ବାଲିପାଟଣା: ବାଲିପାଟଣା ବ୍ଲକ୍‌ର ୧୭ଟି ପଞ୍ଚାୟତରେ ଏବେ ଝାଡ଼ାବାନ୍ତି ବ୍ୟାପିଛି। ପ୍ରାୟ ୨ସପ୍ତାହ ହେବ ଦୈନିକ ୧୫ରୁ ୨୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ଏପର୍ଯ୍ୟନ୍ତ ଶହେରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଡାକ୍ତରଖାନା ପକ୍ଷରୁ ଜଣାପଡ଼ିଛି। ଗାଁରେ ସ୍ୱାସ୍ଥ୍ୟକର୍ମୀମାନେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହିତ ଓଆର୍‌ଏସ୍‌, ବ୍ଲିଚିଂ ପାଉଡର ଓ ଔଷଧ ଆଦି ବଣ୍ଟନ କରୁଛନ୍ତି। ଗୁରୁତର ରୋଗୀମାନଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ  ସ୍ଥାନାନ୍ତର କରାଯାଉଛି।

Advertisment

ତେବେ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିଛି ତାହା ଅସ୍ପଷ୍ଟ ଥିବା ବେଳେ ଦୂଷିତ ପିଇବା ପାଣିକୁ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଲୋକଙ୍କ ଅଭିଯୋଗ ଅନୁସାରେ ସ୍ୱଜଳଧାରା ଜଳଯୋଗାଣ ପାଇଁ ଥିବା ଓଭର ହେଡ୍ ଟାଙ୍କି ଅନେକ ସ୍ଥାନରେ ଖୋଲାମେଲା ହୋଇ ପଡ଼ିଛି। ଏଥିସହିତ ବିଭିନ୍ନ ଜାଗାରେ ପାଇପ୍ ଫାଟି ସେଥିରେ ବାହାର ପାଣି ଓ ନର୍ଦ୍ଦମା ପାଣି ମଧ୍ୟ ମିଶୁଛି। ଫଳରେ ଗାଁ ଲୋକଙ୍କୁ ଏହି ଦୂଷିତ ପାଣି ପିଇବାକୁ ପଡୁଛି। ସେଥିପାଇଁ ଝାଡ଼ାବାନ୍ତି ଅଧିକାଂଶ ଜାଗାରେ ବ୍ୟାପୁଥିବା ସନ୍ଦେହ କରାଯାଉଛି।

ଏପଟେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଶ୍ରୀକାନ୍ତ ବେହେରା ପାଣିତଥା ପ୍ରଦୂଷିତ ଖାଦ୍ୟ ପାଇଁ ସଂକ୍ରମଣ ହୋଇଥିବା ସନ୍ଦେହ କରୁଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରିବା ସହିତ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ବଣ୍ଟନ କରାଯାଉଛି ବୋଲି ଡା. ବେହେରା କହିଛନ୍ତି। ବାହାରେ ଖୋଲାରେ ବିକ୍ରି ହେଉଥିବା ଗୁପଚୁପ, ଫାଷ୍ଟଫୁଡ୍‌ଠାରୁ ଦୂରେଇ ରହିବା ସହିତ ପାଣିକୁ ସିଝାଇ ଛାଣି ପିଇବାକୁ ଡା. ବେହେରା  ପରାମର୍ଶ ଦେଇଛନ୍ତି। ଅପରପକ୍ଷେ, ତୁରନ୍ତ ପିଇବାପାଣି ପରୀକ୍ଷା କରାଯିବ ସହ ଡାକ୍ତରୀ ଟିମ୍ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏତଦ୍‌ବ୍ୟତୀତ ଓଭର୍‌ହେଡ୍ ଟାଙ୍କିଗୁଡ଼ିକୁ ଘୋଡ଼ାଇବା ସହ ବିଶୋଧନ କରିବାକୁ ଦାବି ହୋଇଛି।