ଖଣ୍ଡଗିରି: ଝାଡ଼ାବାନ୍ତି ରୋଗ ସାରା ରାଜ୍ୟକୁ କବଳିତ କଲାଣି। ଡେଙ୍ଗୁ ଓ ଜଣ୍ଡିସ୍‌ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଲ‌ାଣି। ଏହାରି ଭିତରେ ଭୁବନେଶ୍ବରରେ କେତେକ ସ୍ଥାନରେ ସଂକ୍ରାମକ ରୋଗୀ ଚିହ୍ନଟ ହେଲେଣି। ଏସବୁ ରୋଗ ରାଜଧାନୀରେ ଉଗ୍ର ରୂପ ନେବାର ଆଶଙ୍କା ଦେଖାଦେଇଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ‘ସମ୍ବାଦ’ ପକ୍ଷରୁ ସ୍ଥିତି ଯାଞ୍ଚ କରାଯାଇଥିଲା ବେଳେ ଉତ୍କଟ ଦୃଶ୍ୟ ଦେଖିବାକୁ ମିଳିଛି। ବସ୍‌ ପାଖରେ ଅଳିଆ ଆବର୍ଜନା ଗଦା ହୋଇଥିଲା ବେଳେ ପାଣି ଜମା ରହି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ମଶା, ମାଛିଙ୍କ ଉତ୍ପାତ ଯାତ୍ରୀଙ୍କୁ କଲବଲ କରୁଛି। ବସ୍‌ ରହଣି ସ୍ଥାନ ଓ ବସ୍‌ଷ୍ଟାଣ୍ଡ ପଛପଟ ନାଳରେ ପଡ଼ିଥିବା କୁକୁର ମଢ଼ ଲୋକଙ୍କୁ ଅଧିକ ଅସହ୍ୟ ହେଉଛି। ଯେଉଁଥିପାଇଁ ବସ୍‌ଷ୍ଟାଣ୍ଡ ପରିସର ଏକ ଡମ୍ପିଂୟାର୍ଡ ଭଳି ମନେହେଉଛି।
ଗତବର୍ଷ ଡିସେମ୍ବର ମାସରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଖଣ୍ଡଗିରି ଲମ୍ବିଥିବା ରାଜପଥର ସର୍ଭିସ୍‌ ରୋଡ୍‌ ଏବଂ ଟିସୁ କଲ୍‌ଚର ପରୀକ୍ଷାଗାର ପାଖ ପ୍ରାକୃତିକ ନଳା କଡ଼ରେ କୁଢ଼କୁଢ଼ କୁକୁର ଶବ ଓ ଅଳିଆ ପଡ଼ୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ବିଏମ୍‌ସି ସଫେଇ ଗାଡ଼ି ଆସି ମଢ଼ ଉଠାଇଲା। ଏଠାରେ ଅଳିଆ ପକାଇଲେ ଜରିମାନା ଦେବାକୁ ହେବ ବୋଲି ତାଗିଦ କଲା। ହେଲେ ଠିକ୍‌ ୭ ମାସ ପରେ ପୁଣି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏବେ ପୂର୍ବ ସ୍ଥାନ ସହିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଯାତ୍ରୀ ସହାୟତା କେନ୍ଦ୍ର ତଥା ବସ୍‌ ମାଲିକ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଉତ୍କଟ ଦୃଶ୍ୟ ଦେଖିବାକୁ ମିଳୁଛି। ମଢ଼ରେ ପୋକ ଲାଗିଥିଲା ବେଳେ ଆଖପାଖରେ ରହିଥିବା ହୋଟେଲ୍‌ମାନଙ୍କରେ ବସି ଖାଇବା ମୁସ୍କିଲ ହୋଇପଡ଼ୁଛି। ୪ଦିନ ହେଲା ଏକାଧିକ କୁକୁର ମଢ଼ରେ ଅଞ୍ଚଳ ଦୁର୍ଗନ୍ଧରେ ଫାଟିପଡ଼ୁଛି।
ଅନୁରୂପ ଭାବେ ଏହାର ପାଖଦେଇ ଯାଇଥିବା ନାଳରେ ୪ରୁ ଅଧିକ କୁକୁର ଶବ ପଡ଼ିଛି। କିଛି ପଚି ଗଲାଣି, ଆଉ କିଛି ସଦ୍ୟ। ଅଳିଆ ଆବର୍ଜନାରେ ଏମିତି ଅଞ୍ଚଳ ଭର୍ତ୍ତି ଯେ ସେଠାରେ ଗୋଟିଏ ମିନିଟ୍ ଛିଡ଼ା ହେବା ସମ୍ଭବ ହେଉନି। ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ଶିଉଳି ଲାଗିଗଲାଣି। ସେଠାରୁ ମାଛି, ମଶା ଆସି ଦୋକାନରେ ଥିବା ଖାଦ୍ୟରେ ବସୁଛନ୍ତି। ବାରଣ କରାଯାଉ ନଥିବାରୁ ଏହି ସ୍ଥାନ ଅଳିଆ ଫିଙ୍ଗିବା ପାଇଁ ସମର୍ପିତ ବୋଲି ଲୋକେ ଭାବି ନେଇଛନ୍ତି। ସେହିପରି ଜରି, ପଲିଥିନ୍‌ ଓ କପଡ଼ା ଭଳି ବିଭିନ୍ନ ଆବର୍ଜନା ଗଦେଇ ହୋଇ ରହିଛି। ନିକଟରେ ଯାତ୍ରୀ ବିଶ୍ରାମସ୍ଥଳ ଥିଲେ ମଧ୍ୟ ଲୋକମାନେ ସେଠାରେ ବସିବାକୁ ଉଚିତ ମଣୁନାହାନ୍ତି।
ବସ୍‌ଷ୍ଟାଣ୍ଡକୁ ପ୍ରତ୍ୟହ ୧୫ ହଜାର ଯାତ୍ରୀ ଆସୁଛନ୍ତି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଏହା ଭିତରେ ଥିବା ଶତାଧିକ ହୋଟେଲରେ ପ୍ରତିଦିନ ଯାତ୍ରୀ ଖାଉଛନ୍ତି। ଏଭଳି ସମୟରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟର ମାନ କେତେ ଉନ୍ନତ ତାହା ସ୍ପଷ୍ଟ ଅନୁମେୟ। ଯଦି ବରମୁଣ୍ଡାରୁ ରୋଗ ବ୍ୟାପେ ତେବେ ସାରା ରାଜ୍ୟ ଓ ରାଜ୍ୟ ବାହାରେ ଭୁବନେଶ୍ବର ଅପବାଦ ମୁଣ୍ଡାଇବ। ଅନ୍ୟପଟେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଆଖପାଖ ଅଞ୍ଚଳକୁ ବିଏମ୍‌ସି ପରିଷ୍କାର ରଖୁଥିବା ବେଳେ ବିଡିଏ ବସ୍‌ଷ୍ଟାଣ୍ଡ ପରିସର ଠିକା ସଂସ୍ଥା ଜରିଆରେ ସଫା ରଖୁଛି। ତଥାପି ଏଭଳି ସ୍ଥିତି ବାରମ୍ବାର ହେଉଛି। ବିଏମ୍‌ସି ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରି ବୋଲି ଯାତ୍ରୀମାନେ କହିଛନ୍ତି।