ଧଉଳି: ଧଉଳି ଶାନ୍ତିସ୍ତୂପ ମରାମତି କାମରେ ଲାଗିଥିବା ଶ୍ରମିକମାନଙ୍କୁ ଠିକ ସମୟରେ ମଜୁରି ମିଳୁ ନାହିଁ। ଠିକା ସଂସ୍ଥା ସେମାନଙ୍କୁ ମଜୁରି ଦେଉନଥିବାରୁ ଏହି ପ୍ରବାସୀ ଶ୍ରମିକମାନେ ବଡ଼ ହନ୍ତସନ୍ତ ହେଉଛନ୍ତି। ତେଣୁ ସେମାନେ କାମ ଛାଡ଼ି ପଳାଇବେ ବୋଲି ପ୍ରସ୍ତୁତ ହେଉଛନ୍ତି। ତେବେ ସେମାନେ ଏନେଇ ଭୁବନେଶ୍ବର ଏଡିଏମ୍‌ଙ୍କୁ ଭେଟି ଦୁଃଖ ଜଣାଇବା ପରେ ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶାବାଦୀ ଥିବା କହିଛନ୍ତି।

Advertisment

ଆଜି ଏଡିଏମ୍‌ ପ୍ରଫୁଲ କୁମାର ସ୍ବାଇଁ ଧଉଳି ଶାନ୍ତିସ୍ତୂପ ମରାମତି କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ଅଗଷ୍ଟ ସୁଦ୍ଧା କାମ ସରିବାକୁ ଥିବା ବେଳେ ମରାମତି କାର୍ଯ୍ୟ କେତେ ପ୍ରତିଶତ ଶେ‌ଷ ହୋଇଛି, ତାହା ଦେଖିବାକୁ ଯାଇଥିଲେ। ଏହି ଅବସରରେ ସେ ଓବିସିସି ନିର୍ବାହୀ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ମରାମତି କାମରେ ନିୟୋଜିତ ୨୨ ଜଣ ବଙ୍ଗୀୟ ମିସ୍ତ୍ରୀ ଓ ଅନ୍ୟ ଶ୍ରମିକମାନେ ଏଡିଏମ୍‌ଙ୍କୁ ଶ୍ରୀ ସ୍ବାଇଁଙ୍କୁ ଭେଟିଥିଲେ। ଠିକାଦାର ସେମାନଙ୍କୁ ଦୀର୍ଘ ୨ ମାସର ମଜୁରି ଦେଇନଥିବାରୁ ସେମାନେ ଆଜି କାମ ବନ୍ଦ ରଖିଥିବା ଜଣାଇଥିଲେ। ଏମିତିକି ବକେୟା ମଜୁରି ଟଙ୍କା ମାଗିଲେ, ଠିକାଦାର ସେମାନଙ୍କୁ କାମ ଛାଡ଼ି ଚାଲିଯିବାକୁ ଧମକ ଦେଉଛନ୍ତି ବୋଲି କହିଥିଲେ। ସେମାନଙ୍କ ଗୁହାରି ଶୁଣିବା ପରେ ଏଡିଏମ୍‌ ଶ୍ରୀ ସ୍ବାଇଁ ନିର୍ବାହୀଯନ୍ତ୍ରୀଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ କହିଥିଲେ।

ସୂଚନାଯୋଗ୍ୟ, ଶାନ୍ତିସ୍ତୂପ ଫାଟ ମରାମତି ଓ ରଙ୍ଗ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚତୁଃପାର୍ଶ୍ବରେ ଭଗବାନ ବୁଦ୍ଧଙ୍କ ବିଭିନ୍ନ ମୁଦ୍ରାର ମୂର୍ତ୍ତି ମତାମତି ଏବଂ ସ୍ଥାପନ କାର୍ଯ୍ୟ ବାକି ରହିଛି। ଶାନ୍ତିସ୍ତୂପ ଫାଟ ଓ ମୂର୍ତ୍ତି ମରାମତି ପରେ ପରିସର‌ର ଉନ୍ନତୀକରଣ କାର୍ଯ୍ୟ ହେବ। ସ୍ତୂପ ସମ୍ମୁଖ ପ୍ରବେଶପଥରୁ ୧୯ ମିଟର ଲମ୍ବ ଓ ୧୨ ମିଟର ଚଉଡ଼ାରେ ମାର୍ବଲ ଚଟାଣ ନିର୍ମାଣ ହେବ। ୪ଟି ଅଶ୍ବତ୍‌ଥ ଗଛ ଚାରିପଟରେ ଥିବା ପିଣ୍ଡି ସାନି ନିର୍ମାଣ ହେବ। ସେହିପରି ଚାରିପାଖରେ ପାଥ୍‌ୱେ ନିର୍ମାଣ କରାଯିବା ସହ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିବା କଂକ୍ରିଟ ଚେୟାରସବୁକୁ ହଟାଯିବ। ଆଜି ଏଡିଏମ୍‌ଙ୍କ ସହ ଏସବୁ ଆଲୋଚନା ବେଳେ ଟ୍ୟୁରିଷ୍ଟ୍‌ ଅଫିସର ଅଞ୍ଜନ ବାରିକ ଉପସ୍ଥିତ ଥିଲେ।