ଧନତେରାସ୍‌‌‌ରେ ୩ ଗହଣା ଦୋକାନରୁ ଚୋରି, ଧୂର୍ତ୍ତ ଗିରଫ

୨ ସୁନାମୁଦି ଓ ନକଲି ଚେନ୍‌ ଜବତ, ବର୍ଷକ ତଳେ ବି ଚୋରି କରିଥିଲା

ଭୁବନେଶ୍ୱର: ରାଜଧାନୀର ୩ଟି ଗହଣା ଦୋକାନରୁ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବିଷ୍ଣୁ ଚରଣ ଜେନା (୫୮)। ପୁଲିସ ତା’ ନିକଟରୁ ୨ଟି ସୁନା ମୁଦି ଓ ନକଲି ଚେନ୍‌ ଜବତ କରିଛି। ଶୁକ୍ରବାର ଧନତେରାସ୍‌ ଅବସରରେ ଗହଣା ଦୋକାନଗୁଡ଼ିକରେ ଭିଡ଼ର ସୁଯୋଗ ନେଇ ବିଷ୍ଣୁ ଗହଣା ଚୋରି କରିଥିବା ପୁଲିସ କହିଛି।

ପୁଲିସ ସୂଚନା ମୁତାବକ, ଗତକାଲି ସଂଧ୍ୟାରେ ବିଷ୍ଣୁ ପ୍ରଥମେ ଖିମ୍‌ଜୀ ଜୁଏଲାରିକୁ ଯାଇଥିଲା। ସେଠାରେ ସେଲ୍ସମ୍ୟାନ୍‌ଙ୍କୁ ଗହଣା ଦେଖାଇବାକୁ କହିଥିଲା। ଗହଳିର ସୁଯୋଗ ନେଇ ଗୋଟିଏ ସୁନା ମୁଦି ଚୋରି କରି ଫେରାର୍‌ ହୋଇଯାଇଥିଲା। ପରେ ସେ ଆନନ୍ଦ ଜୁଏଲାରିରୁ ସମାନ ଢଙ୍ଗ‌‌ରେ ଆଉ ଗୋଟିଏ ମୁଦି ଚୋରି କରିଥିଲା। କିନ୍ତୁ ଲାବଣ୍ୟ ଜୁଏଲାରିରେ ତା’ କଳା କାରନାମା ଧରା ପଡ଼ି ଯାଇଥିଲା। ସେଠାରେ ସେ ଏକ ନକଲି ସୁନାହାରକୁ ବଦଳାଇ ଅସଲି ନେଉଥିବା ବେଳେ କର୍ମଚାରୀମାନେ ତାକୁ ମାଡ଼ି ବସିଥିଲେ। ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚି ଯାଞ୍ଚ କରିବାରୁ ତା’ ପକେଟ୍‌ରୁ ୨ଟି ମୁଦି ଓ ୨ଟି ନକଲି ସୁନା ଚେନ୍‌ ଜବତ ହୋଇଥିଲା। ସେ ଗହଣାର ବିଲ୍‌ ଦେଖାଇ ନପାରିବାରୁ ତାକୁ ଗିରଫ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗତବ‌ର୍ଷ ମଧ୍ୟ ବିଷ୍ଣୁ ଲାବଣ୍ୟ ଜୁଏଲାରିରୁ ଗୋଟିଏ ସୁନା ମୁଦି ଚୋରି କରି ଫେରାର୍‌ ହୋଇଯାଇଥିଲା। ଧନତେରାସ୍‌ ପରଦିନ ସିସିଟିଭି ଫୁଟେଜ୍‌ ଯାଞ୍ଚ ବେଳେ ଏ ସଂପର୍କରେ ଜଣାପଡ଼ିଥିଲା। ତେବେ ଏବର୍ଷ ବି କାଳେ ସେ ଚୋରି କରିବା ପାଇଁ ଆସିପାରନ୍ତି ଭାବି ଜୁଏଲାରି କର୍ମଚାରୀମାନେ ସମସ୍ତ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ସତର୍କ କରାଇ ଦେଇଥିଲେ।

ସମ୍ବନ୍ଧିତ ଖବର