ଆରମ୍ଭ ହେଲା ମାଗଣା ରୋଗ ନିରୂପଣ ସେବା ‘ନିଦାନ’

ରୋଗୀ ଖୁସ୍‌, ଦ୍ୱନ୍ଦ୍ୱରେ ହସ୍ପିଟାଲ କର୍ତୃପକ୍ଷ

ଭୁବନେଶ୍ୱର : ପୂର୍ବ ଘୋଷଣା ଅନୁଯାୟୀ ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣା ରୋଗ ନିରୂପଣ ସେବା ‘ନିଦାନ’ ଓ ମାଗଣା ଡାଏଲିସିସ୍‌ ସେବା ‘ସହାୟ’ ଆରମ୍ଭ ହୋଇଛି। ଏହାକୁ ନେଇ ରୋଗୀ ଓ ସଂପର୍କୀୟମାନେ ଆନନ୍ଦ ବ୍ୟକ୍ତ କରିଥିବାବେଳେ କେମିତି ସେବା ପ୍ରଦାନ କରାଯିବ ଏହାକୁ ନେଇ ହସ୍ପିଟାଲ କର୍ତୃପକ୍ଷ କିନ୍ତୁ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ଗତ ୧୯ତାରିଖରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ଏହିସବୁ ସେବାର ଉଦ୍‌ଘାଟନ କରିଥିଲେ। ଏହି ସେବା ଆରମ୍ଭ ହେବା ପରେ ଆଜି କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ରୋଗୀ ମାଗଣାରେ ରୋଗ ନିରୂପଣ କରିଥିଲେ। ଏଥିପାଇଁ ହସ୍ପିଟାଲର ରେଜିଷ୍ଟ୍ରେସନ୍‌ କାଉଣ୍ଟର ନିକଟରେ ମାଗଣା ରୋଗ ନିରୂପଣ ସେବା ‘ନିଦାନ’ର ଏକ ସାଇନ ବୋର୍ଡ ଲଗାଯାଇଥିଲା। ଏହା ସହ ମାଗଣା ଡାଏଲିସିସ୍‌ ସେବା ‘ସହାୟ’ର ଏକ ସାଇନ ବୋର୍ଡ ମଧ୍ୟ ଲଗାଇଥିଲେ ହସ୍ପିଟାଲ କର୍ତୃପକ୍ଷ। ଏଥିରେ ସମୁଦାୟ ୬୪ଟି ସେବାକୁ ମାଗଣାରେ ମିଳିପାରିବ ବୋଲି ଉଲ୍ଲେଖ ରହିଛି। ତହିଁରେ ୧୪ଟି ପରୀକ୍ଷା ଆଉଟସୋର୍ସ ବା ବେସରକାରୀ ସଂସ୍ଥା ଜରିଆରେ କରାଯିବ ବୋଲି ଉଲ୍ଲେଖ କରାଯାଇଛି।

ତେବେ ନୂଆ ବର୍ଷ ପାଇଁ ଆଜି କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ଦେଖିବାକୁ ମିଳି ନ ଥିଲା। ସବୁବେଳେ ଗହଳି ରହୁଥିବା ରେଜିଷ୍ଟ୍ରେସନ୍‌ କାଉଣ୍ଟର ଫାଙ୍କା ଫାଙ୍କା ଥିଲା। ତେବେ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ପକ୍ଷରୁ ଏହି ମାଗଣା ସେବା ପାଇଁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଭାବେ ସମୟ, କେତେ ଜଣଙ୍କ ପରୀକ୍ଷା ଓ କେବେ ରିପୋର୍ଟ ଦିଆଯିବ ତାହା ସଂପର୍କରେ ଉଲ୍ଲେଖ ନ ଥିବାରୁ ରୋଗୀଙ୍କ ମନ ଇଚ୍ଛା ପରୀକ୍ଷା ଦାବିକୁ କିଭଳି ସମ୍ମୁଖୀନ କରାଯିବ ତାହାକୁ ନେଇ ହସ୍ପିଟାଲ କର୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡ଼ିଥିଲା।

କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଦିନରେ ୨୦୦ ରୋଗୀଙ୍କ ପରୀକ୍ଷା ଓ ୨ଜଣଙ୍କ ଡାଏଲିସିସ୍‌

ରାଜ୍ୟ ସରକାରଙ୍କ ଏହି ମାଗଣା ପରୀକ୍ଷା ସେବା ଆରମ୍ଭ ହେବା ପରେ ଆଜି କ୍ୟାପିଟାଲ ହସ୍ପିଟାଲରେ ୨୦୦ ରୋଗୀଙ୍କ ମାଗଣା ପରୀକ୍ଷା ହୋଇଛି। ଏହାସହ ୨ଜଣ ଲୋକଙ୍କ ମାଗଣା ଡାଏଲିସିସ୍‌ କରାଯାଇଛି। ଆଜି ହସ୍ପିଟାଲରେ ଯେଉଁ ସେବା ଉପଲବ୍ଧ ହେଉଛି ତାହାକୁ ରୋଗୀମାନଙ୍କୁ ମାଗଣାରେ ପରୀକ୍ଷା କରାଯାଇଛି। ପୂର୍ବରୁ ହସ୍ପିଟାଲର ରେଜିଷ୍ଟ୍ରେସନ୍‌ କାଉଣ୍ଟରରେ ବିପିଏଲ ରୋଗୀଙ୍କ ବାଦ୍‌ ଅନ୍ୟମାନଙ୍କୁ ଏଥିପାଇଁ ଟଙ୍କା ପଇଠ କରିବାକୁ ପଡ଼ୁଥିବାରୁ ପ୍ରବଳ ଗହଳି ହେଉଥିଲା। ମାତ୍ର ଆଜିଠାରୁ ପରୀକ୍ଷା ମାଗଣା ହୋଇଥିବାରୁ ଆଉ ରୋଗୀଙ୍କ ଭିଡ଼ ନ ଥିଲା। ଅନେକ ଏ ସଂପର୍କରେ ଜାଣି ନ ଥିଲେ ହେଁ ହସ୍ପିଟାଲ ପକ୍ଷରୁ ରୋଗୀମାନଙ୍କୁ ମାଗଣା ପରୀକ୍ଷା ସଂପର୍କରେ ସୂଚନା ଦିଆଯାଇଥିଲା।

ପରୀକ୍ଷାର ସମୟ, ପରିମାଣ ଓ ରିପୋର୍ଟ ଦାଖଲକୁ ନେଇ ଦ୍ୱନ୍ଦ୍ୱ

ହସ୍ପିଟାଲରେ ଯେଉଁ ମାଗଣା ପରୀକ୍ଷା କରାଯିବ, ତାହା ୨୪ ଘଣ୍ଟିଆ କରାଯିବ କିମ୍ବା ଏହାର କୌଣସି ନିର୍ଦ୍ଦିଷ୍ଟ ସମୟ ରହିବ, ସେ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛି ଉଲ୍ଲେଖ କରାଯାଇନାହିଁ। କ୍ୟାପିଟାଲ ହସ୍ପିଟାଲରେ ଏବେ ସକାଳ ୮ଟାରୁ ୧୧.୩୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ରୋଗ ନିରୂପଣ କରାଯାଉଛି। ଏହାସହ ଦିନକୁ କେତୋଟି ପରୀକ୍ଷା କରାଯିବ ଓ ଏ ସବୁର ରିପୋର୍ଟ କେବେ ଦିଆଯିବ ତାହା ସଂପର୍କରେ ମଧ୍ୟ ଉଲ୍ଲେଖ ନାହିଁ। ତେଣୁ ଏହି ସବୁ ପରୀକ୍ଷା ମାଗଣା ଘୋଷଣା ହେବା ପରେ ରୋଗୀମାନଙ୍କୁ କେଉଁ ସମୟରେ ପରୀକ୍ଷା ଓ କେବେ ରିପୋର୍ଟ ଦିଆଯିବ ତାହାକୁ ନେଇ ମଧ୍ୟ କର୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ରୋଗୀ କଲ୍ୟାଣ ସମିତି ଚାଲିବ କେମିତି?

ହସ୍ପିଟାଲରେ କାର୍ଯ୍ୟରତ ରୋଗୀ କଲ୍ୟାଣ ସମିତିର ମୁଖ୍ୟ ଆୟ ହସ୍ପିଟାଲରେ ହେଉଥିବା ପରୀକ୍ଷା ଉପରେ ନିର୍ଭରଶୀଳ। ତେବେ ପରୀକ୍ଷା ବାବଦରେ ହସ୍ପିଟାଲକୁ ଆସୁଥିବା ଅର୍ଥକୁ ସ୍ୱାସ୍ଥ୍ୟାନୁଷ୍ଠାନର ଉନ୍ନୟନ ଖର୍ଚ ଜରିଆରେ ଭରଣା କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ପରୀକ୍ଷା ବାବଦରେ ଆଦାୟ ହେଉଥିବା ଅର୍ଥରୁ ରୋଗୀ ଆଟେଣ୍ଡାଣ୍ଡ, ସିକ୍ୟୁରିଟି ଗାର୍ଡ ଓ ସଫେଇ କର୍ମଚାରୀଙ୍କ ଦରମା ଦିଆଯାଉଛି। ଏଥିରେ ହସ୍ପିଟାଲର ପ୍ରାୟ ୩୫୦ କର୍ମଚାରୀ ରହିଛନ୍ତି। ଏହାସହ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଏହି ଅର୍ଥ ଖର୍ଚ ହେଉଛି। ତେବେ ସରକାରଙ୍କ ପକ୍ଷରୁ କେଉଁ କେଉଁ କ୍ଷେତ୍ରରେ ଏହି ଅର୍ଥକୁ ଭରଣା କରାଯିବ ତାହା ଉଲ୍ଲେଖ ନ ଥିବାରୁ ତାହା ହସ୍ପିଟାଲର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ଆଉଟସୋର୍ସ ସଂସ୍ଥାର ଆସିନି ତାଲିକା

‘ନିଦାନ’ ଯୋଜନାରେ ୬୪ଟି ପରୀକ୍ଷା ମାଗଣାରେ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏଥିରୁ ୧୪ଟି ପରୀକ୍ଷା ଆଉଟସୋର୍ସ ଜରିଆରେ କରାଯିବ। ତେବେ ଏଥିପାଇଁ କେଉଁ ଘରୋଇ ସଂସ୍ଥା ଜରିଆରେ ଏହିସବୁ ପରୀକ୍ଷା କରାଯିବ, ତାହାର ତାଲିକା ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ। ଅପରପକ୍ଷେ ହସ୍ପିଟାଲରେ ଚିକିତ୍ସା କରୁଥିବା ଡାକ୍ତର ବାହାରକୁ ଏଭଳି ପରୀକ୍ଷା ପାଇଁ ଲେଖିପାରିବେ ନାହିଁ। ଫଳରେ ରୋଗୀ-ଡାକ୍ତରଙ୍କ ମଧ୍ୟରେ ଅଯଥାରେ ଅସନ୍ତୋଷ ତେଜିବ ବୋଲି ଅନେକ ଆଶଙ୍କା କରୁଛନ୍ତି।

ମାଗଣା ପରୀକ୍ଷା ଚୋରିକୁ ରୋକିବ କିଏ ?

ସରକାରୀ ଡାକ୍ତରଖାନାରେ ମାଗଣାରେ ରୋଗ ନିରୂପଣ କରାଯିବାକୁ ଘୋଷଣା କରାଯିବା ପରେ ଏହାର ଅପବ୍ୟବହାର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଘରୋଇ ହସ୍ପିଟାଲ କିମ୍ବା ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରୁ ଅନେକ ସରକାରୀ ଡାକ୍ତରଖାନାରେ ନିଜର ପରୀକ୍ଷା କରିବା ଅସମ୍ଭବ ନୁହେଁ ବୋଲି ଅନେକ ଆଶଙ୍କା କରୁଛନ୍ତି। ପୂର୍ବରୁ ହସ୍ପିଟାଲରେ କାର୍ଯ୍ୟରତ ଲାବୋରେଟୋରି ଟେକ୍‌ନିସିଆନ୍‌ ବା ଏଲ୍‌ଟି ଅନ୍ୟ ଘରୋଇ ସଂସ୍ଥାର ପରୀକ୍ଷା କ୍ୟାପିଟାଲ ହସ୍ପିଟାଲରେ କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ହସ୍ପିଟାଲ କର୍ତୃପକ୍ଷ ଏହା ଉପରେ ରୋକ୍‌ ଲଗାଇଥିଲେ। ତେବେ ପୁଣି ଥରେ ଏଭଳି ଆଶଙ୍କା ଏବେ ହସ୍ପିଟାଲ କର୍ତୃପକ୍ଷଙ୍କ ମନରେ ଉଙ୍କି ମାରୁଛି। ଏହି ଚୋରିକୁ କିଭଳି ରୋକାଯିବ ତାହାକୁ ନେଇ କର୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର