ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ମାମଲା : ଆଗରୁ ଅଛି ୩ ଅଭିଯୋଗ

ତଦନ୍ତ ଆରମ୍ଭ କଲେ ଭିନ୍ନକ୍ଷମ ଆୟୁକ୍ତ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ତଦନ୍ତ ନିର୍ଦ୍ଦେଶ ଦେଇଛି: ମନ୍ତ୍ରୀ

ଭୁବନେଶ୍ବର : ଦିବ୍ୟାଙ୍ଗ ଯୁବତୀଙ୍କୁ ଭଲ ଚାକିରି ଓ ଭଲ ଦରମାର ପ୍ରଲୋଭନ ଦେଖାଇବା ସହ ଜୋର୍‌ ଜବରଦସ୍ତ ଯୌନ ନିର୍ଯାତନା ଦିଆଯାଇଥିବା ମାମଲାଟି ଏବେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅଢ଼େଇ ମାସ ତଳୁ ଅଭିଯୋଗ ହୋଇଥିଲେ ବି ପୁଲିସ୍‌ ଅଭିଯୁକ୍ତଙ୍କୁ ଏ ଯାଏ ଧରିପାରି ନାହିଁ। ଆଜି ଭିନ୍ନକ୍ଷମ କମିସନର୍‌ ସୁଲୋଚନା ଦାସ ଘଟଣାସ୍ଥଳ ଅର୍ଥାତ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ସେ ମାତ୍ର ୧୦ ମିନିଟ୍‌ ଘଟଣାସ୍ଥଳରେ ରହିବା ସହ ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି। ତଦନ୍ତ ଚାଲିଛି ବୋଲି ମାତ୍ର ପଦୁଟିଏ ଗଣମାଧ୍ୟମକୁ କହିଛନ୍ତି।

ପୀଡ଼ିତା ଯୁବତୀ ଜଣଙ୍କ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି। ମନ୍ତ୍ରୀ ଶ୍ରୀ ପଣ୍ଡା ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ତେବେ ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ପୀଡ଼ିତା ତାଙ୍କୁ ସିଧାସଳଖ କୌଣସି ଅଭିଯୋଗ କରିନାହାନ୍ତି। ସେ ଥାନାରେ ଏତଲା ଦେଇଛନ୍ତି। ‌ତେବେ ଗତ ମାସ ୫ ତାରିଖ ଦିନ ସେହି ଅନୁଷ୍ଠାନ ବିରୋଧରେ ଏଭଳି ଏକ ଅଭିଯୋଗ ତାଙ୍କ ପାଖକୁ ଆସିଥିଲା। ସେ ୨୪ ଘଣ୍ଟା ଭିତରେ ଡିଏସ୍‌ଏସ୍‌ଓଙ୍କୁ ତଦନ୍ତ ପାଇଁ ପଠାଇଥିଲେ। ତାହାର ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ। ଭିନ୍ନକ୍ଷମ ଆୟୁକ୍ତଙ୍କ ପାଖରେ ମଧ୍ୟ ଅଭିଯୋଗ ହୋଇ ନ ଥିଲା। ସେ ମଧ୍ୟ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ଅଭିଯୁକ୍ତ ଫେରାର୍‌ ଅଛି। ପୁଲିସ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଅଭିଯୁକ୍ତଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ କି ‌ସେ ସରକାରୀ କର୍ମଚାରୀ ନୁହନ୍ତି। ଏଭଳି ଘଟଣାରେ ତାଙ୍କୁ ଟାଣିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ସୂଚନାନୁସାରେ ଅଭିଯୁକ୍ତ ସମ୍ପାଦକ ସୁରେଶ ବେହେରାଙ୍କ ନାମରେ ୩ଟି ଯୌନ ନିର୍ଯାତନା ଅଭିଯୋଗ ରହିଛି। ଏଠାରେ ପୂର୍ବରୁ ରହୁଥିବା କେତେକ ମହିଳା ଓ ଦିବ୍ୟାଙ୍ଗମାନଙ୍କ ସୁରକ୍ଷା ପାଇଁ ଲଢ଼ୁଥିବା କେତେକ ସଂଗଠନ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଆର୍ଥିକ ସହାୟତା ପାଉଥିବାରୁ ଏହି ସଂସ୍ଥାକୁ ବିଭିନ୍ନ ସମୟରେ ଉଚ୍ଚପଦସ୍ଥ ଅଧିକାରୀମାନେ ଆସୁଥିଲେ। ସମ୍ପାଦକ ସୁରେଶ ବେହେରା ସେମାନଙ୍କୁ ଖୁସି କରାଇ ଫାଇଦା ହାସଲ କରୁଥିଲା। ସେମାନଙ୍କୁ ମଦ ଓ ଯୁବତୀ ଭେଟି ଦେଇ ଆପ୍ୟାୟିତ କରୁଥିଲା। ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ହୋଇଥିବା ଦୁଇଟି ଅଭିଯୋଗର ତଦନ୍ତ ଚାଲିଥିବା ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ତଦନ୍ତ ଖୋଦ୍‌ ଉପଜିଲ୍ଲାପାଳ କରୁଛନ୍ତି। ଏୟାରପୋର୍ଟ ଥାନାରେ ହୋଇଥିବା ମାମଲାର ତଦନ୍ତ ପୁଲିସ କରୁଛି। ଏ ସବୁ ସତ୍ତ୍ବେ ଦୀର୍ଘ ଦିନ ହେବ ଅଭିଯୁକ୍ତ ସୁରେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ଓ ସେ ଫେରାର୍‌ ହୋଇଯିବାକୁ ସକ୍ଷମ ହୋଇଛି। ଏଣୁ ଏହି ସଂଗିନ୍ କେଳେଙ୍କାରୀ ପଛରେ ବଡ଼ବଡ଼ିଆଙ୍କ ହାତ ଥିବା ସନ୍ଦେହ କରାଯାଉଛି। ତେଣୁ ମାମଲାର ଉପଯୁକ୍ତ ତଦନ୍ତ ହେଲେ, ବହୁ ବଡ଼ ବଡ଼ ଅଧିକାରୀଙ୍କ ମୁଣ୍ଡ ଗଡ଼ିବ ବୋଲି ଚର୍ଚ୍ଚା ‌ଜୋର୍‌ ଧରିଛି। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଭାପତି ଅଛନ୍ତି। ଏହି ଅଭିଯୋଗ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ଜଣାପଡ଼ି ନାହିଁ।

ଏହି ପ୍ରସଙ୍ଗରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି,ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ମାମଲା ରୁଜୁ ହେବା ସହ ତଦନ୍ତ ମଧ୍ୟ ହୋଇଛି। ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ବାରମ୍ବାର ନୋଟିସ ହୋଇଥିଲେ ମଧ୍ୟ ସେ ହାଜର ହୋଇ ନାହାନ୍ତି। ଏଣୁ ତାଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନୂଆପଡ଼ା ସିନାପାଲ୍ଲୀ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ୨୦୧୫ ମସିହାରେ ରୋଜଗାର ଚିନ୍ତାରେ ରାଜଧାନୀ ଆସି ଏହି ଅନୁଷ୍ଠାନ (ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ)ର ତତ୍‌କାଳୀନ କୋଷାଧ୍ୟକ୍ଷ ତଥା ସମ୍ପାଦକ ସୁରେଶ ବେହେରାଙ୍କୁ ସାକ୍ଷାତ କରିଥିଲେ। ବିୟୁଟି ପାର୍ଲର ଇନ୍‌ଷ୍ଟ୍ରକଟର ପଦ ଖାଲି ଅଛି କହି ତାଙ୍କୁ ମାସକୁ ୭ ହଜାର ୨ଶହ ଟଙ୍କା ଦରମା ଚୁକ୍ତିରେ ଚାକିରି ଦିଆ ଯାଇଥିଲା। ହେଲେ ୬ ମାସ ପରେ ତାଙ୍କୁ ଥରେ ମାତ୍ର ୫ହଜାର ଟଙ୍କା ଦରମା ଦେଇ ଆଉ ଦେଇନଥିଲେ। କରୋନା କାଳରେ ଅଫିସ୍‌ରେ ପୀଡ଼ିତାଙ୍କୁ ରଖିବା ପାଇଁ ସୁଯୋଗ ଦେଇ ସୁରେଶ ରାତିରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସୁରେଶ ତାଙ୍କୁ ଅସଦାଚରଣ ସହ ଆକ୍ରମଣ କରିଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର