ବଜାରରେ ଧନ୍‌ତେରସ୍ ଉତ୍ସାହ : ସୁନା ଦୋକାନରେ ଭିଡ଼

ଇଲେକ୍ଟ୍ରୋନିକ୍ସ ବେପାର ବି ଜମୁଛି

ଭୁବନେଶ୍ବର: ଧନ୍‌ରେତସ୍‌କୁ ନେଇ ରାଜଧାନୀ ବଜାର ବେଶ୍‌ ଚଳଚଞ୍ଚଳ ହୋଇପଡ଼ିଛି। କିଣାକିଣି କରିବା ଲାଗି ଲୋକମାନେ ସୁନା ଗହଣା ଦୋକାନ, ପୋଷାକ ସୋ’ରୁମ୍, ଇଲେକ୍ଟ୍ରୋନିକ୍ସ ସୋ’ରୁମ୍, ମଲ୍ ଏବଂ ଗାଡ଼ି ସୋ’ରୁମ୍ ଆଦିରେ ଭିଡ଼ ଲଗାଉଛନ୍ତି। ସର୍ବାଧିକ ଉତ୍ସାହ ସୁନା ବଜାରରେ ଦେଖିବାକୁ ମିଳିଛି। ଚଳିତ ବର୍ଷର ସୁନା ଦାମ୍ ସର୍ବୋଚ୍ଚ ସ୍ତରଠାରୁ ପ୍ରାୟ ୫୦୦୦ ଟଙ୍କା ହ୍ରାସ ପାଇ ୫୦ ହଜାର ଟଙ୍କା ପାଖାପାଖି ଖସି ଆସିଛି। ସୁନା କିଣିବାର ଏହା ଉପଯୁକ୍ତ ସମୟ ଭାବି ତାହାର ଲାଭ ଉଠାଇବା ଲାଗି ଗ୍ରାହକମାନେ ସୋ’ରୁମ୍‌କୁ ଆସୁଛନ୍ତି। ସହରରେ ରାଜ୍ୟର ଅନେକ ପ୍ରତିଷ୍ଠିତ ଏବଂ କିଛି ଜାତୀୟ ସ୍ତରର ସଂସ୍ଥାର ସୋ’ରୁମ୍‌ ରହିଛି। ଗ୍ରାହକମାନଙ୍କୁ ସ୍ବାଗତ କରିବା ଲାଗି ପ୍ରତିଟି ସୋ’ରୁମ୍‌ରେ ଆକର୍ଷଣୀୟ ସାଜସଜା ହୋଇଛି।

ସେମାନେ ଭଳିକି ଭଳି ମନଭୋଲା ଅଫର୍‌ ମଧ୍ୟ ଘୋଷଣା କରିଛନ୍ତି। ହୀରା ଗହଣାର ମୂଲ୍ୟ, ସୁନା ଗହଣାର ଗଢ଼ା ମୂଲ୍ୟ ଆଦି ଉପରେ ଆକର୍ଷଣୀୟ ରିହାତି ଓ ଅଫର୍‌ ଘୋଷଣା କରାଯାଇଛି। ଚଳିତ ବର୍ଷ ପ୍ରାୟ ସବୁ ବଡ଼ ଗହଣା ପ୍ରତିଷ୍ଠାନ ନିଜସ୍ବ ନୂତନ ଗହଣା ସମ୍ଭାରକୁ ଉନ୍ମୋଚନ କରିଛନ୍ତି। କିଛି ସଂସ୍ଥା ସପିଙ୍ଗ୍‌ ଉପରେ କ୍ୟାସ୍‌ବ୍ୟାକ୍ ମଧ୍ୟ ପ୍ରଦାନ କରୁଛନ୍ତି। ଅଗ୍ରଣୀ ବ୍ୟାଙ୍କଗୁଡ଼ିକର କ୍ରେଡିଟ୍ କାର୍ଡରେ ଗହଣା କିଣୁଥିବା ଗ୍ରାହକଙ୍କୁ ଅତିରିକ୍ତ ରିହାତି ପ୍ରଦାନ କରାଯାଉଛି।

ଏକ ଗହଣା ପ୍ରତିଷ୍ଠାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏଥର ସୁନା ଗହଣାର ଚାହିଦା ବେଶ୍‌ ସୁଦୃଢ଼ ରହିଛି। ଆଗକୁ ବିବାହ ଋତୁ ଥିବାରୁ ଲୋକମାନେ ସୁନା ଚେନ୍, ମୁଦି, ହାର, କାନଫୁଲ ଆଦି କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। କିଛି ଲୋକ ସୁନା କଏନ ମଧ୍ୟ କିଣୁଛନ୍ତି। ଗତବର୍ଷ ତୁଳନାରେ ଏଥର ଯଥେଷ୍ଟ ଅଧିକ ସୁନା ବିକ୍ରି ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଅନ୍ୟ ଏକ ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି ଯେ ଦୋକାନରେ ଏଥର ପ୍ରବଳ ଭିଡ଼ ହେବାର ବହୁତ ସମ୍ଭାବନା ରହିଛି। ଭିଡ଼କୁ ନିୟନ୍ତ୍ରଣ କରିବା ସହ ଗ୍ରାହକମାନଙ୍କୁ ସେମାନଙ୍କ ପସନ୍ଦର ଗହଣା ଯୋଗାଇ ଦେବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି।

The New Indian Express

ଧନରେତସ୍‌ ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଲୋକମାନଙ୍କ ବିଶ୍ବାସ ରହିଛି। ସେହି ବିଶ୍ବାସକୁ ଆଧାର କରି ସହରରେ ଥିବା ଗହଣା ସୋ’ରୁମ୍‌ଗୁଡ଼ିକ ନିଜ ସୋ’ରୁମ୍‌ରେ ଆକର୍ଷଣୀୟ ଡିଜାଇନ୍‌ର ଗହଣା ଭର୍ତ୍ତି କରିଛନ୍ତି। ଧନ୍‌ତେରସ୍‌ ଯୋଗୁଁ କେବଳ ସୁନା ଦୋକାନ ନୁହେଁ, ସହରର ପୋଷାକ ବଜାର ଏବଂ ଇଲେକ୍ଟ୍ରୋନିକ୍ସ ଦୋକାନଗୁଡ଼ିକରେ ମଧ୍ୟ ପ୍ରବଳ ଉତ୍ସାହ ଦେଖାଦେଇଛି। ଇଲେକ୍ଟ୍ରୋନିକ୍ସ ସୋ’ରୁମ୍‌ଗୁଡ଼ିକ ପକ୍ଷରୁ ମଧ୍ୟ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ଟିଭି, ଫ୍ରିଜ୍, ୱାସିଂ ମେସିନ୍, ଏସି, ମାଇକ୍ରୋଓଭେନ୍, ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଆସେସୋରିଜ୍ ଉପରେ ଆକର୍ଷଣୀୟ ଅଫର ରହିଛି। ସହଜ ଇଏମ୍‌ଆଇ, ଶୂନ ଡାଉନ୍‌ପେମେଣ୍ଟ୍‌ ଭଳି ସୁବିଧାରେ ଗ୍ରାହକମାନଙ୍କୁ ସାମଗ୍ରୀ ଯୋଗାଇବା ଲାଗି ସୋ’ରୁମ୍‌ଗୁଡ଼ିକ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର