କଟକ : ତାଙ୍କର ଦୋଷ ହେଉଛି, ସେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି। ଯେଉଁଥିପାଇଁ ତାଙ୍କୁ ଡାଏଲିସିସ୍ ନକରି ଏକ ଘରୋଇ ହସ୍ପିଟାଲ ଫେରାଇ ଦେଲା। ଫଳରେ, ଘରେ ପହଞ୍ଚିବା ପରେ ତାଙ୍କର ଜୀବନ ଚାଲିଗଲା। ଏହି ଘଟଣା ପରେ କଟକ ମଙ୍ଗଳାବାଗ ଥାନାରେ ଅନ୍ଲାଇନ୍ରେ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଟୁଇଟ୍ କରି ମୃତକଙ୍କ ସମ୍ପର୍କୀୟ ଜଣାଇ ଦେଇଛନ୍ତି। ମୃତକ ହେଲେ, ସୟଦ ଆବୁଲ ହସନ୍। ଗୁରୁତ୍ବପୂର୍ଣ୍ଣ ହେଉଛି, ସେ ବି ଜଣେ ଅବସରପ୍ରାପ୍ତ ଆୟୁର୍ବେଦିକ ଡାକ୍ତର।
କେନ୍ଦ୍ରାପଡ଼ାରେ ସରକାରୀ ଡାକ୍ତରଖାନାରେ ଆୟୁର୍ବେଦିକ ଡାକ୍ତର ଥିଲେ ସୟଦ ଆବୁଲ ହସନ୍। ସାଲେପୁର ବାରିଗଳର ଆବୁଲ ଅବସର ପରେ ଘରେ ରହୁଥିଲେ। ତାଙ୍କର କିଡନି ଜନିତ ସମସ୍ୟା ଥିବାରୁ ଗଲା ଦେଢ଼ ବର୍ଷ ହେବ ମଙ୍ଗଳାବାଗ ଅଞ୍ଚଳରେ ଥିବା ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ପ୍ରତ୍ୟେକ ମଙ୍ଗଳାବର ଓ ଶୁକ୍ରବାର ତାଙ୍କର ଡାଏଲିସିସ କରାଯାଉଥିଲା।
ଗଲା ମଙ୍ଗଳବାର ଅର୍ଥାତ ୭ ତାରିଖରେ ଡାଏଲିସିସ କରିବାର ପାଳି ଥିବାରୁ ହସପିଟାଲ ପକ୍ଷରୁ ତାଙ୍କୁ ଫୋନ କରି ମଙ୍ଗଳବାର ବଦଳରେ ଶୁକ୍ରବାର ଆସିବାକୁ କୁହାଯାଇଥିଲା। ଗୁରୁବାର ଅର୍ଥାତ ୯ ତାରିଖରେ ପରିବାର ଲୋକ ହସପିଟାଲକୁ ଫୋନ୍ କରି ଶୁକ୍ରବାର ଡାଏଲିସିସର ସମୟ ଆଉ ଥରେ ସୁନିଶ୍ଚିତ କରାଇଥିଲେ। ଶୁକ୍ରବାର ଆବୁଲ ନିଜ ଡ୍ରାଇଭର ସହିତ ହସପିଟାଲରେ ପହଞ୍ଚିଥିଲେ। କିନ୍ତୁ ହସପିଟାଲ ପକ୍ଷରୁ କରୋନା ସନ୍ଦେହରେ ତାଙ୍କୁ ପିପିଇ(ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପମେଣ୍ଟ) କିଣିକି ଆଣିବାକୁ କୁହାଯାଇଥିଲା। ସେ ମଙ୍ଗଳାବାଗ ଛକରୁ ପିପିଇ କିଣି ହସପିଟାଲରେ ପହଞ୍ଚିଥିଲେ। କିନ୍ତୁ ହସପିଟାଲର ଡାଏଲିସିସ ଟେକନିସିଆନ ଡାଏଲିସିସ କରିବାକୁ ମନା କରିଦେଇଥିଲେ। ଆବୁଲ ହସନ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ କରୋନା ସନ୍ଦେହରେ ହସପିଟାଲରେ ଡାଏଲିସିସ୍ କରିବାକୁ ହସପିଟାଲ କର୍ତ୍ତୃପକ୍ଷ ମନା କରିଥିବା ସମ୍ପୃକ୍ତ ଟେକନିସିଆନ କହିଥିଲେ। ଯେତେ ନେହୁରା ହୋଇଥିଲେ ବି ତାଙ୍କ ଡାଏଲିସିସ ହସ୍ପିଟାଲରେ କରାଇ ନଥିଲେ। ବାଧ୍ୟ ହୋଇ ସେ ଘରକୁ ଫେରିଆସିଥିଲେ।
କିନ୍ତୁ ଉକ୍ତ ହସପିଟାଲ ଡାକ୍ତର ପୂର୍ବରୁ ସତର୍କ କରାଇଥିଲେ ଯେ ଗୋଟିଏ ବି ଡାଏଲିସିସ୍ ଯେଭଳି ମିସ୍ ନହୁଏ। ନଚେତ ରୋଗୀର ଜୀବନ ପ୍ରତି ବିପଦ ରହିଛି। ଏଭଳି ସ୍ଥିତିରେ ଦୁଇଟି ଡାଏଲିସିସ୍ ମିସ୍ ହୋଇସାରିଥିଲା। ଅନ୍ୟପଟେ କତ୍ତାରରେ ରହୁଥିବା ଆବୁଲ ହସନଙ୍କ ବଡ଼ ପୁଅ ସୟଦ ମିଜାଭୁଲ ହସନ ଭୁବନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ ଏକ ଘରୋଇ ହସପିଟାଲରେ ଡାଏଲିସିସ୍ କରିବାକୁ ଯୋଜନା କରିଥିଲେ। ଘରେ ଆମ୍ବୁଲାନ୍ସ ପହଞ୍ଚି ଅସୁସ୍ଥ ବାପାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିବା ପୂର୍ବରୁ ଡାକ୍ତର ହସନ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ।
ହସପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି ଅମାନବୀୟ କାର୍ଯ୍ୟ ବିରୋଧରେ ତାଙ୍କ ପୁଅ ସୟଦ ସିରାଜୁଲ ହସନ ମଙ୍ଗଳାବାଗ ଥାନାରେ ଓଡ଼ିଶା ପୁଲିସର ୱେବସାଇଟ ଜରିଆରେ ଅନଲାଇନରେ ଏତଲା ଦେଇଛନ୍ତି। ଏବେ ଥାନାକୁ ଆସିବା ସମ୍ଭବପର ହୋଇ ପାରୁନଥିବାରୁ ଡିଜିଙ୍କ ପରାମର୍ଶ ମୁତାବକ ତାଙ୍କ ପୁଅ ସୟଦ ସିରାଜୁଲ ହସନ ଅନଲାଇନରେ ଏଭଳି ଢଂଗରେ ଏତଲା ଦେଇ ଅଭିଯୁକ୍ତ ହସପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।