ଭୁବନେଶ୍ବର/ଖଣ୍ଡଗିରି: ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୁନା ଦର ୩ ହଜାରରୁ ୪ ହଜାର ଟଙ୍କା କମ୍ ରହିଛି। ଗତ ବର୍ଷ ସୁନା ଦର ପାଖାପାଖି ୪୯ ହଜାର ଟଙ୍କା ଥିଲା ବେଳେ ଚଳିତ ବର୍ଷ ପାଖାପାଖି ୪୫ ହଜାର ଟଙ୍କା ରହିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସବୁଥର ଭଳି ଏଥର ବି ରହିଛି ଆକର୍ଷଣୀୟ ରିହାତି। ଗଢ଼ା ମଜୁରି ଦାମ୍ରେ ବି ରହିଛି ରିହାତି। ତେଣୁ ଏଥର ଧନତେରସ ବେପାର ଭଲ ହୋଇଛି। ଆଜି ରାଜଧାନୀର ପ୍ରାୟ ସବୁ ଗହଣା ଦୋକାନର ଭିଡ଼କୁ ଦେଖିଲେ, ବେପାର ଭଲ ହୋଇଛି ବୋଲି ସ୍ପଷ୍ଟ ହୋଇଛି। ସେହିଭଳି ଗହଣା ଦୋକାନ ସମ୍ମୁଖରେ ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ ମୁତୟନ ହେବା ଘଟଣା ବି ଧନତେରସରେ ସୁନା କିଣାବିକା ଭଲ ହୋଇଛି ବୋଲି ଦର୍ଶାଇଛି। ବ୍ୟବସାୟୀ ମହଲରୁ ମିଳିଥିବା ସୂଚନାନୁସାରେ, ଚଳିତ ବର୍ଷ ପ୍ରାୟ ୧୨ପ୍ରତିଶତ କାରବାର ବଢ଼ିଛି। କରୋନା ପ୍ରଭାବ ପଡ଼ିଥିବାରୁ ବେପାର ବଢ଼ିନି ବୋଲି କିଛି ବ୍ୟବସାୟୀ କହିଛନ୍ତି। ପ୍ରାୟ ୧୫ ପ୍ରତିଶତ ବେପାର ବଢ଼ିବା ଆଶା କରାଯାଉଥିଲା। ତେଣୁ ସେହି ହିସାବରେ ୩ପ୍ରତିଶତ ବେପାର କମିଛି।
ଜନପଥରେ ନୂଆ କରି ଖୋଲା ଯାଇଥିବା ମାଲାବାର୍ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ ଜୁଏଲାରି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ମେକିଂ ଚାର୍ଜ ଉପରେ ମାତ୍ର ୨୨୦ଟଙ୍କା ରଖିଥିଲା। ଏଠାରେ ସୁନା ଓ ହୀରା କଏନ୍ ମଧ୍ୟ ଆଜି ବିକ୍ରି ହୋଇଛି। ଖିମ୍ଜୀ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ୨୨କ୍ୟାରେଟ୍ ସୁନା ଦର ଉପରେ ପ୍ଲାଟ୍ ୫.୫ ପ୍ରତିଶତ ରିହାତି ରହିଛି। ହୀରା ଉପରେ ମଧ୍ୟ ୨୫ ପ୍ରତିଶତ ଯାଏ ରିହାତି ଓ ରୂପା ଉପରେ ଫ୍ଲାଟ୍ ୨୦ ପ୍ରତିଶତ ରିହାତି ଦିଆଯାଉଛି। ଏସ୍ବିଆଇ କ୍ରେଡିଟ୍ କାର୍ଡଧାରୀଙ୍କ ପାଇଁ ୫ ପ୍ରତିଶତ କ୍ୟାସ୍ବ୍ୟାକ୍ ରହିଛି ବୋଲି ମ୍ୟାନେଜର୍ ଚେତନ ସୁବର୍ଣ୍ଣ କହିଛନ୍ତି। ଖାରବେଳନଗରସ୍ଥିତ ଇପାରି ସଦାଶିବ ସୋ’ରୁମ୍ ସୁନା ଗହଣା ଗଢ଼ା ମଜୁରି ଉପରେ ୩୦ ପ୍ରତିଶତ ରିହାତି ରଖିଥିବା ବେଳେ ହୀରା ଓ ରୁପା ଉପରେ ମେକିଂ ଚାର୍ଜ ୫୦ ପ୍ରତିଶତ ରିହାତି ରଖିଛନ୍ତି। ବାଣୀବିହାରସ୍ଥିତ କଲ୍ୟାଣୀ ଜୁଏଲାରି ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଫର୍ ଦିଆଯାଇଛି। ସୁନା ଗଢ଼ାମଜୁରି ଉପରେ ୨୫% ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଇଥିବା ବେଳେ ହୀରା ଉପରେ ୨୦ ପ୍ରତିଶତ ରିହାତି ଦିଆଯାଇଥିବା କଲ୍ୟାଣୀ ମ୍ୟାନେଜର୍ ଗୌରୀଶଙ୍କର ଆଚାର୍ଯ୍ୟ କହିଛନ୍ତି। ଖଣ୍ଡଗିରି ଜାଗମରାସ୍ଥିତ ଜେ ଆଣ୍ଡ୍ ଟି ଜେମ୍ସ ସୋ’ରୁମ୍ ଗଢ଼ାମଜୁରି ୧୬୨ଟଙ୍କା ରଖିଛି। ରୁପା ଗହଣା ଉପରେ ୨୫ପ୍ରତିଶତ ରିହାତି ରହିଥିବା ବେଳେ ଗଢ଼ା ମଜୁରି ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି।
ବ୍ୟବସାୟୀମାନଙ୍କ କହିବା କଥା, ପୂର୍ବରୁ ଧନତେରସ ବେପାର ଯେମିତି ହେଉଥିଲା, କରୋନା ପରଠାରୁ ଗତ ୨ବର୍ଷ ହେଲା ସେମିତି ହେଉନାହିଁ। ଗତ ବର୍ଷ ଅପେକ୍ଷା ଏଥର ୧୧ରୁ୧୨ପ୍ରତିଶତ ବ୍ୟବସାୟ ବଢ଼ିବ ବୋଲି ଆଶା କରାଯାଉଛି। ମାତ୍ର ଲୋକେ ଗହଣା କିଣିବା ଅପେକ୍ଷା କଏନ୍ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଅଧିକାଂଶ ଗ୍ରାହକ ଛୋଟ ଗହଣା କିଣି ଧନତେରସ ବିଧି ରକ୍ଷା କରୁଛନ୍ତି। ତେଣୁ ବେପାର ଆଶାନୁରୂପ ହେବ ନାହିଁ ବୋଲି କିଛି ଗହଣା ବେପାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/564f5h64sfh654hfs56hf32h1f32h23hfhfhhf.jpg)