ଧଉଳି ଶାନ୍ତିସ୍ତପର ପ୍ରତିଷ୍ଠା ଦିବସ

ଶାନ୍ତିସ୍ତୂପର ଅତୀତ ଓ ବର୍ତମାନ ଆଧାରିତ ପୁସ୍ତକ ଉନ୍ମୋଚିତ

ଧଉଳି: ଜାପାନୀ କଳିଙ୍ଗ ନିପନ ବୁଦ୍ଧ ସଂଘ ପକ୍ଷରୁ ଆଜି ଧଉଳି ଶାନ୍ତିିସ୍ତୂପର ୪୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ପ୍ରିଷ୍ଟ୍‌ ଶାନ୍ତି ସୁଗାଇଙ୍କ ପୌରୋହିତ୍ୟରେ ସ୍ତୂପ ପରିସରରେ ଥିବା ‘ସଧର୍ମା ପୀଠ’ରେ ଏକ ଧର୍ମୀୟ ସଭା ଆୟୋଜିତ ହୋଇଥିଲା। ଏଥିରେ ଐତିହାସିକ ଡ. ବିମଳେନ୍ଦୁ ମହାନ୍ତିଙ୍କ ଦ୍ୱାରା ଲିଖିତ ‘ଶାନ୍ତିସ୍ତୂପ ସ୍ଥାପନର ଅତୀତ ଓ ବର୍ତମାନ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ୧୫୨ ପୃଷ୍ଠାର ଏହି ପୁସ୍ତକରେ ଧଉଳିଗିରି ଓ ଏଥିସହ ଜଡ଼ିତ ଶାନ୍ତିସ୍ତୂପ ଐତିହ୍ୟର ମୂଳ ଇତିହାସ ଆଧାରିତ ସମସ୍ତ ପ୍ରାମାଣିକ ତଥ୍ୟ ଓ ରହସ୍ୟର କାହାଣୀ ସଂପର୍କରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଉତ୍କଳ କରାଟେ ସ୍କୁଲ୍‌ର ସଂପାଦକ ହରିପ୍ରସାଦ ପଟ୍ଟନାୟକ ଓ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସମେତ ବୌଦ୍ଧ ସନ୍ନ୍ୟାସୀମାନେ ଶାନ୍ତିସ୍ତୂପ ସ୍ମାରକୀର ସ୍ମୃତିଚାରଣ କରିବା ସହ ଏହାର ବର୍ତମାନର ରୂପରେଖ ସର୍ବୋପରି ସାମଗ୍ରିକ ବିକାଶ ନେଇ ଉଦ୍‌ବୋଧନ ଦେଇଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ସମବେତ ବୌଦ୍ଧ ଭିକ୍ଷୁମାନେ ଏଠାରେ ପହଞ୍ଚି ସ୍ୱତନ୍ତ୍ର ପୂଜାନୀତି ସଂପନ୍ନ କରିବା ସହ ସମୂହ ପ୍ରାର୍ଥନା କରିଥିଲେ। ବୁଦ୍ଧଦେବଙ୍କ ମୁଖନିସୃତ ବାଣୀ ସତ୍ୟ, ଶାନ୍ତି ଓ ଅହିଂସା ଆଦି ମନ୍ତ୍ର ଉଚ୍ଚାରଣ ଧ୍ୱନିରେ ସ୍ତୂପ ପରିସର କମ୍ପି ଉଠିଥିଲା। ନେପାଳ, ମହାରାଷ୍ଟ୍ରର ଓ୍ଵାର୍ଧା, ବିହାରର ରାଜଗିର ଦାର୍ଜିଲିଂ ଓ ଦିଲ୍ଲୀର ଶତାଧିକ ବୌଦ୍ଧ ଭିକ୍ଷୁ ଏଥିରେ ଯୋଗ ଦେଇଥିଲେ। ଶେଷରେ ଜାପାନୀ ନୃତ୍ୟଶିଳ୍ପୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର