୧୫ରୁ ଏମ୍‌ସରେ ଡାଏଲିସିସ୍‌

ପ୍ରତିଷ୍ଠା ଦିବସରେ ହେବ ଲୋକାର୍ପଣ, ମାସକ ପରେ ୧୫ ମଡ୍ୟୁଲାର୍ ଓଟି, ପ୍ରତିରୋପଣ କେନ୍ଦ୍ର ଏବେ ନୁହେଁ

ଖଣ୍ଡଗିରି : ୭ମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ବର ଏମ୍‌ସ ଆସନ୍ତା ୧୫ତାରିଖରୁ ବହୁ ପ୍ରତୀକ୍ଷିତ ଡାଏଲିସିସ୍‌ ସେବା ପ୍ରଦାନ କରିବ। ଏଥିପାଇଁ ନେଫ୍ରୋଲୋଜି ବିଭାଗରେ ୧୪ରୋଗୀ ଶଯ୍ୟାବିଶିଷ୍ଟ ଏକ ୱାର୍ଡ ପ୍ରସ୍ତୁତ ହୋଇସାରିଛି ଏବଂ ୧୪ଟି ଉଚ୍ଚକ୍ଷମତା ସମ୍ପନ୍ନ ଡାଏଲିସିସ୍‌‌ ମେସିନ୍ ପ୍ରତିଷ୍ଠା ହୋଇସାରିଛି। ଏମ୍‌ସର ପ୍ରତିଷ୍ଠା ଦିବସରେ ଏହାକୁ ଲୋକାର୍ପଣ କରାଯିବ। ସେହିଭଳି ଦ୍ବିତୀୟ ଏମ୍‌ଆର୍‌ଆଇ କେନ୍ଦ୍ର ପାଇଁ ଏକ ଅତ୍ୟାଧୁନିକ ୩-ଟେସ୍‌ଲା ଏମ୍‌ଆର୍‌ଆଇ ମେସିନ୍‌କୁ ମଧ୍ୟ ଉଦ୍‌ଘାଟନ କରାଯିବ। ନିର୍ଦେଶିକା ପ୍ରଫେସର୍‌ ଗୀତାଞ୍ଜଳି ବାତ୍ମାନାବାନେ ଆଜି ଏକ ସାମ୍ବାଦିକ ସମ୍ମଳନୀରେ ଏହି ସମସ୍ତ ସୂଚନା ଦେବା ସହ ଆପାତତଃ ମାସକ ପରେ ୧୪ଟି ମଡ୍ୟୁଲାର୍ ଓଟି କାର୍ଯ୍ୟକ୍ଷମ ହୋଇଯିବ ବୋଲି କହିଛନ୍ତି। କିନ୍ତୁ ନିକଟ ଭବିଷ୍ୟତରେ ଅଙ୍ଗ ପ୍ରତିରୋପଣ କେନ୍ଦ୍ର ପ୍ରତିଷ୍ଠା ହେବାର ନାହିଁ ବୋଲି ସେ ପରୋକ୍ଷ ସୂଚନା ଦେଇଛନ୍ତି।

ଭୁବନେଶ୍ବର ଏମ୍‌ସର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ନିର୍ଦେଶିକା ପ୍ରଫେସର୍‌ ବାତ୍ମାନାବାନେ କହିଲେ ଯେ ଏବେ ବର୍ଣ୍ଣ ଓ ପ୍ଲାଷ୍ଟିକ୍ ସର୍ଜରି ବିଭାଗରେ ୧୪ ରୋଗୀ ଶଯ୍ୟା ବିଶିଷ୍ଟ ଏକ ଆଇପିଡି କାମ କରୁଛି। ତେବେ ପ୍ରାୟ ୧୫ କୋଟି ଟଙ୍କା ବିନିମୟରେ ନେସନାଲ୍‌ ଥର୍ମାଲ୍‌ ପାୱାର କର୍ପୋରେସନ୍‌(ଏନ୍‌ଟିପିସି) ଦ୍ବାରା ନିର୍ମାଣ କରାଯାଉଥିବା ବର୍ଣ୍ଣ ୟୁନିଟ୍‌ ନିର୍ମାଣ ସରିବାକୁ ଆହୁରି ଏକ ବର୍ଷ ଲାଗିଯିବ। ନିର୍ମାଣାଧୀନ ଥିବା ୨୫ଟି ମଡ୍ୟୁଲାର୍ ଓଟି ମଧ୍ୟରୁ ଏବେ ଗୋଟିଏ ପ୍ରସୂତି ବିଭାଗ ପାଇଁ ପରୀକ୍ଷାମୂଳକ ଭାବେ କାମ କରୁଛି ଓ ୧୪ଟି ମାସକ ଭିତରେ ପୂରା ପ୍ରସ୍ତୁତ ହୋଇଯିବ। ଅବଶିଷ୍ଟ ମଡ୍ୟୁଲାର୍ ଓଟିଗୁଡ଼ିକ ପରେ ପରେ କାର୍ଯ୍ୟକ୍ଷମ କରାଯିବ। ବାତ୍ୟା ଫନି ପାଇଁ ମଡ୍ୟୁଲାର୍ ଓଟି ନିର୍ମାଣ କାମ ବାଧାପ୍ରାପ୍ତ ହୋଇ ପ୍ରାୟ ଦୁଇ ମାସ ପଛେଇ ଯାଇଛି ବୋଲି ସେ କହିଥିଲେ। ଦେଶର ସମସ୍ତ ନୂଆ ଏମ୍‌ସମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଭୁବନେଶ୍ବରରେ ୧୪ଟି ଅତ୍ୟାଧୁନିକ ଡାଏଲିସିସ୍‌ ମେସିନ୍ ପ୍ରତିଷ୍ଠା କରାଯାଇଛି। ଦ୍ବିତୀୟ ଏମ୍‌ଆର୍‌ଆଇ ମେସିନ୍ ପାଇଁ ଏଣିକି ଆଉ ରୋଗୀମାନଙ୍କୁ ଅଧିକ ସମୟ ଅପେକ୍ଷ‌ା କରିବାକୁ ପଡ଼ିବ ନାହିଁ କି ବାହାରେ ଅଧିକ ଖର୍ଚ୍ଚାନ୍ତ ହେବେ ନାହିଁ। ଏବେ ଓପିଡିଠାରୁ ଆରମ୍ଭ କରି ଆଇପିଡି ଓ ସର୍ଜରି ବିଭାଗରେ ଅଧିକ ରୋଗୀ ସେବା ପ୍ରଦାନ କରାଯାଉଛି। ୨୦୧୭-୧୮ବର୍ଷ ତୁଳନାରେ ୨୦୧୮-୧୯ବର୍ଷ ଓପିଡିରେ ପ୍ରାୟ ୨ଲକ୍ଷ ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଇଛି ଓ ପ୍ରାୟ ଏକ ହଜାର ଅଧିକ ଅପରେସନ୍ କରାଯାଇଛି ବୋଲି ସେ କହିଥିଲେ। ଏଠ‌ାରେ ରୋଗୀମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଆର୍ବିଏସ୍‌କେ ଓ ବିଏସ୍‌କେୱାଇ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଛିତିଶଗଡ଼ ଓ ଝାଡ଼ଖଣ୍ଡ ଭଳି ରାଜ୍ୟର ରୋଗୀମାନଙ୍କ ପାଇଁ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ନିଦେର୍ଶିକା କହିଥିଲେ। ସମ୍ପ୍ରତି ବିଭିନ୍ନ ବିଭାଗରେ ୧୮୧ଜଣ ଫାକ୍‌ଲଟି ଥିବାବେଳେ ଖୁବ୍‌ ଶୀଘ୍ର ନୂତନ ୧୨୫ଫାକ୍‌ଲଟି ନିଯୁକ୍ତି ପାଇଁ ଅଗଷ୍ଟରୁ ପ୍ରସ୍ତୁତି ଆରମ୍ଭ ହେବ ଓ ବର୍ଷକ ମଧ୍ୟରେ ପ୍ରାୟ ୫୦ରୁ ଅଧିକ ଫାକ୍‌ଲଟି ମେମ୍ବର ନିଯୁକ୍ତି ପାଇବା ଆଶା କରାଯାଉଛି ବୋଲି କହିଥିଲେ। ନର୍ସିଂ ଓ ବିଭିନ୍ନ ବିଭାଗର ଟେକ୍ନିସିଆନ୍‌ ପଦ ପାଇଁ ପରୀକ୍ଷା ସରିଛି ଓ ପ୍ରାୟ ୬ଶହ ଏହି ବର୍ଗର କର୍ମଚାରୀ ଚଳିତ ବର୍ଷ ନିଯୁକ୍ତି ପାଇବେ ବୋଲି ସେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମଳନୀରେ ହସ୍ପିଟାଲ ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଓ ଉପନିର୍ଦେଶକ ପିକେ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର