ନାବାଳିକା ଅପହରଣ ଘଟଣା, ବିଷ ବୋତଲ ଧରି ଥାନାରେ

ଆତ୍ମହତ୍ୟା ପାଇଁ ଧମକ

ଧଉଳି: ଅପହୃତା ଝିଅକୁ ଉଦ୍ଧାର କରିବାରେ ଧଉଳି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ଆଜି ଏକ ଦମ୍ପତି ଥାନା ଭିତରେ ବିଷ ପିଇ ଆତ୍ମହତ୍ୟା ପାଇଁ ଧମକ ଦେଇଛନ୍ତି। ଆଜି ପୂର୍ବାହ୍ନରେ ସଂପୃକ୍ତ ଦମ୍ପତି ହାତରେ ବିଷ ବୋତଲ ଧରି ଥାନାରେ ପହଞ୍ଚିଥିଲେ। ଝିଅକୁ ତୁରନ୍ତ ଉଦ୍ଧାର ନ କଲେ ଏହିଠାରେ ବିଷ ପିଇ ଉଭୟ ଆତ୍ମହତ୍ୟା ଉଦ୍ୟମ କରିବୁ ବୋଲି ଧମକ ଦେଇଥିଲେ। ଏହି ଘଟଣା ଆଜି ଏଠାରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଗତ ୭ ତାରିଖ ସଂଧ୍ୟା ପ୍ରାୟ ସାଢ଼େ ୭ଟାରେ ନବମ ଶ୍ରେଣୀର ଜଣେ ଛାତ୍ରୀ ଟ୍ୟୁସନ୍‌ରୁ ଘରକୁ ଫେରୁଥିଲେ। ଲିଙ୍ଗିପୁର ଟ୍ରାଫିକ୍‌ ପୋଷ୍ଟ ନିକଟରେ ଜଣେ ଯୁବକ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ତାଙ୍କୁ ବାଇକରେ ଅପହରଣ କରି ନେଇଥି‌ଲେ। ଏ ସଂପର୍କରେ ଛାତ୍ରୀଙ୍କ ବାପା ମା’ ଧଉଳି ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରିଛି। କିନ୍ତୁ ଏହି ଘଟଣାକୁ ଇତିମଧ୍ୟରେ ୪ ଦିନ ବିତି ଯାଇଥିଲେ ହେଁ ପୁଲିସ ଅପହୃତାଙ୍କ ସଂପର୍କରେ ଟେର୍‌ ପାଇପାରିନାହିଁ।

ସମ୍ବନ୍ଧିତ ଖବର