ହାତୀ ମୃତ୍ୟୁରେ ଢେଙ୍କାନାଳ ଆଗରେ

ପ୍ରଜନନକ୍ଷମ ହାତୀଙ୍କ ସଂଖ୍ୟା ୧୫୦କୁ ଖସିଲା

ଭୁବନେଶ୍ୱର : ସଙ୍କଟରେ ପଡ଼ିଛି ହାତୀ। ଶିକାରୀଙ୍କ କ୍ରୂର ଦୃଷ୍ଟି, ଖଣି ଖାଦାନ ଓ ଦୃତ ଶିଳ୍ପାୟନ ଆସନ୍ତା ୫ ବର୍ଷରେ ହାତୀ ବଂଶକୁ ସମୂଳେ ଧ୍ୱଂସ କରିଦେବା ଭଳି ସ୍ଥିତି ସୃଷ୍ଟି କରିଛି। ୧୯୯୦ରୁ ୨୦୦୦ ମସିହା ମଧ୍ୟରେ ବାର୍ଷିକ ହାରାହାରି ୩୩ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦୦ରୁ ୨୦୧୦ ମାର୍ଚ ମଧ୍ୟରେ ବାର୍ଷିକ ହାରାହାରି ୪୬ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ୨୦୧୦ ମାର୍ଚରୁ ୨୦୧୭ ଡିସେମ୍ବର ୧୨ ତାରିଖ ସୁଦ୍ଧା ବାର୍ଷିକ ହାରାହାରି ୭୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ଅଥଚ ସରକାରଙ୍କ ବନ ବିଭାଗ ହାତୀଙ୍କ ମୃତ୍ୟୁରେ ରୋକ୍‌ ଲଗାଇବା ତ ଦୂରର କଥା ନିୟନ୍ତ୍ରଣକୁ ବି ଆଣିପାରିନି।

ସବୁଠୁ ବଡ଼ କଥା ହେଉଛି, ସଂପ୍ରତି ସାରା ରାଜ୍ୟରେ ଥିବା ୧୯୭୬ଟି ହାତୀ ଥିବା ବେଳେ ତାଙ୍କ ମଧ୍ୟରେ ୩୩୪ଟି ଅଣ୍ଡିରା ହାତୀ ଅଛନ୍ତି। ମାତ୍ର ସେମାନଙ୍କ ମଧ୍ୟରେ ବେଶି ପ୍ରଜନନକ୍ଷମ ଥିବା ଦନ୍ତା ହାତୀଙ୍କ ସଂଖ୍ୟା ୧୫୦ରୁ ବି କମ୍‌। ଯାହା ହାତୀ ସଂଖ୍ୟା ହ୍ରାସ ପାଇବାର ପ୍ରମୁଖ କାରଣ ବୋଲି କହିଛନ୍ତି ସମିତିର ରଂଜିତ କୁମାର ପଟ୍ଟନାୟକ।
ସ୍ଥିତି ପୁଣି ଏମିତି ଯେ, ହାତୀ ମୃତ୍ୟୁ ହାରରେ ଓଡ଼ିଶା ରେକର୍ଡ ରଚିବାକୁ ଯାଉଛି। ଅର୍ଥାତ ୨୦୧୦-୧୧ ବର୍ଷରୁ ଏଯାବତ୍‌ ୫୭୦ଟି ହାତୀଙ୍କ ମୃତ୍ୟୁ ହୋଇଛି। ମାତ୍ର ୨୦୧୦ ଠାରୁ ଏଯାବତ୍‌ ପରିସଂଖ୍ୟାନକୁ ହିସାବକୁ ନେଲେ ଚଳିତ ବର୍ଷ ହାତୀଙ୍କ ମୃତ୍ୟୁ ସଂଖ୍ୟା ସବୁ ରେକର୍ଡ ଭାଙ୍ଗିବ ବୋଲି ଆକଳନ କରାଯାଉଛି। ୨୦୧୭ ମାର୍ଚରୁ ୧୨ ଡିସେମ୍ବର ସୁଦ୍ଧା ୫୯ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୩ ମାସ ବାକି ଥିବାରୁ ଏହି ସଂଖ୍ୟା ୯୦ ଟପିବା ଥୟ ବୋଲି କହିଛନ୍ତି ପରିବେଶବିତ୍‌ ତଥା ସମିତିର ସମ୍ପାଦକ ବିଶ୍ୱଜିତ ମହାନ୍ତି।

ଢେଙ୍କାନାଳ ଜିଲ୍ଲା ହାତୀ ମୃତ୍ୟୁ ହାରରେ ଜିଲ୍ଲା ଭିତ୍ତିରେ ଶୀର୍ଷରେ ରହିଛି। ଗତ ୮ ମାସ ମଧ୍ୟରେ ଏଠାରେ ୧୬ଟି ହାତୀଙ୍କର ମୃତ୍ୟୁ ହୋଇଛି। ରେଙ୍ଗାଲି ଜଳ ପ୍ରକଳ୍ପ ନାଳ ମୁଖ୍ୟ କାରଣ ହୋଇଥିବା ବେଳେ ମୋରମ, ମାଙ୍କଡ଼ା ଓ ମେଟାଲ୍‌ ପଥର ଖାଦାନ ପାଇଁ ଏଠାରେ ହାତୀଙ୍କ ମୃତ୍ୟୁ ସଂଖ୍ୟା ସାରା ରାଜ୍ୟରେ ସର୍ବାଧିକ। ହାତୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ଅନ୍ୟତମ କାରଣ।

୧୯୭୯ ମସିହାରେ ଓଡ଼ିଶାରେ ୨୦୪୪ଟି ହାତୀ ଥିବା ବେଳେ ଏବେ ଏହି ସଂଖ୍ୟା ୧୯୭୬ରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୦ ଏପ୍ରିଲ୍‌ରୁ ଏପର୍ଯ୍ୟନ୍ତ ୯୦ଟି ପ୍ରଜନନକ୍ଷମ ବୃହତ୍‌ ଦନ୍ତାହାତୀ ଶିକାରୀଙ୍କ ଶିକାର ହୋଇଛନ୍ତି। ମୁଖ୍ୟ ବନ୍ୟପ୍ରାଣୀ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ଅପରାଧ କକ୍ଷ ସୃଷ୍ଟି ହୋଇଛି। କିନ୍ତୁ ଏହି କକ୍ଷର ଦେୟମୁକ୍ତ ନମ୍ବର ୯୦ ପ୍ରତିଶତ ଲୋକଙ୍କୁ ମାଲୁମ୍‌ ନାହିଁ। ଅନେକ ହାତୀ ଶିକାରୀ ଗତ ୩୦ ବର୍ଷରେ ବନ ବିଭାଗ ଦ୍ୱାରା ଧରା ହୋଇଛନ୍ତି। କିନ୍ତୁ ଏନେଇ କାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ହାତୀ ସ୍କ୍ଵାଡ କର୍ମଚାରୀ ଚାରା ସୃଷ୍ଟି, ବୃକ୍ଷରୋପଣ, ରୋଷେୟା ଓ ବଙ୍ଗଳା ଚୌକିଦାରୀ କାମରେ ନିୟୋଜିତ ହୋଇଛନ୍ତି। ତେଣୁ ଖୁବ୍‌ଶୀଘ୍ର ବନାଞ୍ଚଳରେ ଥିବା କୂଅଗୁଡ଼ିକୁ ବ୍ୟାରିକେଡ୍‌ ଦ୍ୱାରା ଘେରାଇ ଦିଆଯାଉ। ପ୍ରତ୍ୟେକ ଦିନ ବନାଞ୍ଚଳକୁ ଦୃଷ୍ଟିରେ ରଖାଯାଉ ଏବଂ ଏନେଇ ମାସିକ ରିଭ୍ୟୁ ବୈଠକ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର