ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା ପାଇବେ ‘ବୁଦ୍ଧ ସମ୍ମାନ’
୪ ଜଣଙ୍କୁ ‘ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ’

Advertisment

ଭୁବନେଶ୍ୱର : ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ୍ୟାନ୍ସ ଏକାଡେମି ମିଳିତ ଆନୁକୂଲ୍ୟରେ ଆସନ୍ତା ଫେବ୍ରୁଆରି ୬ ତାରିଖରୁ ଆରମ୍ଭ ହେବ ୧୭ତମ ‘ଧଉଳି-କଳିଙ୍ଗ ମହୋତ୍ସବ’। ଧଉଳି ପାହାଡ଼ର ପାଦଦେଶରେ ୬ରୁ ୮ ତାରିଖ ୩ ଦିନ ଧରି ତଥା ଆର୍ଟ ଭିଜନ୍ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ଦେଶ ବିଦେଶରୁ ବହୁ ଖ୍ୟାତିସଂପନ୍ନ କଳାକାର ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକନୃତ୍ୟ ଓ ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେବେ। ପ୍ରଥମ ଦିବସରେ ଓଡ଼ିଶା ଡ୍ୟାନ୍ସ ଏକାଡେମି, ଭୁବନେଶ୍ୱର ପକ୍ଷରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। କୋଲକାତାର ‘ଉପାସନା ସେଣ୍ଟର ଫର୍ ଡ୍ୟାନ୍ସ’ ପକ୍ଷରୁ ଅସୀମ ବନ୍ଧୁ ଭଟ୍ଟାଚାର୍ଯ୍ୟ କଥକ ଓ ‘ଅଙ୍ଗିକା’ ଭୁବନେଶ୍ୱର ପକ୍ଷରୁ ସଦାଶିବ ପ୍ରଧାନ ମୟୂରଭଞ୍ଜ ଛଉ ନୃତ୍ୟ ପରିବେଷଣ କରିବେ। ସେହିପରି ଦ୍ୱିତୀୟ ଦିବସରେ ଆର୍ଟ ଭିଜନ୍ ପକ୍ଷରୁ ଇଲିଆନା ସୀତାରିଷ୍ଟ ଓଡ଼ିଶୀ, ଚେନ୍ନାଇର ନୃତ୍ୟାନୁଷ୍ଠାନ ‘ଭାରତାଞ୍ଜଳି’ ପକ୍ଷରୁ ଅନୀତା ଗୁହା ଭାରତନାଟ୍ୟମ୍ ଏବଂ ପୁରୁଲିଆସ୍ଥିତ କାଳୀପଡ଼ା ଛଉ ନୃତ୍ୟ ସମିତି ପକ୍ଷରୁ ସୁଶାନ୍ତ ମାହାତୋ ପୁରୁଲିଆ ଛଉ ନୃତ୍ୟ ପରିବେଷଣ କରିବେ। ଅନ୍ତିମ ଦିବସରେ ଅନୁଗୁଳର ସ୍ୱପ୍ନାରାଣୀ ସିହ୍ନା ଓଡ଼ିଶୀ, ବେଙ୍ଗାଲୁରୁର ବିଜୟନାଥୀ କାଶୀ କୁଚିପୁଡ଼ି ଓ ନୂଆଦିଲ୍ଲୀର ଶଶଧର ଆଚାର୍ଯ୍ୟ ଷଢ଼େଇକଳା ଛଉ ପରିବେଷଣ କରିବେ।

ଏହି ଅବସରରେ ଚଳିତବର୍ଷ ପାଇଁ ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତ ବିଶାରଦ ତଥା ଓଡ଼ିଶୀ ନୃତ୍ୟଗୁରୁ ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ‘ବୁଦ୍ଧ ସମ୍ମାନ’ ପ୍ରଦାନ କରାଯିବ। ସମାନସ୍ୱରୂପ ତାଙ୍କୁ ୧ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ସେହିପରି ଓଡ଼ିଶା ଡ୍ୟାନ୍ସ ଏକାଡେମିର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ’ ପାଇବେ ଖ୍ୟାତିସଂପନ୍ନ କର୍ଣ୍ଣାଟକୀ ବୀଣାବାଦକ କେ. ରାମାରାଓ ପାତ୍ର, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ସ୍ନେହପ୍ରଭା ସାମନ୍ତରାୟ, ଓଡ଼ିଶୀ ନୃତ୍ୟ ସମୀକ୍ଷକ ଶ୍ୟାମହରି ଚକ୍ର ଓ ମରଣୋତ୍ତର ଭାବେ ଶବ୍ଦ ଓ ସଙ୍ଗୀତ ବିନ୍ୟାସର ଯାଦୁକର ସ୍ୱର୍ଗତ ତାରାକାନ୍ତ ପଣ୍ଡା। ସମ୍ମାନସ୍ୱରୂପ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଦ୍ମଶ୍ରୀ ଅରୁଣା ମହାନ୍ତି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଇଲିଆନା ସୀତାରିଷ୍ଟ ପ୍ରମୁଖ ଉପସ୍ଥିତ ଥିଲେ।