ଭୁବନେଶ୍ବର : ରୋଗୀଙ୍କୁ ନେଇ ମେଡିକାଲ୍ ଯିବା ପାଇଁ ହେଉ କିମ୍ବା ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଶେଷ ଦର୍ଶନ କରିବା ଲାଗି ପହଞ୍ଚିବାକୁ ହେଉ। ବିଦ୍ୟୁତ, ପାଣି ପାଇପ୍ ମରାମତି କାମ ହେଉ କିମ୍ବା ଜରୁରୀ କାମରେ ଯିବା ପାଇଁ; ସବୁ କାମ ପାଇଁ ଲୋକଙ୍କ ଲାଇଫ୍ ଲାଇନ୍ ପାଲଟିଛି ଡାଏଲ୍ ୧୦୦ କଣ୍ଟ୍ରୋଲ ରୁମ୍। କରୋନା ମୁକାବିଲା ଲାଗି ଜାରି ରହିଛି ଲକଡାଉନ୍। ରାଜଧାନୀ ଭୁବନେଶ୍ବର ହଟସ୍ପଟ୍ ହୋଇଥିବା ବେଳେ ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଲୋକଙ୍କ ସମସ୍ତ ସୁବିଧା ଯୋଗାଇବାକୁ ୨୪ଘଣ୍ଟିଆ ସେବା ଯୋଗାଇ ଦେଉଛି ପୁଲିସ। ଏଭଳି ସ୍ଥିତିରେ ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସହଯୋଗ କରୁଛି ଡାଏଲ୍ ୧୦୦ କଣ୍ଟ୍ରୋଲ ରୁମ୍। ମେଡିକାଲ କିମ୍ବା ଜରୁରୀ କାମ ଥିବା ବ୍ୟକ୍ତିଙ୍କୁ ଡାଏଲ୍ ୧୦୦ କଣ୍ଟ୍ରୋଲ ରୁମ୍ ତରଫରୁ ମଧ୍ୟ ପାସ୍ ଯୋଗାଇ ଦିଆଯାଉଛି।
ମିଳିଥିବା ସୂଚନା ଅନୁସାରେ, ପ୍ରତିଦିନ ଡାଏଲ୍ ୧୦୦ କଣ୍ଟ୍ରୋଲ ରୁମକୁ ୬ ହଜାରରୁ ଅଧିକ କଲ୍ ଆସୁଛି। ସବୁଠୁ ଅଧିକ ମେଡିକାଲ ସଂକ୍ରାନ୍ତୀୟ କଲ୍ ଆସୁଛି। ମେଡିକାଲ ସଂକ୍ରାନ୍ତୀୟ ପ୍ରାୟ ୭୦ ପ୍ରତିଶତ କଲ୍ ଆସୁଥିବା ରେକର୍ଡ କରାଯାଇଛି। ବିଶେଷକରି ନିୟମିତ ଭାବରେ ମେଡିକାଲକୁ ଡାଏଲିସିସ୍ ପାଇଁ ଯାଉଥିବା କିଡ୍ନି ରୋଗୀ, କେମୋଥେରାପି ପାଇଁ ଯାଉଥିବା କର୍କଟ ରୋଗୀ, ହଠାତ୍ ଅସୁସ୍ଥ ହୋଇ ମେଡିକାଲ ଯାଉଥିବା ରୋଗୀଙ୍କର କଲ୍ ଆସୁଛି। ଏହାସହ ରାଜଧାନୀରେ ରହୁଥିବା ବ୍ୟକ୍ତିଙ୍କର ପୈତୃକ ଗାଁରେ ରହୁଥିବା ପିତାମାତା, ସମ୍ପର୍କୀୟଙ୍କ ଦେହ ଅସୁସ୍ଥ ହେଲେ ସେମାନଙ୍କୁ ଆଣିବା ଲାଗି ଡାଏଲ୍ ୧୦୦କୁ କଲ୍ କରି ପାସ୍ ଲାଗି ଆବେଦନ କରୁଛନ୍ତି। ଗାଁରେ ରହୁଥିବା ପିତାମାତା କିମ୍ବା ସମ୍ପର୍କୀୟଙ୍କ ଲାଗି ମେଡିସିନ୍ ନେଇ ପହଞ୍ଚାଇବା ପାଇଁ ମଧ୍ୟ କଲ୍ ଆସୁଛି। ଏହାସହ ଯେଉଁ ରୋଗୀ ମେଡିକାଲରୁ ଡିସଚାର୍ଜ ହେଉଛନ୍ତି କିମ୍ବା ସମ୍ପର୍କୀୟଙ୍କ ଘରେ ରହି ଚିକିତ୍ସିତ ହେଉଛନ୍ତି, ସେମାନେ ନିଜ ଘରକୁ ଫେରିବା ପାଇଁ କଲ୍ କରୁଛନ୍ତି। କଲ୍ ଆସୁଥିବା ତଥ୍ୟକୁ କଣ୍ଟ୍ରୋଲ ରୁମ୍ ପକ୍ଷରୁ ଭଲ ଭାବେ ଯାଞ୍ଚ କରାଯାଉଛି। ମେଡିକାଲ କାମ ନେଇ କଣ୍ଟ୍ରୋଲ ରୁମ୍ କର୍ମଚାରୀଙ୍କ ହୃଦବୋଧ ହେଲା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପାସ୍ ଦିଆଯାଉଛି। ଏହିପରି ଭାବେ ଦିନକୁ ୫ ଶହରୁ ୬ଶହ ପାସ୍ ଦିଆଯାଉଥିବା ଜଣାପଡ଼ିଛି।
ଯେତିକି ଚ୍ୟାଲେଞ୍ଜ, ସେତିକି ଉତ୍ସାହ
ଡାଏଲ୍ ୧୦୦ କଣ୍ଟ୍ରୋଲ ରୁମ୍ରେ ୨୪ ଘଣ୍ଟା ଆଲର୍ଟ ସହ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ପଡ଼ୁଛି। ଏପରିକି ରାତିଅଧରେ ଗୁରୁତର ରୋଗୀଙ୍କ ଲାଗି ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ମଧ୍ୟ କଲ୍ ଆସୁଛି। ଲୋକଙ୍କୁ ସେବା ଯୋଗାଇ ଦେବା ଆମ ପାଇଁ ଚ୍ୟାଲେଞ୍ଜ ପାଲଟିଛି ବୋଲି କହିଛନ୍ତି ଡାଏଲ୍ ୧୦୦ କଣ୍ଟ୍ରୋଲ ରୁମ୍ ଏସିପି ବାନାମ୍ବର ସେଠୀ। ୧୯୯୯ ମହବାତ୍ୟା କଥା ମନେ ପକାଇ ଶ୍ରୀ ସେଠୀ କହିଛନ୍ତି, ସେତେବେଳେ ସେ କଟକରେ କାର୍ଯ୍ୟରତ ଥିଲେ। ମହାବାତ୍ୟା ମୁକାବିଲା କରିବା ଲାଗି ଦିନରାତି ଏକ ହୋଇଯାଇଥିଲା। ଏବେ କରୋନା ମୁକାବିଲା ଲାଗି ଦିନରାତି ଏକ କରିବାକୁ ପଡ଼ୁଛି। ଲୋକଙ୍କୁ ସେବା ଯୋଗାଇବାରେ ଯଥେଷ୍ଟ ଉତ୍ସାହ ମିଳୁଛି ବୋଲି ଶ୍ରୀ ସେଠୀ କହିଛନ୍ତି। ପୁଲିସ ଲୋକଙ୍କୁ ଯଥାସମ୍ଭବ ସେବା ଯୋଗାଉଛି। ତେଣୁ ବିନା କାମର ଜନତା ବାହାରକୁ ନ ବାହାରି ଘରେ ରହିଲେ ଆମେ କରୋନା ଯୁଦ୍ଧ ଜିତି ପାରିବ ବୋଲି କହିଛନ୍ତି ଶ୍ରୀ ସେଠୀ।
ଧରା ପଡ଼ିଯାଉଛନ୍ତି ଫେକ୍ କଲର୍
ମେଡିକାଲ, ଜରୁରୀ କାମ ଲାଗି ଡାଏଲ୍ ୧୦୦ କଣ୍ଟ୍ରୋଲ ରୁମ୍ ପକ୍ଷରୁ ପାସ୍ ସୁବିଧା କରାଯାଉଛି। କିନ୍ତୁ କିଛି ବ୍ୟକ୍ତି ମିଛ(ଫେକ୍) ଫୋନ୍ କରି ମେଡିକାଲ ସଂକ୍ରାନ୍ତୀୟ ଅସୁବିଧା ଥିବା କହୁଛନ୍ତି। କଣ୍ଟ୍ରୋଲ ରୁମ୍ ପକ୍ଷରୁ କିଛି ଆବଶ୍ୟକ ପ୍ରଶ୍ନ କଲର(ଫୋନ୍ କରିଥିବା ବ୍ୟକ୍ତି)ଙ୍କୁ ପଚରାଯିବା ବେଳେ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଫୋନ୍ କାଟି ଦେଉଛନ୍ତି। କିନ୍ତୁ ଏଭଳି କଲରଙ୍କ ସଂଖ୍ୟା ବହୁ କମ୍ ବୋଲି ଜଣାପଡ଼ିଛି।
ସାପ ପଶିଲେ ଆସୁଛି ଫୋନ୍ କଲ୍
ରାଜଧାନୀରେ ବିଭିନ୍ନ ସମୟରେ ବିଷଧର ସାପ ଘରେ ପଶନ୍ତି। ପ୍ରବଳ ଖରାରେ ସାପ ଘରେ ପଶି ଯାଉଛନ୍ତି। ସାପକୁ ଉଦ୍ଧାର କରିବା ଲାଗି ଲୋକ ଡାଏଲ୍ ୧୦୦କୁ କଲ୍ କରୁଛନ୍ତି। ଡାଏଲ୍ ୧୦୦ ପକ୍ଷରୁ ସ୍ନେକ ହେଲପ ଲାଇନକୁ ଖବର ଦିଆଯାଉଛି। ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରୁଛନ୍ତି। ସେହିପରି କେତେକ ସମୟରେ କୁକୁର କାମୁଡ଼ା ଫୋନ୍ କଲ ବି ଆସୁଛି। ଡାଏଲ୍ ୧୦୦ରୁ ଖବର ପାଇ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ହସ୍ପିଟାଲରେ ଭର୍ତ୍ତି କରୁଛି।
କାମ କରୁଛନ୍ତି ୭୫ କର୍ମଚାରୀ
କରୋନା ମୁକାବିଲା ଲାଗି ସାମୟିକ ଭାବେ ଡାଏଲ୍ ୧୦୦ କଣ୍ଟ୍ରୋଲ ରୁମ୍ କଳେବର ବଢ଼ାଇ ଦିଆଯାଇଛି। ଏକାସାଙ୍ଗରେ ୨୦ରୁ ଅଧିକ ଫୋନ୍ କଲ୍ ରିସିଭ୍ କରି ଉତ୍ତର ଦେବା ଲାଗି କଣ୍ଟ୍ରୋଲ ରୁମକୁ ପ୍ରସ୍ତୁତ କରାଯାଇଛି। ଗୋଟିଏ ସିଫ୍ଟରେ ୨୫ଜଣ କର୍ମଚାରୀ ରହୁଛନ୍ତି। ଏହାସହ ଏସ୍ଏମଏସ୍ ଲେଖିବା ପାଇଁ ଦୁଇଜଣ କର୍ମଚାରୀ ରହୁଛନ୍ତି। ତିନୋଟି ସିଫ୍ଟରେ ୭୫ଜଣ କର୍ମଚାରୀ କାମ କରୁଛନ୍ତି। ଲୋକଙ୍କ ଫୋନ୍ କଲ ରିସିଭ୍ ସହ ଉତ୍ତର ଦେବା ସହଜ ହେଉଛି।