ଗୁଞ୍ଜରିତ ହେଲା ଶାସ୍ତ୍ରୀୟ ନୃତ୍ୟ ଓ ସମରକଳା: ଷୋଡ଼ଶ ଧଉଳି-କଳିଙ୍ଗ ମହୋତ୍ସବ ଆରମ୍ଭ

ଧଉଳି: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟଭିଜନ ମିଳିତ ଆନୁକୂଲ୍ୟରେ ଧଉଳି ଶାନ୍ତିସ୍ତୂପ ପରିସରରେ ଥିବା ସାଂସ୍କୃତିକ ନୃତ୍ୟମଣ୍ଡପରେ ଆଜିଠାରୁ ଆରମ୍ଭ ହୋଇଛି ଷୋଡ଼ଶ ଧଉଳି-କଳିଙ୍ଗ ମହୋତ୍ସବ। ସମ୍ରାଟ ଅଶୋକ ଯେଉଁସ୍ଥାନରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ ସେହି ସ୍ଥାନରୁ ଗୁଞ୍ଜରିତ ହୋଇଥିଲା ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ସହିତ ସମରକଳାର ଶିହରଣ ଓ ମୂର୍ଚ୍ଛନା। କାର୍ଯ୍ୟକ୍ରମର ଅନ୍ତିମ ସୋପାନରେ ମୁମ୍ବାଇର ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଓସ୍ତାଦ ଡେବୁ ଓ ସାଥୀ ଶିଳ୍ପୀମାନେ ସମକାଳୀନ ନୃତ୍ୟ ପରିବେଷଣ କରିଥିଲେ। ସାଂପ୍ରତିକ ପରିସ୍ଥିତିରେ ଗାନ୍ଧୀ ଦର୍ଶନ ଶୀର୍ଷକ ସମକାଳ ନୃତ୍ୟର ମାଧୁର୍ଯ୍ୟ ଦର୍ଶକମାନଙ୍କୁ ପୁଲକିତ କରିଥିଲା। ଆଦ୍ୟପର୍ବରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଓଡ଼ିଶା ଡ୍ୟାନ୍ସ ଏକାଡେମି ଏବଂ ସୃଜନ ନୃତ୍ୟାନୁଷ୍ଠାନର ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟରେ ପରିବେଷଣ କରିଥିଲେ ଶୁଦ୍ଧ ପଲ୍ଲବୀ। ଏହାର ରାଗ ଶଙ୍କରାଭରଣ ଓ ହଂସଧ୍ବନୀ, ତାଳ ଥିଲା ଏକତାଳି। ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ବର ମିଶ୍ର ଓ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଅରୁଣା ମହାନ୍ତି ଓ ରତିକାନ୍ତ ମହାପାତ୍ର। ଦ୍ବିତୀୟ ପ୍ରସ୍ତୁତିରେ ମୁମ୍ବାଇର ଲାସ୍ୟ ଡ୍ୟାନ୍ସ ଏଜୁକେସନର ଗୁରୁ ରାଜଶ୍ରୀ ସିର୍‌କେ ଦଳଗତ ନୃତ୍ୟକ୍ରମରେ କଥକ ନୃତ୍ୟରେ ପ୍ରଥମ ପ୍ରସ୍ତୁତିରେ ମହାରାଷ୍ଟ୍ରର ସନ୍ଥ ନାରୀକବୀ କାହ୍ନୋପାତ୍ରଙ୍କ ଜୀବନ ଆଦର୍ଶ ଉପରେ ନୃତ୍ୟନାଟିକା ପରିବେଷଣ କରିଥିଲେ। ପରେ ୨ୟ ପ୍ରସ୍ତୁତିରେ କଥନ ଓ କଥାକାର ଶୈଳୀରେ ମନ୍ଦିରର ପ୍ରଥା ଓ ପରଂପରା ଆଧାରରେ ସେଠାକାର କୀର୍ତ୍ତନ ଦର୍ଶକମାନଙ୍କୁ ବିମୋହିତ କରିଥିଲା।

ଆଜି ସଂଧ୍ୟାରେ ବିଶିଷ୍ଟ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦି, ବିଶିଷ୍ଟ ଭାଷ‌ାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ପ୍ରଶାସକ ଆର ବାଲକ୍ରିଷ୍ଣନ, ଓଡ଼ିଶା ଡ୍ୟାନ୍ସଏକାଡେମିର ସଚିବ ଗୁରୁ ଅରୁଣା ମହାନ୍ତି, ଆର୍ଟଭିଜନର ସଚିବ ଗୁରୁ ଇଲିଆନା ସୀତାରିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ମୃତ୍ୟୁଞ୍ଜୟ ରଥ ଓ ଇତୀଶ୍ରୀ ଦେବୀ।

ସମ୍ବନ୍ଧିତ ଖବର