ଧଉଳି କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ନୃତ୍ୟରେ ନଦୀର ଗାଥା

ଧଉଳି: ଧଉଳି ଶାନ୍ତିସ୍ତୂପ ପରିସରରେ ଚାଲିଥିବା ଧଉଳି କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ପରିବେଷିତ ଭାରତନାଟ୍ୟମ ଓ ସମରକଳା ନୃତ୍ୟ ଉପସ୍ଥିତ ଦର୍ଶକମାନଙ୍କ ମଧ୍ୟରେ ଉନ୍ମାଦନା ଭରି ଦେଇଥିଲା। ମନୋରଂଜନ ଶାସ୍ତ୍ରୀୟ କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତିରେ ଚେନ୍ନାଇର ଗୁରୁ ଲୀଲା ଶାମସନ ଓ ସାଥୀ ଭାରତନାଟ୍ୟମ ପରିବେଷଣ କରିଥିଲେ। ଏଥିରେ ନଦୀର ଗାଥା ଓ ମଣିଷ ଜୀବନଦର୍ଶନତତ୍ତ୍ୱ ଆଧାରିତ ଦଳଗତ ନୃତ୍ୟ ସୁନ୍ଦର ଭାବେ ଉପସ୍ଥାପିତ ହୋଇଥିଲା। ଏହାର ନୃତ୍ୟ ସଂରଚନା କରିଥିଲେ ନିଜେ ଲୀଲା ଶାମସନ। ଏହା ପୂର୍ବରୁ ନଦୀ ସଂପର୍କିତ ଦେବଦାସ ଛୋଟରାୟଙ୍କ କବିତା ଦର୍ଶକମାନଙ୍କ କରତାଳି ସାଉଁଟିଥିଲା ଦ୍ୱିତୀୟ ପ୍ରସ୍ତୁତିରେ ପୁରୀର ପାଇକସାହି ଯାତ୍ରା ମାଲ୍‌ଖମ୍ବ୍‌ ପରିବେଷଣ ହୋଇଥିଲା। ଗୁରୁ ଜ୍ଞାନରଂଜନ ମହାନ୍ତି ଓ ସହଯୋଗୀ ଶିଳ୍ପୀମାନଙ୍କ ଦେଶାତ୍ମବୋଧକ ନୃତ୍ୟ ଦର୍ଶକମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଆଜି ସନ୍ଧ୍ୟାରେ ଅତିଥିମାନେ ଥିଲେ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଉପେନ୍ଦ୍ର ନାଥ ବେହେରା, ବିଶିଷ୍ଟ ଓଡ଼ିଶୀ ନୃତ୍ୟଙ୍ଗନା ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ଏ. ସୁନ୍ଦରାଜନ, ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଡ. ନିତିନ ଭାନୁଦାସ ଜାେଓ୍ଵଲ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଙ୍ଗନା ତଥା ଓଡ଼ିଶୀ ଡ୍ୟାନ୍ସ ଏକାଡେମିର ସଂପାଦକ ଗୁରୁ ଅରୁଣା ମହାନ୍ତି। ଶାସ୍ତ୍ରୀୟ ସନ୍ଧ୍ୟାକୁ ସଂଯୋଜନା କରିଥିଲେ ଶ୍ରୀନିବାସ ଘଟୁଆରୀ ଓ ମେଘନା ଦାସ ।

ସମ୍ବନ୍ଧିତ ଖବର