ଭୁବନେଶ୍ବର : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଡାଏଲ୍‌-୧୧୨ ସେବା। ଏଣିକି ଏହି ନମ୍ବର ଡାଏଲ୍ କଲେ ଆମ୍ବୁଲାନ୍ସ, ପୁଲିସ, ଫାୟାର ଭଳି ୩ଟି ଜରୁରିକାଳୀନ ସେବା ମିଳିବ। ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ଇଡ୍‌କୋ ଟାଵାର୍ସରେ ଖୋଲାଯାଇଛି ଏହି କଲ୍ ସେଣ୍ଟର। ଜରୁରିକାଳୀନ ସେବା ପାଇଁ ଯିଏ ଡାଏଲ୍-୧୧୨କୁ କଲ୍ କରିବ, ତାହା ଇଡ୍‌କୋ ଟାଵାର୍ସ କଲ୍ ସେଣ୍ଟରରେ ଆସି ପହଞ୍ଚିବ। ଆଉ ଏହି କଲ୍ ପହଞ୍ଚିବା ପରେ ଅନ୍ୟ ଏକ ପ୍ରକୋଷ୍ଠରେ ରହିଥିବା ପୁଲିସ, ଦମକଳ କର୍ମଚାରୀଙ୍କ ପାଖକୁ କଲ୍ ଟ୍ରାନ୍ସଫର କରାଯିବ। ସେହିପରି ଆମ୍ବୁଲାନ୍ସ ପାଇଁ କଲ୍ ଆସିଲେ ୧୦୮କୁ ଟ୍ରାନ୍ସଫର କରାଯିବ। ସେଠାରୁ ଯେଉଁ ଅଞ୍ଚଳରୁ କଲ୍ ଆସିଥିବ ସେହି ଅଞ୍ଚଳକୁ ମୋବାଇଲ ଲୋକେସନ୍ ଦ୍ବାରା ଟ୍ରାକ୍ କରାଯିବ। ସେହି ପାଖ ଅଞ୍ଚଳରେ ଥିବା ମୋବାଇଲ ଡାଟା ଟର୍ମିନାଲ୍(ଏମଡିଟି) ସଂଯୁକ୍ତ ପିସିଆର ଭ୍ୟାନ୍, ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ିକୁ ଜିପିଏସ୍ ମାଧ୍ୟମରେ କମ୍ପ୍ୟୁଟର ସ୍କ୍ରିନରେ ଟ୍ରାକ୍ କରାଯିବ। ସେହି ଗାଡ଼ିକୁ ତୁରନ୍ତ ଖବର ଦିଆଯିବ। ଆଉ ଏକ କଲ୍ ସମ୍ପୃକ୍ତ ଜିଲ୍ଲାର କଣ୍ଟ୍ରୋଲ ରୁମକୁ ମଧ୍ୟ ଦିଆଯିବ। କଲ୍ କରିଥିବା ବ୍ୟକ୍ତିଙ୍କ ପାଖରେ ଗାଡ଼ି ପହଞ୍ଚିବା ପର୍ଯ୍ୟନ୍ତ ନଜର ରଖାଯିବ।

Advertisment

publive-image

ଏକା ସଙ୍ଗରେ ୬୦ କଲ୍ ରିସିଭ୍ କରିହେବ, ଏବେ ବି ଚାଲିବ ୧୦୦, ୧୦୧, ୧୦୮
ଏବେ କଲ୍ ସେଣ୍ଟରରେ କଲ୍ ରିସିଭ୍ କରିବା ପାଇଁ ୧୯୮ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ସିଫ୍ଟରେ କଲ୍ ରିସିଭ୍ କରିବା ପାଇଁ ୬୦ ଜଣ ରହୁଛନ୍ତି। ରାଜ୍ୟରୁ ଏକା ସାଙ୍ଗରେ ୬୦ କଲ୍ ରିସିଭ୍ କରାଯାଇ ପାରିବ। ସେହିପରି ଏହାର କ୍ଷମତା ଆଗକୁ ଆହୁରି ବଢାଯିବାକୁ ଲକ୍ଷ୍ୟ ରହିଛି। ଗୋଟିଏ ସିଫ୍ଟରେ ୧୨୦ ଜଣଙ୍କୁ ନିଯୁକ୍ତ କରାଯିବାକୁ ଯୋଜନା ରହିଛି। ପରବର୍ତ୍ତୀ ସମୟରେ ଏକା ସାଙ୍ଗରେ ୧୨୦ଟି କଲ୍ ରିସିଭ୍ ହେବାର କ୍ଷମତା ଉପଲବ୍ଧ ରହିଛି। ସେହିପରି ରାଜ୍ୟର ସବୁ ଜାଗାରେ ୧୧୨ ସେବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଡାଏଲ୍-୧୦୦, ୧୦୧, ୧୦୮ ସେବା ମଧ୍ୟ ଉପଲବ୍ଧ ହେବ ବୋଲି ଡିଜିପି ଅଭୟ ସୂଚନା ଦେଇଛନ୍ତି।

publive-image

କମିସନରେଟ୍‌ର ପୂରା ଅଞ୍ଚଳରେ ପହଞ୍ଚିବ ସେବା
ଆଜି ଆରମ୍ଭ ହୋଇଥିବା ୧୧୨ ସେବା ୩୦ଟି ଜିଲ୍ଲାର ସଦର ମହକୁମା ସମେତ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଲାରେ ଉପଲବ୍ଧ ହେବ। କିନ୍ତୁ ଭୁବନେଶ୍ବର ଏବଂ କଟକ କମିସନରେଟ ପୁଲିସର ସବୁ ଅଞ୍ଚଳରେ ଏହି ସେବା ପହଞ୍ଚିପାରିବ ବୋଲି ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ସବୁ ଜିଲ୍ଲାର ସବୁ ଅଞ୍ଚଳ ଏହି ସେବାରେ ଅନ୍ତର୍ଭୁକ୍ତ ହେବ।

ପୁଲିସର ୭ ରେଞ୍ଜ, କମିସନରେଟର ୨ ଓ ଅଗ୍ନିଶମର ୩ ରେଞ୍ଜ
କଲ୍ ସେଣ୍ଟରରେ କଲ୍ ରିସିଭ୍ ହେବା ପରେ ଅନ୍ୟ ସୁପରିଚାଳନା ପାଇଁ ତିଆରି ହୋଇଥିବା ଅନ୍ୟ ଏକ ପ୍ରକୋଷ୍ଠରେ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହିଛନ୍ତି। ସେମାନେ କଲ୍ ରିସିଭ୍ କରିବା ପରେ ଏହାକୁ ସମ୍ପୃକ୍ତ ଜିଲ୍ଲାକୁ କିମ୍ବା ଗାଡ଼ିକୁ ସ୍ଥାନାନ୍ତର କରିବେ। ଅଧିକ ସହଜ ପାଇଁ ପୁଲିସର ୭ଟି ରେଞ୍ଜ କେନ୍ଦ୍ରାଞ୍ଚଳ, ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ, ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ, ରାଉରକେଲାସ୍ଥିତ ପଶ୍ଚିମାଞ୍ଚଳ, ବାଲେଶ୍ବରସ୍ଥିତ ପୂର୍ବାଞ୍ଚଳ, ତାଳଚେରସ୍ଥିତ ଉତ୍ତର କେନ୍ଦ୍ରାଞ୍ଚଳ, କୋରାପୁଟସ୍ଥିତ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ୍ ପାଇଁ ଗୋଟିଏ ସିଫ୍ଟରେ ୭ ଜଣ ପୁଲିସ କର୍ମଚାରୀ ରହିଛନ୍ତି। ସେହିପରି କଟକ-ଭୁବନେଶ୍ବର ଟୁଇନ୍ ସିଟି ପାଇଁ ଦୁଇ ଜଣ ପୁଲିସ କର୍ମଚାରୀ ରହିଛନ୍ତି। ଏମାନେ କଲ୍ ସେଣ୍ଟରରୁ କଲ୍ ପାଇବା ପରେ ଏହାକୁ ସମ୍ପୃକ୍ତ ଜିଲ୍ଲା ଓ ନିକଟବର୍ତ୍ତୀ ଗାଡ଼ିକୁ ଫୋନ୍ କରିଥିବା ବ୍ୟକ୍ତିଙ୍କ ପାଖକୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେବେ। ସେହିପରି ସମାନ ଭାବରେ ଅଗ୍ନିଶମ କେନ୍ଦ୍ର ବା ଗାଡ଼ିକୁ ପଠାଇବା ଲାଗି ଗୋଟିଏ ସିଫ୍ଟରେ ୩ ଜଣ କର୍ମଚାରୀ ରହିଛନ୍ତି। ଅଗ୍ନିଶମର ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳ ଅଧୀନରେ ଆସୁଥିବା ଅଞ୍ଚ​ଳଗୁଡ଼ିକ ଦାୟିତ୍ବରେ ତିନି ଜଣ କର୍ମଚାରୀ ରହିବେ।