ଆରମ୍ଭ ହେଲା ଧଉଳି କଳିଙ୍ଗ ମହୋତ୍ସବ : ଶାନ୍ତି ସ୍ତପରେ ସ୍ୱର ଓ ଛନ୍ଦର ସମାହାର

ଭୁବନେଶ୍ୱର : ଶାନ୍ତି ସ୍ତପରୁ ଗୁଞ୍ଜରିତ ହୋଇଛି ସଂଗୀତର ମୂର୍ଚ୍ଛନା। ସବୁଜିମାର ସ୍ନିଗ୍ଧ ପରିବେଶରେ ଚମକ ଆଣିଛି ନୃତ୍ୟ। ସନ୍ଧ୍ୟାରେ ଏମିତି ଏକ ଅବକାଶ ଆଣି ଦେଇଥିଲା ‘ଧଉଳି କଳିଙ୍ଗ ମହୋତ୍ସବ’। ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି ଏବଂ ଆର୍ଟ ଭିଜନ ପକ୍ଷରୁ ଆୟୋଜିତ ଚତୁର୍ଦଶ ମହୋତ୍ସବରେ ସ୍ୱର ଓ ଛନ୍ଦର ବିଶେଷ ଆସର ଦେଖିବାକୁ ମିଳିଛି।

ପ୍ରଥମ ସନ୍ଧ୍ୟାର ଆଦ୍ୟ ସ୍ତବକରେ ଶୁଣିବାକୁ ମିଳିଥିଲା ଯନ୍ତ୍ରୀ ସଂଗୀତର ଫ୍ୟୁଜନ୍‌। ଶିବାଙ୍ଗୀ ଅନୁଷ୍ଠାନର ଶିଳ୍ପୀମାନେ ଶାସ୍ତ୍ରୀୟ ସହ ଆଧୁନିକ ସଂଗୀତକୁ ମିଶ୍ରଣ କରି ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ। ପରବର୍ତୀ ପ୍ରସ୍ତୁତିରେ ଥିଲା ମଣିପୁରର ଅଞ୍ଜିକା ସ୍କୁଲ୍‌ର କଳାକାରଙ୍କ ଦ୍ୱାରା ମଣିପୁରୀ ନୃତ୍ୟ। ‘ଟ୍ୟୁରେଲ୍‌ ନଦୀ’ ସମ୍ବନ୍ଧୀୟ ଏକ କଥାବସ୍ତୁକୁ ନୃତ୍ୟରେ ବଖାଣିଥିଲେ ଶିଳ୍ପୀମାନେ। ମଣିଷ ଓ ଜୀବନର ତୁଳନାତ୍ମକ କଥାସାରକୁ ବ୍ୟକ୍ତ କରିଥିଲେ ଶିଳ୍ପୀ ପ୍ରୀତି ପଟେଲ୍‌ ଓ ସାଥୀ। ଶେଷ କାର୍ଯ୍ୟକ୍ରମ ଥିଲା ଶୁଭଶ୍ରୀ ମୁଖାର୍ଜୀ ଓ ସାଥୀଙ୍କ ଛଉ ନୃତ୍ୟ। ପଞ୍ଚଭୂତକୁ ଅତି ରୋଚକ ଢଙ୍ଗରେ ନୃତ୍ୟରେ ଭେଟି ଦେଇଥିଲେ ଶିଳ୍ପୀବୃନ୍ଦ। ନୃତ୍ୟ ସଂରଚନା କରିଥିଲେ ଗୁରୁ ଇଲିଆନା ସିତାରିଷ୍ଟ। ସଂଗୀତ ସଂଯୋଜନା କରିଥିଲେ ଶାନ୍ତନୁ ମହାପାତ୍ର ଓ ନିରଂଜନ ଭୋଳ।

ଏହି ଅବସରରେ ଓଡ଼ିଶା ଡ୍ୟାନ୍‌ସ ଏକାଡେମି ପ୍ରଦତ୍ତ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପାଇଥିଲେ ଡ.ଏସ୍‌କେ ତାମୋଟିଆ, ଅତୁଲ୍ୟ ମହାକୁଡ଼, ଗୁରୁ ଧନେଶ୍ୱର ସ୍ୱାଇଁ, ଭାଗୀରଥି ଦାସଙ୍କୁ ପ୍ରଦାନ କରାଯାଇଥିଲା।

ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଡ.ମୋନା ଶର୍ମା, ନିର୍ଦେଶକ ଡ.ନୀତିନ ଭାନୁଦାସ ଜଓ୍ଵାଲେ, ଓଡ଼ିଶା ଡ୍ୟାନ୍ସ ଏକାଡେମିର ସଭାପତି ସତ୍ୟାନନ୍ଦ ମିଶ୍ର, ସମ୍ପାଦିକା ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନ୍‌ର ସମ୍ପାଦିକା ଗୁରୁ ଇଲିଆନା ସିତାରିଷ୍ଟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ. ଶ୍ରୀନିବାସ ଘଟୁଆରୀ ଓ ମେଘନା ଦାସ।

ସମ୍ବନ୍ଧିତ ଖବର