ଧଉଳି: ଜମିଆସିଲାଣି ପର୍ଯ୍ୟଟନ ଋତୁ। ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ତଥା ଐତିହ୍ୟସ୍ଥଳ ଧଉଳିଗିରିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। କିନ୍ତୁ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ବନ୍ଦ ହୋଇଯାଇଥିବାରୁ ପର୍ଯ୍ୟଟକମାନେ ନିରାଶ ହୋଇଫେରୁଛନ୍ତି। ଗତ କିଛି ବର୍ଷ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଏଠାରେ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଥିଲେ ହେଁ ବର୍ତ୍ତମାନ ଅଚଳ ହୋଇପଡ଼ିଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
୨୦୧୫ ମସିହାରେ ୬ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଦିଲ୍ଲୀର ଏକ ଏଜେନ୍ସି ଜରିଆରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ’ ମେସିନ୍ ଲଗାଯାଇଥିଲା। ୩ ବର୍ଷ ଧରି ସୋ’ ଠିକ୍ଠାକ ଚାଲିଥିଲା। ଦିନରୁ ଦିନରୁ ଧଉଳି ଛାଡ଼ି ଚାଲିଯାଉଥିବା ପର୍ଯ୍ୟଟକମାନେ ରାତି ପର୍ଯ୍ୟନ୍ତ ଏହି ସୋ’ ଦେଖିବାକୁ ଅପେକ୍ଷା କରୁଥିଲେ। ଏହି ପ୍ରକଳ୍ପ ପାଇଁ ଧଉଳିକୁ ଆସୁଥିବା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ସଂଖ୍ୟା ବି ବେଶ୍ ବଢ଼ିଚାଲିଥିଲା। ୨୦୧୯ ମସିହା ଫନି ବାତ୍ୟାରେ ମେସିନ୍ ଅଚଳ ହୋଇପଡ଼ିଥିଲା। କିନ୍ତୁ ଓଟିଡିସି ପକ୍ଷରୁ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରୋଜେକ୍ଟର ମରାମତି କରାଯାଇଥିଲା। ସେବେଠୁ ପୁଣି ସବୁ କିଛି ଠିକ୍ ଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ବଜ୍ରପାତରେ ପୁଣି ପ୍ରୋଜେକ୍ଟର ଅକାମୀ ହୋଇଯାଇଛି।
ନୂଆ ପ୍ରୋଜେକ୍ଟର କିଣିବା ନେଇ ଓଟିଡିସିକୁ ପ୍ରସ୍ତାବ ଯାଇଛି। ପ୍ରସ୍ତାବ ଏବେ ଓଟିଡିସି ଫାଇଲ୍ ଭିତରେ। ଅର୍ଥ ମଂଜୁର ହୋଇପାରିନଥିବାରୁ ପ୍ରୋଜେକ୍ଟର ମରାମତି ହେଉନାହିଁ। ଏଣେ ପୁରୀ କୋଣାର୍କ ଭ୍ରମଣରେ ଯାଇଥିବା ପର୍ଯ୍ୟଟକମାନେ ସନ୍ଧ୍ୟା ହେଲେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଦେଖିବାକୁ ଧଉଳିକୁ ଛୁଟିଆସୁଛନ୍ତି। କିନ୍ତୁ ପ୍ରକଳ୍ପ ଅଚଳ ହୋଇଥିବା ଜାଣିବା ପରେ ନିରାଶ ହୋଇ ଫେରୁଛନ୍ତି। ଆଜି ପୁରୀରୁ ଏକ ୩୫ ଜଣିଆ ପର୍ଯ୍ୟଟକ ଦଳ(ଅଣଓଡ଼ିଆ) ଧଉଳି ଆସି ଏହି ସୋ’ ବନ୍ଦ ହୋଇଯାଇଥିବା ଜାଣିବା ପରେ ବେଶ୍ ବ୍ୟଥିତ ହୋଇ ଫେରିଥିଲେ। ଏସଂପର୍କରେ ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଞ୍ଜନ ବାରିକଙ୍କ ସହ ଯୋଗାଯୋକ କରିବା ପରେ ସେ କହିଛନ୍ତି ଯେ ଜିଲ୍ଲାପାଳଙ୍କ ବୈଠକରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହାକୁ ନେଇ ଆଲୋଚନା ହୋଇଛି। ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।