ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା : ସତ ଉଗାରିଲା ସୁରେଶ, ୬ ଗିରଫ

ଯୌନ ସୁଖ ଉପଭୋଗ କରୁଥିଲେ ଅଫିସର
ମିଛକୁ ସତ କରୁଥିବା କିରାଣି ବନ୍ଧା ହେଲେ
କଲିକତାରୁ ଆସୁଥିଲେ ଯୁବତୀ

ଭୁବନେଶ୍ବର : ପ୍ରଥମେ ସବୁ ଅଭିଯୋଗକୁ ବାଏଁ ବାଏଁ ଫାଙ୍କି ଉଡ଼ାଇ ଦେଉଥିବା ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଶେଷର ସତ ଉଗାରିଛି। ପୁଲିସର ଘନଘନ ଜେରା ଓ ସିସିଟିଭି ଫୁଟେଜ୍‌ ପ୍ରମାଣ ଆଗରେ ସେ ହାର୍‌ ମାନିବାକୁ ବାଧ୍ୟ ହୋଇଛି। ଜେରା ଆରମ୍ଭରୁ କିଛି ମାନୁନଥିବା ସୁରେଶ ଧୀରେଧୀରେ ଅନୁଷ୍ଠାନର କଳା କାହାଣୀ ବଖାଣିଛି। ପଳାସପଲ୍ଲୀସ୍ଥିତ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦୀର୍ଘ ଦିନ ଧରି ଚାଲିଥିବା ଯୌନ କେଳେଙ୍କାରୀ ଉପରୁ ସେ ନିଜେ ପର୍ଦ୍ଦା ହଟାଇଛି। ତେଣୁ ତା’ ସ୍ବୀକାରୋକ୍ତି ଆଧାରରେ ଆଜି ପୁଲିସ ଅନୁଷ୍ଠାନର ଅନ୍ୟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ସମସ୍ତ ଅଭିଯୁକ୍ତ ହେଲେ ସଂସ୍ଥାର ସମ୍ପାଦକ ଖଣ୍ଡପଡ଼ା ଗୁଡ଼ିଆସାହିର ସୁରେଶ ବେହେରା, ସଂସ୍ଥାର ପ୍ଲେସ୍‌ମେଣ୍ଟ ଅଫିସର ଭାବରେ କାମ କରୁଥିବା ନିଆଳି ଶାସନସାହିର ରାକେଶ ଷଡ଼ଙ୍ଗୀ, ଖୋର୍ଦ୍ଧା ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଚନ୍ଦକା ଥାନା ମେଣ୍ଢାଶାଳ ଗ୍ରାମର ସଂଗ୍ରାମ କେଶରୀ ଦାସ, କଟକ ସିଡିଏରେ ରହୁଥିବା ନୟାଗଡ଼ କନିଗିରିର ବାସନ୍ତୀ ସାହୁ, ସଂସ୍ଥାରେ ବ୍ୟୁଟିସିଆନ୍‌ ଭାବରେ କାମ କରୁଥିବା ନୂଆପଡ଼ା ଜିଲ୍ଲା ସିନାପାଲିର ସଂଯୁକ୍ତା ମେହେର। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଧିକ ତଦନ୍ତ ପାଇଁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏୟାର୍‌ପୋର୍ଟ ଥାନା ପୁଲିସ ସୂଚନା ଦେଇଛି। ଏହି ମାମଲାରେ ଆହୁରି କିଛି ଅଭିଯୁକ୍ତ ରହିଛନ୍ତି ଓ ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

୭୦% ଅନୁଦାନ ଆତ୍ମସାତ୍‌ ହେଉଥିଲା
ସଂସ୍ଥାରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି କେଳେଙ୍କାରୀ। ଅଡିଟର୍‌ମାନଙ୍କୁ ଖୁସି କରାଇ ଅଭିଯୁକ୍ତ ସୁରେଶ ସଂସ୍ଥାକୁ ମିଳୁଥିବା ସମସ୍ତ ଆର୍ଥିକ ଅନୁଦାନର ୭୦ ଭାଗ ଆତ୍ମସାତ୍‌ କରୁଥିଲା। ଏଥିରୁ ସଂଯୁକ୍ତା, ବାସନ୍ତୀ ଓ ରାକେଶ କିଛି କିଛି ଭାଗ ପାଉଥିଲେ। କିନ୍ତୁ ସିଂହଭାଗ ଥିଲା ସୁରେଶର। ପ୍ରାଥମିକ ଆକଳନ ଅନୁସାରେ ସେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସରକାରୀ ଅନୁଦାନକୁ ଆତ୍ମସାତ କରିବା ପାଇଁ ବିଧିବଦ୍ଧ ଷଡ଼୍‌ଯନ୍ତ୍ର ରଚିଥିଲା। ଦେହଜୀବୀମାନଙ୍କ ପଛରେ ଅନୁଦାନ ଟଙ୍କା ଉଡ଼ାଉଥିବା ସୁରେଶ କିନ୍ତୁ ଅତି କମ୍‌ ଟଙ୍କା ଦରମାରେ ବା ଷ୍ଟାଇପେଣ୍ଡ୍‌ରେ ଇନ୍‌ଷ୍ଟ୍ରକ୍ଟରମାନଙ୍କୁ ଖଟାଉଇଥିଲା। ଏଣେ ଏଥିରେ ସୁରେଶକୁ ବଡ଼ ସହାୟତା ଯୋଗାଉଥିଲେ ଖୋର୍ଦ୍ଧା ଡିଏସ୍‌ଏସ୍‌ଓ କାର୍ଯ୍ୟାଳୟର କିରାଣୀ ସଂଗ୍ରାମ ଦାସ। ରେକର୍ଡପତ୍ରକୁ ଠିକ୍‌ଠାକ୍ କରାଇ ଦେଉଥିଲେ। ସବୁ ପ୍ରକାର ଅଭିଯୋଗପତ୍ରକୁ ତଳୁ ହିଁ ଚାପି ଦେଉଥିଲେ ଓ ଉପରସ୍ତରରେ ପହଞ୍ଚିବାକୁ ଦେଉନଥିଲେ। ଫଳରେ ଦୀର୍ଘ ଦିନ ଧରି ଏଭଳି କାରବାର ସୁରୁଖୁରୁରେ ଚାଲିଥିଲା। କିନ୍ତୁ ଏସବୁ ସେ ବିନା ମୂଲ୍ୟରେ କରୁନଥିଲେ। ଏଥିପାଇଁ ସେ ନିୟମିତ ଏହି ଅନୁଷ୍ଠାନକୁ ଯିବା ଆସିବା କରିବା ସହ ନିଜର ଯୌନକ୍ଷୁଧା ମେଣ୍ଟାଉଥିଲେ ବୋଲି ପ୍ରମାଣ ମିଳିଛି। ସଂଗ୍ରାମଙ୍କୁ ସୁନ୍ଦରୀ ଯୁବତୀ ଯୋଗାଇବା ପାଇଁ ଅଭିଯୁକ୍ତ ସୁରେଶକୁ ସହଯୋଗ କରୁଥିଲେ ପ୍ଲେସ୍‌ମେଣ୍ଟ ଅଫିସର ରାକେଶ ଷଡ଼ଙ୍ଗୀ ଓ ବ୍ୟୁଟିସଆନ୍‌ ସଂଯୁକ୍ତା। ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ଜେରା କଲାବ‌େଳେ ସୁରେଶ ଏସବୁ ସ୍ବୀକାର କରିଥିଲା।

ସୂଚନାଯୋଗ୍ୟ ନୂଆପଡା ସିନାପାଲିର ଜଣେ ମହିଳା ଗତବର୍ଷ ନଭେମ୍ବର ୨୩ ତାରିଖରେ ସମ୍ପାଦକ ସୁରେଶଙ୍କ ବିରୋଧରେ ଠକେଇ, ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏପରିକି ସଂସ୍ଥାକୁ ଅଡିଟ୍ କରିବାକୁ ଆସୁଥିବା ବରିଷ୍ଠ ଅଧିକାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପ୍ରଥମେ ଜଣେ ମହିଳା ଇନ୍‌ଷ୍ଟ୍ରକ୍ଟର ଓ ପରେ ଏହି ୬ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ବ୍ୟୁଟିସିଆନ୍‌ ଥିଲେ ରାଣୀ ମହୁମାଛି
ଏହି ଅନୁଷ୍ଠାନରେ ଚାଲିଥିବା ଯୌନ କାରବାରର ରାଣୀ ମହୁମା‌ଛି ଥିଲା ବ୍ୟୁଟିସିଆନ୍‌ ସଂଯୁକ୍ତା। ସଂସ୍ଥାର ପୂର୍ବତନ ସମ୍ପାଦକ ତଥା ଯୌନ କାରବାରର କାର୍ପଟ୍‌ଦାର ସୁରେଶର ଇଙ୍ଗିତରେ ସବୁ ଚାଲିଥିଲା। ଅଡିଟ୍‌ କରିବାକୁ ଆସୁଥିବା ଅଫିସରଙ୍କୁ ଖୁସି କରିବା ପାଇଁ ଯୋଗାଇ ଦିଆଯାଉଥିଲା ଯୁବତୀ। ଅନ୍ୟ ଦୁଇ ମହିଳା ସାଜିଥିଲେ ଦଲାଲ। ବଡ଼ କଥା ହେଉଛି ବହୁ ଅଫିସରଙ୍କ ପସନ୍ଦ ଥିଲା ଅଣଓଡ଼ିଆ ଯୁବତୀ। ତେଣୁ ଅଧିକ ସଂଖ୍ୟାରେ ବଙ୍ଗୀୟ ଯୁବତୀମାନଙ୍କୁ ଏଠାରେ ନିୟୋଜିତ କରାଯାଉଥିଲା। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଡିଟ୍‌ ହେଉଥିଲା। ପ୍ରାୟ ସମସ୍ତେ ଅଣଓଡ଼ିଆ ଯୁବତୀ ଚାହୁଥିଲେ। ‌ଯୁବତୀ ଯୋଗାଉଥିଲେ ରାକେଶ ଓ ବାସନ୍ତୀ। ବାସନ୍ତୀ କଟକରେ ରହି ଏହି ଦଲାଲି କରୁଥିଲା। ପୁଲିସ ସୂଚନାନୁସାରେ ବାସନ୍ତୀ ବିଭିନ୍ନ ଜାଗାକୁ ଝିଅ ଯୋଗାନ୍ତି ଓ ଏହା ତା’ର ଏକପ୍ରକାର ମୁଖ୍ୟ ବେଉସା। ତେଣୁ ବହୁ ଓଡ଼ିଆ ଓ ଅଣଓଡ଼ିଆ(ବଙ୍ଗୀୟ) ଯୁବତୀ ତା’ ରୢାକେଟ୍‌ରେ ଅଛନ୍ତି। ବାସନ୍ତୀ ପାଖରୁ ଅନୁଷ୍ଠାନକୁ ରାକେଶ ହିଁ ଦେହଜୀବୀମାନଙ୍କୁ ନେବା ଆଣିବା କରିଥାଏ। ଦେହ ବେପାର ପାଇଁ ନିୟୋଜିତ ହେଉଥିବା ଯୁବତୀମାନଙ୍କୁ ସଂସ୍ଥାକୁ ମିଳୁଥିବା ସରକାରୀ ଅନୁଦାନରୁ ଖର୍ଚ୍ଚ କରାଯାଉଥିଲା। ତେବେ ବେଳେବେଳେ ସଂସ୍ଥାରେ କାମ କରୁଥିବା ଝିଅମାନଙ୍କୁ ମଧ୍ୟ ଯୌନ କାରବାରରେ ନିୟୋଜିତ କରାଯାଉଥିଲା। ଏଥିପାଇଁ ସଂଯୁକ୍ତା କାହାକୁ ଧମକାଉଥିଲା ତ କାହାକୁ ମୋଟା ଦରମାର ଲୋଭ ଦେଖାଉଥିଲା। ପୁଣି କାହାକୁ ଇମୋସନାଲ୍‌ ବ୍ଲାକ୍‌ମେଲିଂ କରି ସଂଯୁକ୍ତା ଏହି କାରବାର ଚଳାଇ ଆସୁଥିଲା।

ସମ୍ବନ୍ଧିତ ଖବର