ଧଉଳି : ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି ଓ ଆର୍ଟଭିଜନ ମିଳିତ ଆନୁକୂଲ୍ୟରେ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଗତ ୩ ଦିନ ଧରି ଚାଲିଥିବା ଷୋଡ଼ଶ ଧଉଳି-କଳିଙ୍ଗ ମହୋତ୍ସବ ଆଜି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସାଂସ୍କୃତିକ ଶାସ୍ତ୍ରୀୟ ସଂଧ୍ୟାରେ ଆୟୋଜକ ଓଡ଼ିଶା ଡ୍ୟାନ୍ସ ଏକାଡେମି ତରଫରୁ ଚଳିତ ବର୍ଷର ରୁଚିବୁଦ୍ଧ ସମ୍ମାନ ସୁନାମଧନ୍ୟ ଓଡ଼ିଶୀ ଗୁରୁ ମାୟାଧର ରାଉତଙ୍କୁ ପ୍ରଦାନ କରାଯାଇଛି। ସେହିପରି ଓଡ଼ିଶୀ ସଙ୍ଗୀତ ଲାଗି ଗୁରୁ ଘନଶ୍ୟାମ ପଣ୍ଡାଙ୍କ ସମେତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅଳକା କାନୁନ୍ଗୋ, ଆମେରିକାର ଅନ୍ତର୍ଜାତୀୟ ଔଷଧ ଓ ଛାତିରୋଗ ବିଶେଷଜ୍ଞ ଡାକ୍ତର ଦେବୀ ମିଶ୍ର, ଆମେରିକାରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କରୁଥିବା ନିରଞ୍ଜନ ତ୍ରିପାଠୀ, ସ୍ବାତୀ ତ୍ରିପାଠୀ ଓ ଲାଇଟ ଡିଜାଇନର ଜୟଦେବ ଦାସଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳ୍ପୀବୃନ୍ଦଙ୍କୁ ସମ୍ମାନିତ କରିଥିଲେ। ଅନ୍ତିମ ସଂଧ୍ୟାର ଶାସ୍ତ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମର୍ଦଳ ବାଦନରୁ। ବିଶିଷ୍ଟ ମର୍ଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ ଓ ସାଥୀ ଶିଳ୍ପୀମାନେ ଅର୍ଦ୍ଧତାଳ ଏଗାରମାତ୍ରାକୁ ଭିତ୍ତିକରି ଓଡ଼ିଶୀ ସଙ୍ଗୀତର ମଧୁର ମୁର୍ଚ୍ଛନାକୁ ପରିବେଷଣ କରିଥିଲେ। ଦ୍ବିତୀୟ ପ୍ରସ୍ତୁତି ଗୁରୁ ରମା ବୈଦ୍ୟନାଥ ଓ ସାଥୀ ଶିଳ୍ପୀମାନେ ଭାରତନାଟ୍ୟମ ପରିବେଷଣ କରିଥିଲେ। ପରେ ଶିବ ଓ ଶକ୍ତିଙ୍କ ମିଳନ ତତ୍ତ୍ବକୁ ଭିତ୍ତିକରି ନୃତ୍ୟ ପରିବେଷିତ ହୋଇଥିଲା। ତୃତୀୟ ପ୍ରସ୍ତୁତିରେ କୃଷ୍ଣପ୍ରେମ ଦର୍ଶକଙ୍କୁ ବିମୋହିତ କରିଥିଲା। ଅନ୍ତିମ ପର୍ଯ୍ୟାୟରେ ମୟୂରଭଞ୍ଜର ନୃତ୍ୟାନୁଷ୍ଠାନର ଗୁରୁ ବିଭୁଦତ୍ତ ଓ ସାଥୀ ଶିଳ୍ପୀମାନେ ଛଉ ନୃତ୍ୟରେ ରଣକୌଶଳର ପରାକାଷ୍ଠା ପ୍ରତିପାଦନ କରିଥିଲେ। ଅନ୍ୟତମ ଅତଥିମାନେ ଥିଲେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚୀନ ରାମଚନ୍ଦ୍ର ଯାଦବ, ଓଡ଼ିଶା ଡ୍ୟାନ୍ସ ଏକାଡେମିର ସଚିବ ଗୁରୁ ଅରୁଣା ମହାନ୍ତି ଓ ଆର୍ଟଭିଜନର ସଚିବ ଗୁରୁ ଇଲିଆନା ସୀତାରିଷ୍ଟ। କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ଓ ଇତିଶ୍ରୀ ଦେବୀ।
ଷୋଡ଼ଶ ଧଉଳି-କଳିଙ୍ଗ ମହୋତ୍ସବ ଉଦ୍ଯାପିତ : ମାୟାଧର ରାଉତଙ୍କୁ ରୁଚିବୁଦ୍ଧ ସମ୍ମାନ
/sambad/media/post_attachments/wp-content/uploads/2020/02/dhauli-kalinga-mahotsav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)