ଧଉଳି: ଧଉଳି ଶାନ୍ତିସ୍ତୂପରେ ଭୋଜିଭାତ କରିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଉନଥିବାରୁ ପର୍ଯ୍ୟଟକ ସଂଖ୍ୟା ବଢ଼ୁନାହିଁ ବୋଲି ଅଭିଯୋଗ ହେଉଛି। ଗତବର୍ଷ ପର୍ଯ୍ୟଟନ ଋତୁରେ ଦୈନିକ ୫୦ ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଭୋଜିଭାତ କଟକଣା ଯୋଗୁଁ ଏହି ସଂଖ୍ୟା ଏବେ ୪ ହଜାର ମଧ୍ୟ ଛୁଉଁ ନଥିବା ଜଣାଯାଇଛି। ତେବେ ଏହି କଟକଣା ସଂପର୍କରେ ଜାଣି ନଥିବା ବହୁ ପର୍ଯ୍ୟଟକ ଭୋଜି କରିବା ଲକ୍ଷ୍ୟରେ ଆସୁଥିବା ବେଳେ ନିରାଶ ହୋଇ ଫେରୁଥିବା ଦେଖାଯାଉଛି। ରାଜ୍ୟ ଉଦ୍ଭିଦ ଉଦ୍ୟାନ ସମେତ ଭୁବନେଶ୍ୱରର ଏକାଧିକ ପର୍ଯ୍ୟଟନସ୍ଥଳରେ ଭୋଜିଭାତ ପାଇଁ ଅନୁମତି ଦିଆଯାଇଥିବା ବେଳେ ଏଠାରେ କାହିଁକି ଦିଆଯାଉନାହିଁ, ତାହାକୁ ନେଇ ପର୍ଯ୍ୟଟକମାନେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଧଉଳିରେ ଭୋଜି ବାରଣ ହୋଇଥିବାରୁ ଚତୁଃପାର୍ଶ୍ବରେ ସଂରକ୍ଷିତ ବଣଭୋଜି ସ୍ଥଳ ସବୁ ଏବେ ଖାଁ ଖାଁ ହୋଇପଡ଼ିଛି। ଧଉଳି ପଞ୍ଚାୟତ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଓ ଅଶୋକ ସ୍ତମ୍ଭ ନିକଟରେ ନିର୍ମିତ ୧୦ଟି ପିଣ୍ଡିରୁ ପ୍ରତିଦିନ ୩ହଜାର ଟଙ୍କା ଫି’ ଆଦାୟ ହେଉଥିଲା। ହେଲେ ପିଣ୍ଡିଗୁଡ଼ିକ ବନ୍ଦ ରହିବାରୁ ରକ୍ଷଣାବେକ୍ଷଣ ଅଭାବରୁ ତାହା ନଷ୍ଟ ହେବାକୁ ବସିଲାଣି। ସେହିପରି ଧଉଳି ଗାର୍ଡେନ୍, ବହିରଙ୍ଗେଶ୍ବର ପାର୍ଶ୍ବ ଦୟାନଦୀ ଘାଟ, ମହୋତ୍ସବ ପଡ଼ିଆ ଆଖପାଖ ସବୁ ସଂରକ୍ଷିତ ଭୋଜି ସ୍ଥାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ତେବେ ଆଗକୁ ଏହି ସବୁ ପିଣ୍ଡି ଖୋଲାଯିବାକୁ ଥିବା ବେଳେ ପଞ୍ଚାୟତ ଜନପ୍ରତିନିଧି ଏହାର ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ ନକରିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଶାନ୍ତିସ୍ତୂପକୁ ପୁରୀ ଷ୍ଟାଣ୍ଡ ବସ୍ ଚଳାଚଳ ନକରିବା ଏବଂ ଧଉଳି ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ’ କାର୍ଯ୍ୟକ୍ଷମ ନ ହେବା ପର୍ଯ୍ୟଟକ ହ୍ରାସ ପାଇବାର ଆଉ ଦୁଇଟି ପ୍ରମୁଖ କାରଣ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/54gh5s6g456g456dg456daggd-1.jpg)