ଭୁବନେଶ୍ୱର : ବିଜେବି ସ୍ୱୟଂଶାସିତ କଲେଜ ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ପାଲଟିଛି। ଏଠାରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ ଆଜି ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ। ଏହି କଲେଜ ପାଇକ ବିଦ୍ରୋହର ମହାନ ବୀର ବକ୍ସିଜଗବନ୍ଧୁଙ୍କ ନାମରେ ନାମିତ ହୋଇଛି। ପାଇକ ବିଦ୍ରୋହର ଦୁଇ ଶହ ବର୍ଷପୂର୍ତି ପାଳନ ହେଉଥିବା ବେଳେ ବିଜେବି କଲେଜର ହୀରକ ଜୟନ୍ତୀ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି କଲେଜର ଛାତ୍ରଛାତ୍ରୀ ବକ୍ସି ଜଗବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ। ବ୍ୟକ୍ତିଗତ ଜୀବନରେ ସଫଳତା ସହ ସମାଜର ଉନ୍ନତି ପାଇଁ ସମସ୍ତେ ନିଜର ବ୍ୟସ୍ତ ସମୟରୁ କିଛି ଦିଅନ୍ତୁ। ଆଜି ବିଜେବି ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି କହିଛନ୍ତି।
ବିଜେବି କଲେଜର ପୁରାତନ ଛାତ୍ରସଂଘ ବିଜେବି ଫ୍ରେଣ୍ଡ୍ସ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗଦେଇ ବିଜେବି କଲେଜର କୃତିତ୍ୱକୁ ପ୍ରଶଂସା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଜେବି କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଲେଜର ଅଧ୍ୟକ୍ଷ ଡ. ପ୍ରସନ୍ନ ମହାନ୍ତି ବକ୍ତବ୍ୟ ରଖିଥିଲେ।
ବିଜେବି ଫ୍ରେଣ୍ଡ୍ସ ସଭାପତି ଡାକ୍ତର ଜଗନ୍ନାଥ ମହାପାତ୍ର ଛାତ୍ରଛାତ୍ରୀଙ୍କୁ କଲେଜ ପରିସରରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଏକ ଚିକିତ୍ସାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଉତ୍ସବରେ କଲେଜର ୧୫ ଜଣ ପୂର୍ବତନ ଅଧ୍ୟକ୍ଷଙ୍କୁ ସମ୍ବର୍ଧିତ କରାଯିବା ସହ ଆନ୍ତଃ କଲେଜ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଜେବି ଫ୍ରେଣ୍ଡସ୍ର ସ୍ମରଣିକାକୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ। ବିଜେବି ଫ୍ରେଣ୍ଡ୍ସ ଉପସଭାପତି ଦେବାଶିଷ ପଟ୍ଟନାୟକ, ସମ୍ପାଦକ ଶ୍ୟାମସୁନ୍ଦର ପଟ୍ଟନାୟକ, କୋଷାଧ୍ୟକ୍ଷ ସତ୍ୟବ୍ରତ ଧୂପାଲ, ଉପଦେଷ୍ଟା ଅଶୋକ ମହାନ୍ତି ପ୍ରମୁଖ ସଭା ପରିଚାଳନା କରିଥିଲେ। ପ୍ରଗତି ମହାନ୍ତି ଧନ୍ୟବାଦ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ମାନବଶୃଙ୍ଖଳ
ମୁଖ୍ୟମନ୍ତ୍ରୀ ଆଜି ବିଜେବି କଲେଜ ସଭାସ୍ଥଳକୁ ଆସିବା ପୂର୍ବରୁ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ସନ୍ତୋଷ କୁମାର ବେଜ୍ ଓ ଦୀପକ ଜେନାଙ୍କ ନେତୃତ୍ୱରେ ଆୟୋଜିତ ମାନବ ଶୃଙ୍ଖଳ ଦ୍ୱାରା ତାଙ୍କୁ ସ୍ୱାଗତ କରାଯାଇଥିଲା। ମାନବଶୃଙ୍ଖଳରେ ‘ମୁଖ୍ୟମନ୍ତ୍ରୀ ଆମର ଶ୍ରେଷ୍ଠ ପ୍ରଶାସକ’ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଥିଲା।
ସୁର କଲେ ଚିତ୍କାର, ମୁଖ୍ୟମନ୍ତ୍ରୀ ନିର୍ବିକାର
ହୀରକ ଜୟନ୍ତୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟଙ୍କୁ ଆଗଧାଡ଼ିରେ ବସିଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ମଞ୍ଚରେ ବସିଥିବା ବେଳେ ବଡ଼ପାଟିଆ ସୁର ନିଜକୁ ରୋକିପାରି ନଥିଲେ। ହଠାତ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ହିନ୍ଦୀରେ ବିଜେବି କଲେଜ ଏକ ଭଲ ଅଡିଟୋରିୟମ ସ୍ଥାପନ ପାଇଁ ଦାବି କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ।
ମୁଖ୍ୟମନ୍ତ୍ରୀ କହିଲେ ବିଜେପି କଲେଜ
ମୁଖ୍ୟମନ୍ତ୍ରୀ ଭାଷଣ ପଢୁଥିବା ବେଳେ ବିଜେବି କଲେଜକୁ ବିଜେପି ବୋଲି ଉଚ୍ଚାରଣ କରି ଦେଇଥିଲେ। ପରେ ଅବଶ୍ୟ ସଂଶୋଧନ କରିଥିଲେ। କିନ୍ତୁ ଏହାକୁ ନେଇ ସଭାସ୍ଥଳରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ସଭା ପରେ ଏହି କଥା ଆଲୋଚନାର ବିଷୟବସ୍ତୁ ପାଲଟିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bjb-2.jpg)