ନୂଆଦିଲ୍ଲୀ : କଂଗ୍ରେସ ଦଳ ଏବଂ ଏହାର ସହଯୋଗୀମାନେ କେବଳ ଭୋଟ ବ୍ୟାଙ୍କ ରାଜନୀତିରେ ଲିପ୍ତ। ଅନୁପ୍ରବେଶକାରୀଙ୍କୁ ଭୋଟର୍ କରି ସେମାନେ ନିଜର ରାଜନୈତିକ ରୁଟି ସେକିବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଇଣ୍ଡି ମେଣ୍ଟ ସାଂସଦମାନେ ସଂସଦଠାରୁ ନିର୍ବାଚନ କମିସନ୍‌ ଅଫିସ ଅଭିମୁଖେ ପଦଯାତ୍ରା କରିଥିବା‌ ବେଳେ ଧର୍ମେନ୍ଦ୍ର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଏବଂ ଇଣ୍ଡି ମେଣ୍ଟର ଅନ୍ୟ ନେତାଙ୍କ ଉପରେ ବର୍ଷିଛନ୍ତି।  
ଶ୍ରୀ ପ୍ରଧାନ କହିଛନ୍ତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ନିର୍ବାଚନ କମିସନ ଭଳି ଏକ ନିରପେକ୍ଷ ସଂସ୍ଥା ଉପରେ ଭିତ୍ତିହୀନ ଅଭିଯୋଗ ଆଣି ଦେଶରେ ଅରାଜକତା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ଭଳି ନିୟମିତ ପ୍ରକ୍ରିୟାକୁ ରାଜନୈତିକ ଅସ୍ତ୍ର କରି ଏହି ନେତାମାନେ ଅନୁପ୍ରବେଶକାରୀଙ୍କ ସପକ୍ଷରେ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି। ତେବେ ପରିବାର କ୍ଷମତାଚ୍ୟୁତ ହେବା ବାସ୍ତବରେ ସେମାନଙ୍କୁ ଅଧିକ କଷ୍ଟ ଦେଇଛି। ଇଣ୍ଡି ମେଣ୍ଟର ଲୋକମାନେ ବିଶେଷ ଭାବରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ସବୁବେଳେ ସମ୍ବିଧାନର ଦ୍ୱାହି ଦେଇ ସମ୍ବିଧାନ ବିରୋଧୀ କାମ କରୁଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଭୋଟର ତାଲିକାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନାମ ଯୋଡ଼ିବା କଂଗ୍ରେସର ଭୋଟ ବ୍ୟାଙ୍କ ରାଜନୀତିର ଅସଲ ଚେହେରା। ରାହୁଲ ଗାନ୍ଧୀ ଦେଶର ଅଧିକାର ବିଦେଶୀମାନଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରଥମ ଥର ପାଇଁ ନୁହେଁ ବରଂ ନିର୍ବାଚନ କମିସନଙ୍କ ଏକ ନିୟମିତ ପ୍ରକ୍ରିୟା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ୨୦୧୪, ୨୦୧୯ ଏବଂ ୨୦୨୪ ରେ ଅନେକ ରାଜ୍ୟରେ ଲଗାତାର ପରାଜୟ ଯୋଗୁଁ କଂଗ୍ରେସ ଦଳ ହତାଶାବସ୍ଥାରେ ଅଛି। କଂଗ୍ରେସ ପାଖରେ ନା କୌଣସି ସ୍ପଷ୍ଟ ପ୍ରସଙ୍ଗ ଅଛି , ନା କୌଣସି  ନୀତି ଅଛି। ଏହା କେବଳ ଏକ ପ୍ରତିକ୍ରିୟାଶୀଳ ଶକ୍ତି ଭାବରେ ଇଚ୍ଛାନୁସାରେ ନିଜର ରାଜନୈତିକ କାର୍ଯ୍ୟକ୍ରମ ତିଆରି କରୁଛି।