ବାଲିପାଟଣା : ଧନୁଆ ଆଁ ରେ ବେଲମରା ଗାଁ

ବାଲିପାଟଣା : ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଆଳିଶି ପଞ୍ଚାୟତର ବେଲମରା ଗାଁ। ଧନୁଆ ନଈ ଏହି ଗାଁର ଚିରଶତ୍ରୁ। ଭାର୍ଗବୀ ନଦୀର ଅଚ୍ୟୁତପୁର କାଜରୁ ପାଣି ଗଡ଼ିବା ପରେ ପରେ ହିଁ ପ୍ରଥମେ ବେଲମରା ଜଳବନ୍ଦୀ ହୋଇଯାଏ। ଗହୀର ମଝିରେ ଥିବା ଏହି ଗାଁ ପୂରା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଫଳରେ ବନ୍ୟା ଏହି ଗାଁ ପାଇଁ କାଳ ପାଲଟିଯାଏ। ବିଶେଷକରି ଏହି ଗାଁର ଅଧିବାସୀମାନେ ଗରିବ ଶ୍ରେଣୀର ହୋଇଥିବାରୁ ବନ୍ୟା ଆସିଲେ, ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଏ।

ଚଳିତ ବନ୍ୟା ସମଗ୍ର ବ୍ଲକରେ ଏହି ଗାଁକୁ ବେଶି କ୍ଷତିଗ୍ରସ୍ତ କରିଛି। ଗ୍ରାମବାସୀମାନେ ପିଇବା ପାଣି ବିନା ବେଶି ହନ୍ତସନ୍ତ ହୋଇଛନ୍ତି। ୨୧ଟି ଦଳିତ ପରିବାରକୁ ନେଇ ଗଠିତ ଏହି ଗାଁର ଲୋକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ବେଳେ ବନ୍ୟା ଦାଉ ସାଧିଛି। ବନ୍ୟା ପାଣି ଛାଡ଼ି ଯାଇଥିଲେ ବି ଲୋକଙ୍କ ପାଖରେ ଭଲରେ ମୁଠାଏ ଖାଇବାକୁ କିଛି ନାହିଁ। ପ୍ରଶାସନ ବନ୍ୟା ସହାୟତା ଦେବା ପୂର୍ବରୁ ଏମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଏମିତି ସମୟରେ ରିଲିଫ୍ ବାଣ୍ଟୁଥିବା ବିଭିନ୍ନ ସଂସ୍ଥା ମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ନାହାନ୍ତି। ତେଣୁ ଏବେ ବି କିଛି ପରିବାର ଭୋକ ଉପାସରେ ପଡ଼ି ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ କିଛି ବର୍ଷ ହେଲା ଏହି ଗାଁର ଲୋକେ ବିଭିନ୍ନ ରୋଗରେ ଶିକାର ହୋଇ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି। ଗୋଟିଏ ପରିବାରର ବାପା ଓ ପୁଅ ଆଗପଛ ହୋଇ ମୃତ୍ୟୁବରଣ କରିବା ପରେ ଉକ୍ତ ପରିବାରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୨ ବର୍ଷ ଭିତରେ ୩ ଜଣ ଯୁବକଙ୍କ ସମେତ ୩ ପୁରୁଷ ଏବଂ ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁକୁ ନେଇ ଗାଁ ଲୋକଙ୍କ ଚିନ୍ତା ବଢ଼ିଛି। ଆର୍ଥିକ ଅନାଟନରେ କାଳ କାଟୁଥିବା ଗ୍ରାମବାସୀମାନେ ବନ୍ୟା ଆସିଲେ, ଆହୁରି ଅଧିକ ଚିନ୍ତିତ ହୋଇ ପଡ଼ନ୍ତି। ଘରେ ରୋଜଗାରିଆ ପୁରୁଷ ନଥିବା ପରିବାର ବେଶି ହୀନସ୍ତା ହୁଅନ୍ତି। ସେମିତି ଏକ ପରିବାର ହେଉଛି ସୁଲୋଚନାଙ୍କ ସଂସାର। ବୃଦ୍ଧ ଶାଶୂ ଓ ୨ ପିଲାଙ୍କୁ ଧରି ସୁଲୋଚନା ବନ୍ୟା ପାଣି ଘେରରେ ଦୀର୍ଘ ୬ଦିନ ଦୁଃଖକଷ୍ଟରେ ବିତାଇଛନ୍ତି। ପାଖରେ କାଣି କଉଡ଼ିଟିଏ ନାହିଁ। ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ ନ କରି ପାରି ସେ ଅସହାୟ ହୋଇପଡ଼ିଛନ୍ତି। କୌଣସି ସ୍ବେଚ୍ଛାସେବୀ ସଂସ୍ଥା କିମ୍ବା ସରକାରଙ୍କ ତରଫରୁ ଉକ୍ତ ପରିବାରକୁ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର