୩ ଦିନ କଟକଣା: ନୂଆବର୍ଷରେ ଦିଅଁ ଦର୍ଶନ ମନା, ୩ ଦିନ ବନ୍ଦ ରହିବ ଧଉଳି ଶାନ୍ତିସ୍ତୂପ

ଭୁବନେଶ୍ବର : ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ କରୋନା ଭୂତାଣୁ ମୂ‌ଳପୋଛ ହୋଇନାହିଁ। ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ବି ଭୟ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ କୌଣସି ପ୍ରକାର ଅବହେଳା କରିବାକୁ ଚାହୁନି ବିଏମ୍‌ସି। ଆସନ୍ତାକାଲି (ଶୁକ୍ରବାର) ବର୍ଷର ଅନ୍ତିମ ଦିନ ଓ ପଅର ଦିନ ନୂଆବର୍ଷ। ସାଧାରଣତଃ ଏହି ଦିନଗୁଡ଼ିକରେ ରାଜଧାନୀରେ ଥିବା ବିଭିନ୍ନ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ବାରାରେ ପ୍ରବଳ ଗହଳି ହୋଇଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଆସନ୍ତା ୩ ଦିନ ଅର୍ଥାତ୍‌ ଶୁକ୍ରବାରଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଧର୍ମାନୁଷ୍ଠାନରେ ପ୍ରବେଶ ଉପରେ କଟକଣା ଲଗାଇଛି। ଏ ସଂପର୍କରେ ବିଏମ୍‌ସି ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବର୍ଷ ଶେଷ ଦିନ, ନୂଆବର୍ଷ ଓ ତା’ ପରଦିନ କୌଣସି ଧର୍ମାନୁଷ୍ଠାନରେ ଭକ୍ତଙ୍କୁ ପ୍ରବେଶ କରାଇ ଦିଆଯିବ ନାହିଁ। ଏଥି ପ୍ରତି ସଂପୃକ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ। ଯେଉଁଠି ଏହାର ଉଲ୍ଲଙ୍ଘନ ହେବ, ମହାମାରୀ ଆଇନ ଅନୁଯାୟୀ ସଂପୃକ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ଚେତାଇ ଦେଇଛି। ତେବେ ଦୈନିକ ନିତିକାନ୍ତି ଓ ପୂଜାର୍ଚ୍ଚନା ଚାଲିବାରେ କୌଣସି କଟକଣା ନାହିଁ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

୩ ଦିନ ବନ୍ଦ ରହିବ ଧଉଳି ଶାନ୍ତିସ୍ତୂପ

ଧଉଳି : ନୂଆବର୍ଷରେ ଧଉଳି ଶାନ୍ତିସ୍ତୂପରେ ପ୍ରବଳ ଜନଗହଳି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ଦିନ ଧରି ଶାନ୍ତିସ୍ତୂପ ବନ୍ଦ ରହିବ। ଏନେଇ ଖୋର୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଡିସି (ଧଉଳି ବିକାଶ ସମିତି)ର ଅନ୍ୟତମ ପ୍ରମୁଖ ସଦସ୍ୟ ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ସାହୁ ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନାନୁସାରେ ଆସନ୍ତାକାଲି ୩୧ ତାରିଖଠାରୁ ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଶାନ୍ତିସ୍ତୂପ ବନ୍ଦ ରହିବ। ଆଜି ସଂଧ୍ୟାରୁ ଶାନ୍ତିସ୍ତୂପକୁ ସିଲ୍‌ କରି ଦିଆଯାଇଛି। ତେଣୁ ଏହି ଦିନମାନଙ୍କରେ ଶାନ୍ତିସ୍ତୂପରେ କୌଣସି ପର୍ଯ୍ୟଟକଙ୍କୁ ଧଉଳିଗିରି କିମ୍ବା ଶାନ୍ତିସ୍ତୂପ ବୁଲିବାକୁ ଛଡ଼ାଯିବ ନାହିଁ। ସେହିପରି ଭୋଜି ମଧ୍ୟ ସଂପୂର୍ଣ୍ଣ ବନ୍ଦ ରହିବ। କୌଣସି ଘରୋଇ ପାର୍କ ବା ପିଣ୍ଡିରେ ଭୋଜି କରାଗଲେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏମିତିକି ଶାନ୍ତିସ୍ତୂପରେ କୌଣସି ପର୍ଯ୍ୟଟକ ଗାଡ଼ି ଲାଗିଲେ ଫେରାଇ ଦିଆଯିବ। ଆସନ୍ତା ୩ ତାରିଖ ଠାରୁ ପୂର୍ବଭଳି ଶାନ୍ତିସ୍ତୂପ ପୁଣି ଖୋଲିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର