କଟକ: ଆଗକୁ ପୌର ନିର୍ବାଚନ ଆଉ ପରକୁ ପର ପଂଚାୟତ ନିର୍ବାଚନକୁ ଟାର୍ଗେଟ୍ କରିଥିଲେ ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ। ଏହି ନିର୍ବାଚନ ସମୟରେ ଆପରାଧିକ କାଣ୍ଡ ଘଟାଇବା ପାଇଁ ପୁରୁଣା ଅପରାଧୀଙ୍କ ବଦଳରେ କଲେଜ ଛାତ୍ରଙ୍କୁ ମୋହରା ବନାଇଥା’ନ୍ତେ। ସେମାନଙ୍କ ହାତରେ ବଂଧୁକ ଧରାଇ ଗ୍ୟାଙ୍ଗକୁ ବିସ୍ତାର କରିଥା’ନ୍ତେ। ଉଦ୍ଦେଶ୍ୟ ଥିଲା, ପୁଲିସ ଆଖିରେ ଧୂଳି ଦେଇ ଧମକ ଦେବା ସହିତ ବଟି ଆଦାୟ କରିବା। ମାତ୍ର ଏହା ପୂର୍ବରୁ ପୁଲିସ୍ ପକ୍ଷରୁ ବଡ଼ଧରଣର ଧରପଗଡ଼ରେ ତାଙ୍କ ଯୋଜନା ଫସର ଫାଟି ଯାଇଛି। ପୁଲିସର ତଦନ୍ତ ଏବେ ଯେତିକି ଆଗକୁ ବଢୁଛି, ଏଭଳି ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଗତ ୧୧ ତାରିଖ ଦିନ କଟକ ସିଡିଏସ୍ଥିତ ଧଳସାମନ୍ତ ଭାଇଙ୍କ ଘରୁ ୧୬ଟି ବନ୍ଧୁକ ଓ ହଜାରେରୁ ଅଧିକ ଗୁଳି ପୁଲିସ ଜବତ କରିଥିଲା। ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରା ସମୟରେ ଯେଉଁ ତଥ୍ୟ ମିଳିଥିଲା, ସେହି ଅନୁଯାୟୀ ପୁଲିସ ଭୁବନେଶ୍ବର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା। କମିସନରେଟ୍ ପୁଲିସର ଏକାଧିକ ଟିମ୍ କେନ୍ଦ୍ରାପଡ଼ା, ଜଗତସି˚ହପୁର, ଭୁବନେଶ୍ବରରେ ଚଢ଼ଉ କରିଥିଲା ବେଳେ ଗୋଟିଏ ଟିମ୍ ବିହାରର ମୁଙ୍ଗେରକୁ ଯାଇ ସେଠାରେ ଖୋଳତାଡ଼ କରିଥିଲା। ଏହି ଚଢ଼ଉରୁ ପୁଣି ବିପୁଳ ପରିମାଣର ବଂଧୁକ, ଗୁଳି ଜବତ ହେବା ସହିତ ୪ ଘନିଷ୍ଠ ସହଯୋଗୀ ଧରାପଡ଼ିଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶା କରାଯାଉଛି।
ପ୍ରଥମେ ପୁଲିସ ହାତରେ ବନ୍ଧୁକ ଚାଲାଣ କରୁଥିବା ବୁଦ୍ଧିଆ ଧରା ପଡ଼ିଥିବା ବେଳେ ତାକୁ ଜେରା ସମୟରେ ସେ ମୁଙ୍ଗେର୍ର ଜଣେ ବ୍ୟବସାୟୀଙ୍କ ନାମ ନେଇଥିଲା। ବାଲିଘାଟ ବ୍ୟବସାୟୀ ବିଜନ ପାଲ୍ ହତ୍ୟାକାଣ୍ଡ ବେଳେ ଅଭିଯୁକ୍ତ ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକ ଯେଉଁ ବନ୍ଧୁକ ବ୍ୟବହାର କରିଥିଲା, ତାହା ବି ମୁଙ୍ଗେର୍ର ଜଣେ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କଠୁ ଆସିଥିଲା। ସେହି ବ୍ୟବସାୟୀଙ୍କ ସହିତ ଧଳସାମନ୍ତ ଭାଇଙ୍କ ପୁରୁଣା ସମ୍ପର୍କ ରହିଛି। ମୁଙ୍ଗେର ଯାଇଥିବା ପୁଲିସ୍ ଟିମ୍ ସେହି ବନ୍ଧୁକ ବ୍ୟବସାୟୀଙ୍କୁ ଜେରା କରିବା ପରେ ସେଠାରୁ ଓଡ଼ିଶାକୁ ପାଖାପାଖି ୩୨ଟି ବନ୍ଧୁକ ଆସିଥିବା ଜଣାପଡ଼ିଛି। ଏହାକୁ ଆଧାର କରି ଏବେ ପୁଲିସ୍ ଅବଶିଷ୍ଟ ୧୬ଟି ବନ୍ଧୁକ କେଉଁଠାରେ ରହିଛି, ତାହାକୁ ଖୋଜିବା ଆରମ୍ଭ କରିଛି। ବୁଦ୍ଧିଆ ଓ ବନ୍ଧୁକ ବ୍ୟବସାୟୀର ସୂଚନାକୁ ଆଧାର କରି ଯେଉଁମାନଙ୍କୁ ବନ୍ଧୁକ ଚାଲାଣ କରାଯାଇଛି, ସେମାନଙ୍କୁ ଧରିବା ପାଇଁ ପୁଲିସ୍ର ତିନୋଟି ଟିମ୍ କେନ୍ଦ୍ରାପଡ଼ା, ଜଗତସି˚ହପୁର ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସ୍ପେସାଲ ସ୍କ୍ବାଡ୍ ସହ ଦୁଇଜଣ ଆଇଆଇସି ଉକ୍ତ ଟିମ୍ଗୁଡ଼ିକର ନେତୃତ୍ବ ନେଉଛନ୍ତି। ଏଥିସହ ଏକାଧିକ ଏସିପି ମଧ୍ୟ ନିୟମିତ ଭାବେ ଚଢ଼ଉ କରୁଥିବା ଟିମ୍ ସହିତ ଯୋଗାଯୋଗରେ ରହିଛନ୍ତି। କିନ୍ତୁ ରାଜ୍ୟର ଅନ୍ୟ ଅଞ୍ଚଳରେ ବି ଦୁଇ ଭାଇଙ୍କ ନେଟୱର୍କ ଲମ୍ବିଥିବା ଆଶଙ୍କା କରାଯାଉଛି। କିଛିଦିନ ତଳେ ପୁଲିସ୍ ଧଳସାମନ୍ତଙ୍କ ଘରେ ଚଢ଼ଉ କରିଥିଲା। ସାରା ରାଜ୍ୟରେ ଦୁଇ ଭାଇଙ୍କ ବଂଧୁକ-ଗୁଳି କାରବାରର ଚେର କିଭଳି ଲମ୍ବିଛି, ତାହା ବି ଧରାପଡ଼ିବାରେ ଲାଗିଛି।
ଅନ୍ୟପକ୍ଷରେ, ଦୁଇ ଭାଇ ଜେଲରେ ଥାଇ ବି ନିଜର ନେଟୱର୍କ ଯେଭଳି ଢଙ୍ଗରେ ବିସ୍ତାର କରି ଚାଲିଛନ୍ତି, ତାହା ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କୁ ଚକିତ କରି ଦେଇଛି। ଆହୁରି ବଂଧୁକ ଆଉ ପୁଳାପୁଳା ଗୁଳି ଏବେ ପୁଲିସ ହାତରେ ଲାଗିଥିବା ବେଳେ ଏଥିରେ ସଂପୃକ୍ତ ୪ରୁ ଅଧିକ ସହଯୋଗୀଙ୍କୁ ପୁଲିସ କବ୍ଜାକୁ ଆଣିଥିବା ସୂଚନା ମିଳିଛି। ପ୍ରାଥମିକ ଭାବେ ଭୁବନେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର ଅଞ୍ଚଳରେ ଚଢ଼ଉ କରି ପୁଲିସ ବଂଧୁକ, ଗୁଳି ଓ ଧଳସାମନ୍ତଙ୍କ ସହଯୋଗୀଙ୍କୁ କବଜାକୁ ଆଣିଥିବା ବେଳେ ଏହି ପ୍ରକ୍ରିୟା ଆହୁରି ଲମ୍ବିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣି ସେମାନଙ୍କଠାରୁ କାରବାରର ଗୁମର ଫିଟାଇବା ଯୋଜନାରେ ପୁଲିସ୍ ରହିଛି।