ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ

‘ଧରମା’ ପତ୍ରିକା ଲୋକାର୍ପିତ

ଭୁବନେଶ୍ୱର : ଉପଯୁକ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇବା ସମସ୍ତଙ୍କ ମୌଳିକ ଅଧିକାର। ଏଥିରୁ ନିର୍ମାଣ ଶ୍ରମିକଙ୍କ ପିଲାମାନେ ବାଦ୍‌ ପଡ଼ିବା ଉଚିତ ନୁହେଁ। ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳ ବୁଲି ରାଷ୍ଟ୍ର ନିର୍ମାଣରେ ବିଶେଷ ଭୂମିକା ଗ୍ରହଣ କରୁଥିବା ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ଶିକ୍ଷା ତଥା ସ୍ୱାସ୍ଥ୍ୟ ସୁବିଧା ପାଇବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଦରକାର। ନିର୍ମାଣ ଶ୍ରମିକଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଧରମା ଫାଉଣ୍ଡେସନ୍‌ ପକ୍ଷରୁ ଇଡକଲ ଅଡିଟୋରିୟମରେ ଅନୁଷ୍ଠିତ ‘ଧରମା’ ପତ୍ରିକା ଲୋକାର୍ପଣ ଉତ୍ସବରେ ଏପରି ମତପ୍ରକାଶ ପାଇଛି। ଏହି ଉତ୍ସବରେ ପରିବହନ କମିସନର୍‌ ମଧୁସୂଦନ ପାଢ଼ୀ ମୁଖ୍ୟଅତିଥି, ଅର୍ଥନୀତିଜ୍ଞ ଗୋଲକ ବିହାରୀ ନାଥ, ଶିକ୍ଷାବିତ୍‌ ଧନେଶ୍ୱର ସାହୁ, ଶ୍ରମିକ ନେତା ଅନୀଲ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ନିର୍ମାଣ ଶ୍ରମିକଙ୍କ ଅଧିକାର ତଥା ସେମାନଙ୍କ ପିଲାମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗର ବାର୍ତା ପହଞ୍ଚାଇବା ନେଇ ସ୍ୱପ୍ନା ସାମଲ, ତପନ ସାହୁ, କରିସ୍ମା ସାହୁ, ସ୍ମରଣିକା ନାୟକ, ଲକ୍ଷ୍ମୀପ୍ରିୟା ବେହେରା, କରୁଣାକର ସିଂହ, ବାସନ୍ତୀ ମୁଣ୍ଡା ଓ ସଉନା କିସ୍କୁ ପ୍ରମୁଖଙ୍କୁ ବ୍ରାଣ୍ଡ ଆମ୍ବାସଡର୍‌ ଭାବେ ଘୋଷଣ କରାଯାଇଥିଲା।

ଧରମା ଫାଉଣ୍ଡେସନ୍‌ର ମ୍ୟାନେଜିଂ ଟ୍ରଷ୍ଟି ରକ୍ଷାକର ଅନୁପମ ସ୍ୱାଗତ ଭାଷଣ ଦେଇଥିଲେ। ଶିକ୍ଷାବିତ୍‌ ଲକ୍ଷ୍ମୀଧର ମିଶ୍ର ଅଧ୍ୟକ୍ଷତା କରିଥିଲେ। ସମାଜସେବୀ ସୁଷମା ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର