ଧରାବତରିଲେ ମା’ ଧନଦାତ୍ରୀ: ରାଜଧାନୀର ୩୦ରୁ ଅଧିକ ମଣ୍ଡପରେ ଲକ୍ଷ୍ମୀପୂଜା

କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ଦର୍ଶନ ମନା

ଭୁବନେଶ୍ବର: ରଙ୍ଗିନ ସାଜସଜ୍ଜା କି ଜାକଜମକରେ ନୁହେଁ; ଭକ୍ତିମୟ ପରିବେଶରେ ଏଥର ନିରାଡ଼ମ୍ବରରେ ଧରାବତରଣ କରିଛନ୍ତି ମା’ ଧନଦାତ୍ରୀ। ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ଓ ବ୍ୟବସାୟୀ ସଂଘ ପକ୍ଷରୁ ବିଧି ମୁତାବକ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ତେବେ କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ଦର୍ଶନ ମନା ହୋଇଥିବା ବେଳେ ମାତ୍ର ୭ଜଣ ପୂଜକ ଓ କର୍ମକର୍ତାଙ୍କ ମଧ୍ୟରେ ସୀମିତ ରହିଛି ପୂଜାମଣ୍ଡପ। ସବୁଠି ମାତ୍ର ୪ଫୁଟ୍ ଉଚ୍ଚତା ବିଶିଷ୍ଟ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି।
ଏଥର ରାଜଧାନୀର ପ୍ରାୟ ୩୦ରୁ ଅଧିକ ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ପାଉଛନ୍ତି। ଆଜି ଅପରାହ୍‌ଣରୁ ମା’ଙ୍କ ଉଦ୍ଦେଶ୍ୟରେ ସହରର ବିଭିନ୍ନ ଜଳାଶୟରୁ କଳସ ଅଧିବାସ ଆରମ୍ଭ ହୋଇଯାଇଥିଲା। ରାତି ୯ଟାରୁ ୧୨ଟା ମଧ୍ୟରେ ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା ଓ ବିଭିନ୍ନ ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ସେହିପରି ବିଭିନ୍ନ ପୂଜା କମିଟି ପକ୍ଷରୁ ମା’ଙ୍କ ନିକଟରେ ଖେଚୁଡ଼ି, ପଣା, ଖିରି ଓ ପୁରୀ ଆଦି ଭୋଗ ଲାଗି ହୋଇଥିଲା।

କରୋନା କଟକଣାକୁ ନଜରରେ ରଖି ୭ ଦିନିଆ ପୂଜାକୁ ଏଥର ବି ବିରାମ ଦିଆଯାଇଛି। ଅନେକ ସ୍ଥାନରେ ମା’ଙ୍କୁ ୩ ଦିନ ପୂଜା କରାଯିବା ପରେ ବିସର୍ଜନ କରାଯିବ। ଏମିତିକି ରାଜଧାନୀର କୌଣସି ସ୍ଥାନରେ ମୀନାବଜାର କିମ୍ବା ମେଲୋଡିର ବି ଆୟୋଜନ କରାଯାଇନାହିଁ। ଏଥିପାଇଁ ସହିଦନଗର, ୟୁନିଟ୍‌-୯, ଓୟୁଏଟି, ବାପୁଜୀନଗର, ନହରକଣ୍ଟା, ୟୁନିଟ୍‌-୮, ପୁରୁଣା ଭୁବନେଶ୍ୱର ଓ ଖଣ୍ଡଗିରି ଆଦିରେ ବିଭିନ୍ନ ପୂଜା କମିଟି ପକ୍ଷରୁ ନିରାଡମ୍ବରରେ ମା’ଙ୍କ ପୂଜା କରାଯାଉଛି। ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମୂର୍ତ୍ତିକୁ ଚାରିପଟୁ ବନ୍ଦ ରଖାଯାଇଛି। କିଛି କିଛି ପୂଜାମଣ୍ଡପରେ ଆସନ୍ତାକାଲି କୁମାର ପୂର୍ଣ୍ଣିମା ଅବସରରେ ପୂଜାର୍ଚ୍ଚନା ହେବ ବୋଲି ଜଣାପଡ଼ିଛି।

ସହିଦନଗର ଦୁର୍ଗାପୂଜା କମିଟି ପକ୍ଷରୁ ସନ୍ଧ୍ୟା ୭ଟାରେ ମା’ଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏବର୍ଷ ମା’ଙ୍କ ପାଖରେ ସୁନାରୁପାର ମୁକୁଟ ଅନାବରଣ କରାଯାଇନାହିଁ। ମା’ଙ୍କ ନିକଟରେ ଦହିପଖାଳ, କଦଳୀଭଜା, ଶାଗଭଜା ଭୋଗ ଲାଗି ହୋଇଥିଲା ବୋଲି କମିଟି ସମ୍ପାଦକ ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ବାପୁଜୀନଗର ୟୁଥ୍ ଆସୋସିଏସନ୍ ପକ୍ଷରୁ ୫୬ ବର୍ଷରେ ପଦାର୍ପଣ କରିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ସକାଳେ ପୂଜା ପାଇଁ ଜଳାଶୟରୁ ପାଣି ଅଣାଯିବା ପରେ ସନ୍ଧ୍ୟା ୭ଟାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏଥିପାଇଁ ମା’ଙ୍କ ପାଖରେ ସ୍ୱତନ୍ତ୍ର ଭାବେ ଖିରି ଓ ରସଗୋଲା ଭୋଗ ଲାଗି ହୋଇଥିଲା। ୟୁନିଟ୍‌-୯ସ୍ଥିତ ଭୁବନେଶ୍ୱର ଫ୍ରେଣ୍ଡସ୍ କ୍ଲବ୍ ପକ୍ଷରୁ ମଧ୍ୟ ନିରାଡ଼ମ୍ବରରେ ମା’ ଧନଦାତ୍ରୀଙ୍କର ଆବାହନ କରାଯାଇଛି। ମା’ଙ୍କ ମୁଣ୍ଡରେ ସୁନାରୁପାର ମୁକୁଟ ସାଙ୍ଗକୁ ପାଦରେ ପାଉଁଜି ଶୋଭା ପାଉନି। ସନ୍ଧ୍ୟା ୫ଟାରୁ କଳସ ଯାତ୍ରାରୁ ପୂଜା କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ୭ଟାରେ ମା’ଙ୍କ ଆରାଧନା କରାଯାଇଥିଲା। ତେବେ ପଟିଆ ରଘୁରାଜପୁର ୟୁଥ୍‌ କ୍ଲବ୍‌ ପକ୍ଷରୁ ନିର୍ମିତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଚାନ୍ଦିର ମୁକୁଟ ଓ ଅନ୍ୟାନ୍ୟ ଅଳଙ୍କାର ଶୋଭା ପାଇଥିଲା।

ଏକାମ୍ର କ୍ଷେତ୍ରରେ ଗଜଲକ୍ଷ୍ମୀ ପୂଜା
ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ବିଭିନ୍ନ ପୂଜା ମଣ୍ଡପରେ ମଙ୍ଗଳବାର ବିଳମ୍ବିତ ରାତିରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ବିଧି ଅନୁଯାୟୀ ବିନ୍ଦୁସାଗରରୁ କଳସରେ ତୀର୍ଥଜଳ ଆଣି କଳସ ସ୍ଥାପନା କରାଯିବା ସହ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ହୋଇଥିଲା। କରୋନା କଟକଣା ଯୋଗୁଁ ସର୍ବସାଧାରଣ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ପୁରୁଣା ଭୁବନେଶ୍ବର ଜମେଶ୍ବରପାଟଣା, ବଣିଆସାହି, ବଢ଼େଇବାଙ୍କ ଛକ, ତିନିମୁଣ୍ଡିଆ ଛକ, ଗୋସାଗରେଶ୍ବର ଛକ, ରାମେଶ୍ବରପାଟଣା, ହାଟସାହି, କଞ୍ଚସାହି, ଗ୍ୟାରେଜ୍‌ ଛକ, ରବିଟକିଜ୍‌ ଛକ, ନାଗେଶ୍ବରଟାଙ୍ଗୀ, ମହାବୀର ବଜାର, ସାମନ୍ତରାପୁର ଛକ, ଶ୍ରୀରାମନଗର ଛକ, ପୁନାମାଗେଟ୍‌, କପିଳପ୍ରସାଦ, ଭୀମଟାଙ୍ଗୀ, ପଲାସପଲ୍ଲୀ ଛକ, ଏୟାରପୋର୍ଟ ଛକ, ବଡଗଡ଼, ବ୍ରହ୍ମେଶ୍ବରପାଟଣା ଆଦି ସ୍ଥାନରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଉଛି। ପୂଜା ମଣ୍ଡପ ଆଗରେ ଯେପରି ଭକ୍ତଙ୍କ ଗହଳି ନ ଜମିବ, ସେଥିପାଇଁ ଆଗରେ ପରଦା ଲଗା ଯାଇଛି। ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ କହିବା ଅନୁଯାୟୀ, ଦଶହରା ପରି ମା’ ଗଜଲକ୍ଷ୍ମୀଙ୍କ ପୂଜାରେ ବି କରୋନା କଟକଣା ବଳବତ୍ତର ରହିଛି। ୭ଜଣ ବ୍ୟତୀତ ଅଧିକ ଲୋକ ପୂଜା ମଣ୍ଡପରେ ରହିବେ ନାହିଁ। ସର୍ବସାଧାରଣ ଦର୍ଶନ ଓ ଅନ୍ନପ୍ରସାଦ ସେବନକୁ ମଧ୍ୟ ବାରଣ କରାଯାଇଛି।

କୋଳଥିଆ

ଭୁବନେଶ୍ବର: କୋଳଥିଆସ୍ଥିତ ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦ ପକ୍ଷରୁ ୧୯ତମ ଗଜଲକ୍ଷ୍ମୀ ପୂଜା ନିରାଡ଼ମ୍ବରରେ ପାଳିତ ହୋଇଯାଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ଏଥର ମୂର୍ତ୍ତିର ଉଚ୍ଚତା ୪ଫୁଟ୍‌ରେ ସୀମିତ ରଖାଯାଇଛି। ଶ୍ରଦ୍ଧାଳୁଙ୍କୁ ଦେବୀଦର୍ଶନ ମନା ହୋଇଥିବା ବେଳେ ମଣ୍ଡପ ଚତୁର୍ପାର୍ଶ୍ବକୁ କପଡ଼ା ଦ୍ବାରା ଆବଦ୍ଧ କରାଯାଇଛି। କରୋନା ମାର୍ଗଦର୍ଶିକା ଅନୁଯାୟୀ ପୂଜା ଆଡ଼ମ୍ବରପୂର୍ଣ୍ଣ ହେଉ ନଥିବାରୁ ସୁଉଚ୍ଚ ତୋରଣ ବା ସୌନ୍ଦର୍ଯ୍ୟୀକରଣ ପରିବର୍ତ୍ତେ ରାସ୍ତାକଡ଼ରେ ବୃକ୍ଷରୋପଣ କରାଯିବା ସହିତ ମହାମାରୀ ସହ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସଂଘ ପକ୍ଷରୁ ଆର୍ଥିକ ସହଯୋଗ କରାଯାଇଛି। ସେହିଭଳି ପୂଜା ବଜେଟ୍ ମଧ୍ୟ ଏଥର ୨ଲକ୍ଷ ଟଙ୍କାରେ ସୀମିତ ରଖାଯାଇଛି। ଚଳିତବର୍ଷ ୫ ଦିନ ପାଇଁ ମା’ ମଣ୍ଡପରେ ପୂଜା ପାଇବେ। ଶ୍ରଦ୍ଧାଳୁଙ୍କୁ ମଣ୍ଡପ ମନା ହୋଇଥିବାରୁ ୫ଦିନ ମା’ଙ୍କ ପାଖରେ ଭିନ୍ନ ଭିନ୍ନ ଶୁଖିଲା ଭୋଗ ଲାଗି କରାଯିବ। ତେବେ ଏନେଇ ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦର ସଭାପତି ମନ୍ମଥ ପଟ୍ଟନାୟକ କହିଛନ୍ତି, ପ୍ରତିବର୍ଷ ୨ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପୂଜାରେ ପ୍ରସାଦ ବ୍ୟବସ୍ଥା ହୁଏ। ମାତ୍ର ଏଥର ୭ ଜଣ କର୍ମକର୍ତ୍ତାଙ୍କ ମଧ୍ୟରେ ପୂଜା କାର୍ଯ୍ୟ ସମାପନ ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଥିବାରୁ କେବଳ ବିଧିରକ୍ଷା ପାଇଁ ପୂଜା ହେଉଛି। ସେହିଭଳି ସ୍ବଇଚ୍ଛାରେ ଯେଉଁମାନେ ମଣ୍ଡପକୁ ଆସି ଟଙ୍କା ଦିଅନ୍ତି, ସେତିକିରେ ପୂଜା ହୁଏ। ଏଥର ମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ବାରଣ ଥିବାରୁ ସମସ୍ତ ଖର୍ଚ୍ଚ କମିଟିର ସଦସ୍ୟମାନେ କରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର