ଧଉଳି-କଳିଙ୍ଗ ମହୋତ୍ସବର ଦ୍ବିତୀୟ ସଂଧ୍ୟା: ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

ଧଉଳି: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି ଓ ଆର୍ଟଭିଜନ ମିଳିତ ଆନୁକୂଲ୍ୟରେ ଶାନ୍ତିସ୍ତୂପ ପରିସରରେ ଚାଲିଥିବା ଧଉଳି-କଳିଙ୍ଗ ମହୋତ୍ସବର ଆଜି ଥିଲା ଦ୍ବିତୀୟ ସଂଧ୍ୟା। ସାଂସ୍କୃତିକ ସଂଧ୍ୟାର ପ୍ରଥମ ଓ ଦ୍ବିତୀୟ ସୋପାନରେ ପରିବେଷିତ ଓଡ଼ିଶୀ ନୃତ୍ୟ ମାଧୁର୍ଯ୍ୟ ଦର୍ଶକମାନଙ୍କୁ ଆନମନା କରିଦେଇଥିଲା। ପ୍ରଥମ ପ୍ରସ୍ତୁତିରେ ଓଡ଼ିଶା ଡ୍ୟାନ୍ସ ଏକାଡେମିର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ‌ ମାଧ୍ୟମରେ ଦର୍ଶକମାନଙ୍କୁ ଭେଟି ଦେଇଥିଲେ ମହାମନ୍ତ୍ର ଶାନ୍ତି। ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ଶାନ୍ତି ପୀଠରେ ଶାନ୍ତିମନ୍ତ୍ର ଦର୍ଶକମାନଙ୍କ ମନପ୍ରାଣକୁ ‌ବିମୋହିତ କରିଥିଲା। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି। କୋଲକାତାର ଓଡ଼ିଶୀ ଭିଜନ ଓ ମୁଭମେଣ୍ଟ ସେଣ୍ଟରର ଗୁରୁ ଶର୍ମିଳା ବିଶ୍ବାସ ଓ ସାଥୀ ଶିଳ୍ପୀମାନେ ଅନୁରୂପ ଓଡ଼ିଶୀ ନୃତ୍ୟ ଦ୍ବିତୀୟ ପ୍ରସ୍ତୁତି ଆବାହନୀରେ ମଣିଷର ଅନ୍ତଃଚେତନା ତଥା ସମସ୍ତ ମାନବିକ ମୂଲ୍ୟବୋଧର ଜାଗରଣ ଦର୍ଶକଙ୍କୁ ଅଧ୍ୟାତ୍ମିକ ଭାବନାରେ ତଲ୍ଲୀନ କରିଥିଲା। ପରେ ଶିଳ୍ପୀମାନେ ନୃତ୍ୟର ଆଦ୍ୟ ସାଧନା କଳାଶ୍ରୀ ପରିବେଷଣ କରିଥିଲେ। ଶେ‌ଷ ପ୍ରସ୍ତୁତିରେ ଶିଳ୍ପୀମାନେ ପରିବେଷଣ କରିଥିଲେ ମାୟାମାନବ। ପ୍ରଭୁ ଶ୍ରୀରାମଙ୍କ ମାୟା ମିରିଗ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଶର୍ମିଳା ବିଶ୍ବାସ। କାର୍ଯ୍ୟକ୍ରମର ଶେଷ ପ୍ରସ୍ତୁତିରେ ବେଙ୍ଗାଲୁରୁ ନୃତ୍ୟାନୁଷ୍ଠାନର ଗୁର ରଂଜନ ମୁଲାର୍ଟ ଓ ସାଥୀ ଶିଳ୍ପୀମାନେ ସମରକଳା ନୃତ୍ୟରେ କଲାରିପାଇଟୁ ଭେଟି ଦେଇଥିଲେ। ସଂଧ୍ୟାର ଅତିଥିମାନେ ହେଲେ ଦକ୍ଷତା ଉନ୍ନୟନ ପ୍ରାଧିକାରୀ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ସୁଶ୍ମିତା ବାଗଚୀ, ଓଡ଼ିଆ ଭାଷ‌ା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ପୂର୍ବତନ ଏୟାର ମାର୍ଶାଲ ଅଜିତ ଶଙ୍କର ରାଓ ଭୋନସଲେ, ଓଡ଼ିଶା ଡ୍ୟାନ୍ସ ଏକାଡେମି ସଚିବ ଗୁରୁ ଅରୁଣା ମହାନ୍ତି। ଡ. ମୃତ୍ୟୁଞ୍ଜୟ ରଥ ଓ ଇତିଶ୍ରୀ ଦେବୀ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସମ୍ବନ୍ଧିତ ଖବର