ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ରେ ଝାଡ଼ାବାନ୍ତିରେ ୪୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ତେବେ ଏସବୁ ରୋଗୀଙ୍କୁ ଛାଡ଼ିଦେଲେ ୨୦ଟି ଉପସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଶତାଧିକ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇଥିବା ବିଷୟରେ ଜଣେ ଅଧିକାରୀ କହିଛନ୍ତି। ତେବେ ଏ ସମସ୍ତ ଝାଡ଼ାବାନ୍ତି ଆକ୍ରାନ୍ତ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ଜଣାପଡ଼ିଛି। ଅଧିକ ଦୁର୍ବଳ ଥିବା ରୋଗୀଙ୍କୁ ସାଲାଇନ୍ ଦିଆଯାଇ ଛଡ଼ାଯାଇଛି। ଜଣେ ଡାକ୍ତରଙ୍କ କହିବାନୁସାରେ ପ୍ରଦୂଷିତ ଖାଦ୍ୟ ଓ ପାନୀୟ ସେବନ କରି ଝାଡ଼ାବାନ୍ତିରେ ପୀଡ଼ିତ ହୋଇଥିବା ବେଳେ ଆଉ କେତେଜଣ ଭୋଜି ଖାଇ ଅସୁସ୍ଥ ହୋଇପଡ଼ିଥିଲେ।
ଅପରପକ୍ଷରେ ଏବେ ବାଲିଅନ୍ତା ଅଞ୍ଚଳରେ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୌଣସି ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ବେଣୁପୁର-ବାଲିଅନ୍ତା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ସରକଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଭିଙ୍ଗାରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ମୋଟ ୨୦ଟି ଉପସ୍ବାସ୍ଥ୍ୟକେନ୍ଦ୍ର ରହିଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ସଚେତନତା କାର୍ଯ୍ୟକ୍ରମ ହୋଇପାରୁନାହିଁ। ଗାଁ ଗାଁ ବୁଲି ସ୍ବାସ୍ଥ୍ୟକର୍ମୀ ପ୍ରତିଷେଧକ ବଟିକା ବଣ୍ଟନ କରୁ ନଥିବା ବେଳେ କୂଅ, ପୋଖରୀ ଓ ନଳକୂଅରେ ବ୍ଲିଚିଂ ପକାଯାଉ ନାହିଁ। ଯାହାଫଳରେ ଦୂଷିତ ଜଳ ସେବନ କରି ରୋଗ ବ୍ୟାପୁଥିବା କୁହାଯାଉଛି। ତେଣୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।