର ପଟ୍ଟନାୟକଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ ଓ ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର ମଞ୍ଚାସୀନ ଥିଲେ। ତେବେ ଚର୍ଚ୍ଚାର ବିଷୟ ଥିଲା ଦୁଇ ଗୋଷ୍ଠୀରେ ମିଶୁଥିବା କର୍ମୀଙ୍କ କଥା। ଗୋଟିଏ ଗୋଷ୍ଠୀର କର୍ମୀ ଅପରଗୋଷ୍ଠୀରେ ମିଶୁଥିଲେ। ଅର୍ଥାତ୍ ଏଠାରେ ବିଜେଡି ଛାଡି କର୍ମୀମାନେ ବିଜେଡିରେ ମିଶୁଛନ୍ତି। ତେଣୁ ବଡ଼ ରୋଚକସ୍ଥିତିରେ ରହିଛି ଆଶାୟୀଙ୍କ ବିଜେଡି ଟିକେଟ୍‌ ଓ ସମର୍ଥନ ପାଇବା ପ୍ରସଙ୍ଗ।