ଖଣ୍ଡଗିରି: ପ୍ରାଚୀନ ଚିକିତ୍ସା ବିଜ୍ଞାନ ଆୟୁର୍ବେଦର ପ୍ରବର୍ତ୍ତକ ଧନ୍ବନ୍ତରୀଙ୍କ ଜୟନ୍ତୀ ଅବସରରେ ରାଜଧାନୀରେ ଏକ ଗଣଦୌଡ଼ର ଆୟୋଜନ କରାଯାଉଛି। ଭୁବନେଶ୍ବର ଭରତପୁରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଯକୃତ ବିକାର ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ଏହି ଗଣଦୌଡ଼ ଆୟୋଜନ କରାଯାଇଛି। ଆସନ୍ତା ୫ତାରିଖରେ ଧନ୍ବନ୍ତରୀଙ୍କ ଜୟନ୍ତୀ ପାଳିତ ହେଉଥିବା ବେଳେ ୪ ତାରିଖରେ ଗଣଦୌଡ଼ ସମାହିତ ହେବ। ସକାଳ ୬ଟାରେ ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କରୁ ଆରମ୍ଭ ହେବାକୁ ଥିବା ଏହି ଗଣଦୌଡ଼ ଶିଶୁଭବନ ଛକ ଦେଇ ରାଜମହଲ ଓ ମାଷ୍ଟରକ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଯିବ ଓ ସେଠାରୁ ପୁଣି ଫରେଷ୍ଟ ପାର୍କକୁ ଫେରିବ। ଏହି ଅବସରରେ ମାଗଣାରେ ଔଷଧୀୟ ଚାରା ବଣ୍ଟନ କରାଯିବ ଓ ବିଭିନ୍ନ ରୋଗ ଏବଂ ତା’ର ଚିକିତ୍ସା ବାବଦରେ ଡାକ୍ତରମାନେ ପରାମର୍ଶ ଦେବେ। ଆଜି ଏକ ସମ୍ବାଦିକ ସମ୍ମିଳନୀରେ ସଂସ୍ଥାନର ନିର୍ଦେଶକ ଡାକ୍ତର ଜୟରାମ ହାଜ୍ରା ସୂଚନା ଦେଇ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ରାଜଧାନୀର ବିଭିନ୍ନ ସ୍କୁଲ କଲେଜରୁ ପ୍ରାୟ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ, ବିଭିନ୍ନ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ଓ ବହୁ ବୁଦ୍ଧିଜୀବୀମାନେ ସାମିଲ୍ ହେବେ। ଜନସାଧାରଣଙ୍କୁ ଆୟୁର୍ବେଦ ଚିକିତ୍ସା ବାବଦରେ ଅଧିକ ସଚେତନ କରାଇବା ହେଉଛି ଏହି ଗଣଦୌଡ଼ର ମୂଳଲକ୍ଷ୍ୟ। ସମ୍ପ୍ରତି ଆୟୁର୍ବେଦ ଚିକିତ୍ସା ବହୁ ଅଗ୍ରଗତି କରିଥିବା ବେଳେ ସମଗ୍ର ବିଶ୍ବରେ ଏହାର ଆଦୃତି ବଢ଼ି ଚାଲିଛି। ସଂକ୍ରାମକ ରୋଗ ବହୁ ପରିମାଣରେ ହ୍ରାସ ପାଇଥିବା ବେଳେ ଆଧୁନିକ ଜୀବନଚର୍ଯ୍ୟାକୁ ନେଇ ମଣିଷ ବିଭିନ୍ନ ରୋଗର ଶିକାର ହେଉଛି। ତେଣୁ ମଣିଷ କିଭଳି ନାନା ରୋଗର ଶିକାର ନହେବ, ଏହି ବାର୍ତା ପ୍ରଚାର କରିବା ହେଉଛି ଗଣଦୌଡ଼ ଆୟୋଜନର ମୂଳଲକ୍ଷ୍ୟ। ୨୦୧୪ ମସିହାରୁ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଧନ୍ବନ୍ତରୀ ଜୟନ୍ତୀ ଅବସରରେ ଏଥିପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଡାକ୍ତର ହାଜ୍ରା କହିଥିଲେ। ଏହି ସମ୍ମିଳନୀରେ ସଂସ୍ଥାନର ପରାମର୍ଶ କମିଟିର ସଦସ୍ୟ ଡାକ୍ତର ଏମ୍ଏମ୍ ପାଢ଼ୀ ଉପସ୍ଥିତ ଥିଲେ।
ଧନ୍ବନ୍ତରୀ ଜୟନ୍ତୀ ଅବସରରେ ଗଣଦୌଡ଼
/sambad/media/post_attachments/wp-content/uploads/2018/06/running-a-race.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)