ବିଭୋର୍‌ କଲା ‘ଅର୍ଦ୍ଧନାରୀଶ୍ବର’, ଧଉଳି –କଳିଙ୍ଗ ମହୋତ୍ସବର ଦ୍ବିତୀୟ ସଂଧ୍ୟା

ଧଉଳି: ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡେମି ମିଳିତ ଆନୁକୂଲ୍ୟରେ ଶାନ୍ତିସ୍ତୂପ ଧଉଳି ପରିସର ନାଟ୍ୟମଣ୍ଡପରେ ଆରମ୍ଭ ହୋଇଥିବା ପଞ୍ଚଦଶ ଧଉଳି-କଳିଙ୍ଗ ମହୋତ୍ସବର ଆଜି ଥିଲା ଦ୍ବିତୀୟ ସଂଧ୍ୟା। ଆଜି ଭୁବନେଶ୍ବର ସୃଜନ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ଶିଳ୍ପୀମାନେ ସୃଜନାତ୍ମକ ନୃତ୍ୟରେ ପରିବେଷଣ କରିଥିବା କିରୁବାଣୀ ମାଧୁରିମା ଦର୍ଶକମାନଙ୍କୁ ପୁଲକିତ କରିଥିଲା। କାର୍ଯ୍ୟକ୍ରମର ଦ୍ବିତୀୟ ସୋପାନରେ ଅନୁଷ୍ଠାନର ଶିଳ୍ପୀମାନେ ପୁଣି ଦଳଗତ ନୃତ୍ୟରେ ପରିବେଷଣ କରିଥିବା ଶିବ ପାର୍ବତୀଙ୍କ ଯୁଗ୍ମ ରୂପଚର୍ଯ୍ୟା ‘ଅର୍ଦ୍ଧନାରୀଶ୍ବର’ ନୃତ୍ୟ ଦର୍ଶକମାନଙ୍କୁ ବିଭୋର୍‌ କରିଥିଲା। ଦର୍ଶକମାନେ କରତାଳି ମାରି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ସଙ୍ଗୀତ ସଂଯୋଜନା ଗୁରୁ ଲକ୍ଷ୍ମୀକାନ୍ତ ପାଲିତ କରିଥିବା ବେଳେ ନୃତ୍ୟ ରଚନା କରିଥିଲେ ନିତ୍ୟାନନ୍ଦ ମିଶ୍ର। ନୃତ୍ୟାଭିନୟକୁ ସଂଯୋଜନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର। ଶାସ୍ତ୍ରୀୟ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭୁବନେଶ୍ବର ବାଦ୍ୟବାଣୀ କଳା ଅନୁଷ୍ଠାନର ଗୁରୁ ଧନେଶ୍ବର ସ୍ବାଇଁ ଓ ତାଙ୍କ ସାଥୀମାନଙ୍କ ମିଳିତ ବାଦ୍ୟଯନ୍ତ୍ରର ଧୂନରେ ଦର୍ଶକଙ୍କୁ ଭେଟି ଦେଇଥିଲେ ଅଶାନ୍ତ ମହୋଦଧିର ଭାବଗମ୍ଭୀର ମୂର୍ଚ୍ଛନା। ଅନ୍ତିମ ପର୍ଯ୍ୟାୟରେ ମଣିପୁରର ରାଜେନ ମଙ୍ଗଙ୍ଗ ସମରକଳାକୁ ନୃତ୍ୟରେ ପରିବେଷଣ କରିଥିଲେ ଥାଙ୍ଗ ଥା। ଶାସ୍ତ୍ରୀୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଇ. ଶ୍ରୀନିବାସ ଘଟୁଆରୀ ଓ ତାରିଣୀ ମିଶ୍ର। ଆଜି ଅତିଥି ଭାବେ ପୂର୍ବତନ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ, ପର୍ଯ୍ୟଟନ ବିଭାଗର ଯୁଗ୍ମ ନର୍ଦ୍ଦେଶକ ଉତ୍ପଳ ପତି, ସମାଜସେବୀ ଶାଶ୍ୱତୀ ବଳ ତଥା ଓଡ଼ିଶା ଡ୍ୟାନ୍ସ ଏକାଡେମିର ସଚିବ ଗୁରୁ ଅରୁଣା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର