ଡରାଇଲା ‘ଡାଏ’, ଜମିଲା ପାଣି, କଟିଲା ବିଦ୍ୟୁତ

୪୦ କିମି ବେଗରେ ପବନ, ୩୦ ଘଣ୍ଟାରେ ୭୪.୯ ମିମି ବର୍ଷା

ଭୁବନେଶ୍ୱର: ବାତ୍ୟା ଆସୁଛି। ପବନ ବାଡ଼େଇବ। ପ୍ରବଳ ବର୍ଷା ହେବ। ଘର ଦ୍ୱାରା ଭାଙ୍ଗିଯିବ। ଲୋକେ ପ୍ରଭାବିତ ହେବେ। ଗତ ୨୪ ଘଣ୍ଟା ହେଲା ବାତ୍ୟା ‘ଡାଏ’କୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। ରେଡ୍‌ ଆଲର୍ଟ ଜାରି ହୋଇଥିବା ୫ଟି ଜିଲ୍ଲା ମଧ୍ୟରେ ଖୋର୍ଧା ରହିଥିବାରୁ ଭୁବନେଶ୍ୱର ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ସେଭଳି କୌଣସି ପ୍ରଭାବ ପଡ଼ିବିନି। ବରଂ ୩୦ରୁ ୪୦ କିମି ବେଗରେ ପବନ ହେବା ସହ ଗତ ୩୦ ଘଣ୍ଟାରେ ୭୬.୯ ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ରାତି ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ମଧ୍ୟରେ ‘ଡାଏ’ ଓଡ଼ିଶା ଉପକୂଳ ଛୁଇଁଥିଲା। ଏହାପରେ ରାତି ପ୍ରାୟ ୩ଟା ବେଳକୁ ଭୁବନେଶ୍ୱରରେ ବାତ୍ୟାର ପ୍ରକୋପ ବଢ଼ିଥିଲା। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିଥିଲା। ପବନ ହେବାରୁ ସହର ଭିତରେ ଓ ଉପକଣ୍ଠରେ ଗଛର ଡାଳ ଭାଙ୍ଗିପଡ଼ିଥିଲା। କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ପବନ ହେବା ସମୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳି ନ ଥିଲା। ସକାଳ ହେବା କ୍ଷଣି ବର୍ଷା ଆରମ୍ଭ ହୋଇଥିଲା। ପୂର୍ବାହ୍ନରେ କିଛି ସମୟ ପାଇଁ ଟାଣ ଖରା ହେବା ପରେ ରାଜଧାନୀ ଆକାଶରେ କଳା ବାଦଲ ଘୋଟି ଆସିଥିଲା। ଝିପିଝିପି ବର୍ଷା ସାଙ୍ଗକୁ ବେଳେବେଳେ ବର୍ଷା ହେଉଥିଲା। ଅପରାହ୍‌ଣ ସାଢ଼େ ୨ଟା ପରେ ଏଭଳି ଲାଗିରହିଥିଲା। ସନ୍ଧ୍ୟାରେ ମଧ୍ୟ କିଛି ସମୟ ପାଇଁ ବର୍ଷା ହୋଇଥିଲା।
ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଥିଲା। ସନ୍ଧ୍ୟା ସୁଦ୍ଧା ବିଏମ୍‌ସି ପକ୍ଷରୁ ଖୋଲାଯାଇଥିବା ଭୁବନେଶ୍ୱର ଅପରେସନ୍‌ ସେଣ୍ଟର(ବିଇସି)କୁ ଜଳବନ୍ଦୀ ଜନିତ ଗୋଟିଏ ଅଭିଯୋଗ ଆସିଥିବା ବେଳେ ଷ୍ଟର୍ମ ଓ୍ଵାଟର କଣ୍ଟ୍ରୋଲ ରୁମ୍‌କୁ ୬ଟି ଅଭିଯୋଗ ଆସିଛି। ଗତ ୧୨ ଘଣ୍ଟା ମଧ୍ୟରେ ସହରରେ ୨୬.୧ ମିମି ବୃଷ୍ଟିପାତ ହୋଇଥିବା ବେଳେ ମହାନଗର ନିଗମ ପକ୍ଷରୁ ୧୧ଟି ପମ୍ପ ବିଭିନ୍ନ ଜଳବନ୍ଦୀ ସ୍ଥାନରେ କାମରେ ଲାଗିଛି। ସେଥିମଧ୍ୟରୁ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ୬ଟି ପମ୍ପ ସହରର ବିଭିନ୍ନ ସ୍ଥାନରେ ଲଗାଯାଇ ଜଳ ନିଷ୍କାସନ କରାଯାଇଛି। ଗୌରୀ ଗାର୍ଡେନ, ଗୌରୀ ନଗର, ରତ୍ନାଭିଲ୍ଲା, ପାଇକନଗର, ମଲ୍ଲିକ କମ୍ପଲେକ୍ସ, ନୀଳକଣ୍ଠନଗର ମନ୍ଦିର, ଗାୟତ୍ରୀ ବିହାର, ଗ୍ୟାରେଜ ଛକ ନିକଟ ସାଇ ମନ୍ଦିର ପ୍ରଭୃତି ସ୍ଥାନରେ ଜଳ ନିଷ୍କାସନ କରାଯାଉଛି। ବିଏମ୍‌ସିର ୬୭ଟି ଓ୍ଵାର୍ଡକୁ ୧୩ଟି ସବ୍‌ଜୋନ୍‌ ଅଞ୍ଚଳରେ ବିଭକ୍ତ କରାଯାଇ ବରିଷ୍ଠ ଅଧିକାରୀ ଏବଂ ଅନୁଗାମୀ ଦଳ ତଦାରଖ କରୁଛନ୍ତି। ସମ୍ବେଦନଶୀଳ ଅଞ୍ଚଳ ପ୍ରତି ଧ୍ୟାନ ଦିଆଯାଇ ୪୦ ଜଣ ଯନ୍ତ୍ରୀଙ୍କୁ ତୁରନ୍ତ ମୁକାବିଲା ପାଇଁ କ୍ଷେତ୍ର ପରିକ୍ରମାରେ ରଖାଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ବର୍ଷାରେ କୌଣସି କ୍ଷୟକ୍ଷତି ହୋଇନି। କର୍ମଚାରୀମାନେ ରାତି ସାରା ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିରେ ଲାଗିପଡ଼ିଥିଲେ।

ଜମିଲା ପାଣି, କଟିଲା ବିଦ୍ୟୁତ
ପୁରୁଣା ଭୁବନେଶ୍ୱର, ୨୧/୯ (ଇମିସ): ବର୍ଷା ଯୋଗୁଁ ଏକାମ୍ର କ୍ଷେତ୍ରରେ କେତେକ ଐତିହ୍ୟସ୍ଥଳୀରେ ପାଣି ଜମି ରହିବା ସହ ବହୁ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଯାଇଛି। ପବନ ଓ ବର୍ଷା ଯୋଗୁଁ ବହୁ ସ୍ଥାନରେ ପାଣି ଜମି ରହିଥିବା ବେଳେ ବିଦ୍ୟୁତ କାଟ୍‌ ସମସ୍ୟା ଦେଖା ଦେଇଥିଲା। ସାମନ୍ତରାପୁର, ନୂଆଗାଁ ସମେତ ବହୁ ସ୍ଥାନରେ ଜମି ରହିଥିିବା ପାଣିକୁ ବିଏମ୍‌ସି ଏବଂ ଦମକଳ ବାହିନୀ ପକ୍ଷରୁ ପମ୍ପ ଦ୍ୱାରା ପାଣି କଢ଼ା ଯାଇଥିଲା। ଏଥି ସହ ଗୌରୀ ନଗର ବସ୍ତି, ଭୀମଟାଙ୍ଗି ତଳ ଫେଜ୍‌ ବସ୍ତି, ଭୀମଟାଙ୍ଗି ଉପର ଫେଜ୍‌ ଅଟାକଳ ଗଳି, ନୂଆଗାଁ ରୁଦ୍ର ବିହାରରେ ପାଣି ପଶିଥିଲା। ତେବେ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଲୋକେ ଦାବି କରିଛନ୍ତି। ସ୍ଥାନୀୟ ଯୁବକ ଶିବ ବେହେରା କୁହନ୍ତି, ଜଳ ନିଷ୍କାସନ ପାଇଁ କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ବର୍ଷା ହେଲେ ପାଣି ଜମି ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛୁ।

ସମ୍ବନ୍ଧିତ ଖବର