ଯୁବତୀଙ୍କୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ
କୁଆଡ଼େ ଗଲେ ମୁଖ୍ୟ ଅଭିଯୁକ୍ତ ସୁରେଶ?
ଭୁବନେଶ୍ବର : ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲାରେ ଆଜି ପୁଲିସକୁ ପ୍ରଥମ ସଫଳତା ମିଳିଛି। ସଂସ୍ଥାର ଦିବ୍ୟାଙ୍ଗ ଯୁବତୀମାନଙ୍କୁ ଚାକିରି ଦେବାର ଲୋଭ ଦେଖାଇ କିଛି ବାବୁ ଓ ବଡ଼ବଡ଼ିଆଙ୍କ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗରେ ଅନୁଷ୍ଠାନର ମହିଳା ଟେଲରିଂ ଇନ୍ଷ୍ଟ୍ରକ୍ଟର ମଧୁମଞ୍ଜରୀ ଧଳ ଗିରଫ ହୋଇଛନ୍ତି। ତାଙ୍କ ଘର ଯାଜପୁରର ବ୍ରଜରାଜ ନଗର। ଏଭଳି ସଂଗିନ ଅଭିଯୋଗ ଆସିବା ପରେ ସେ ଫେରାର ହୋଇ ଯାଇଥିଲେ। ଆଜି ସକାଳେ ଏୟାରପୋର୍ଟ ଥାନା ପୁଲିସ ଯାଜପୁରରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି। ତାଙ୍କ ବୟାନରୁ ସଂସ୍ଥା ସମ୍ବନ୍ଧରେ ପୁଲିସ ଅନେକ ତଥ୍ୟ ଯୋଗାଡ଼ କରିଛି। ଆଗକୁ ଏହି ସବୁ ତଥ୍ୟ ତଦନ୍ତରେ ସହାୟକ ହେବ ବୋଲି ପୁଲିସ କହିଛି।
ଏହି ମହିଳାଙ୍କ ବିରୋଧରେ ଅଭିଯୋଗ ଆସିବାର ୪୮ ଘଣ୍ଟା ମଧ୍ୟରେ ପୁଲିସ ତାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ତେବେ ମୂଳ ଅଭିଯୋଗ ଆସିବା ପରେ ୨ ମାସ ହେଲା ଫେରାର ଥିବା ଏହି ମୁଖ୍ୟ ଅଭିଯୁକ୍ତ ତଥା ଅନୁଷ୍ଠାନର ତତ୍କାଳୀନ ସମ୍ପାଦକ ସୁରେଶ ବେହାରାଙ୍କ ପତ୍ତା ଲଗାଇବାରେ ପୁଲିସ ଏଯାଏ ସମର୍ଥ ହୋଇନାହିଁ।
ଅଭିଯୋଗ ମୁତାବକ, ଭିନ୍ନକ୍ଷମମାନଙ୍କୁ ତାଲିମ୍ ଦେଇ ଆତ୍ମନିର୍ଭରଶୀଳ କରିବା ପାଇଁ ପଳାସପଲ୍ଲୀଠାରେ ଏହି ଅନୁଷ୍ଠାନ କାମ କରୁଛି। ସୁରେଶ ବେହେରା ଏଠାରେ ପୂର୍ବରୁ କୋଷାଧ୍ୟକ୍ଷ ଥିଲେ। ପରେ ସେ ସମ୍ପାଦକ ପଦ ମାଡ଼ି ବସିଥିଲେ। ସେ ସମ୍ପାଦକ ହେବା ପରେ ତାଙ୍କ ବିରୋଧରେ ଅର୍ଥ ହେରଫେରଠୁ ନେଇ ଯୌନ କେଳେଙ୍କାରୀ ପର୍ଯ୍ୟନ୍ତ ବାରମ୍ବାର ନାନା ଅଭିଯୋଗ ଆସିଥିଲା। ଏହି ଅନୁଷ୍ଠାନକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ମିଳୁଥିଲା। ଲକ୍ଷଲକ୍ଷ ଟଙ୍କାର ଅନୁଦାନ ସହ ଘରୋଇ ଦାନ ମଧ୍ୟ ରହିଥିଲା। ଏହି ସବୁ ମୋଟା ଅଙ୍କର ଅର୍ଥ ହେରଫେର ହେଉଥିଲା। ସୁରେଶ ବେହେରା ଏହି ସବୁ ଅର୍ଥ ଆତ୍ମସାତ୍ କରୁଥିବା ଅଭିଯୋଗ ରହିଥିଲା। ଉଭୟ ସରକାରଙ୍କ ଅଧିକୃତ ବାବୁମାନେ ଯାଞ୍ଚ କରିବାକୁ ଆସୁଥିଲେ। ହେଲେ ସେମାନଙ୍କୁ ଖୁସି କରାଇ ସ୍ବାର୍ଥ ହାସଲ କରିବାକୁ ସୁରେଶ ବେହେରା ସାଂଘାତିକ ଯୋଜନା କରିଥିଲେ। ଏଠାରେ ପ୍ରଶିକ୍ଷଣ ପାଉଥିବା ଦିବ୍ୟାଙ୍ଗ ଯୁବତୀମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ସଂପୃକ୍ତ ବାବୁମାନଙ୍କ ସହ ରାତି କଟାଇବାକୁ ପଠାଉଥିଲେ। ଏପରିକି ଗୋଟିଏ ରାତି ପାଇଁ ଯୁବତୀମାନଙ୍କୁ ୫ ହଜାର ଟଙ୍କା ଦିଆଯାଉଥିଲା ବୋଲି ଅଭିଯୋଗ ଆସିଛି। ବର୍ଷ ବର୍ଷ ଧରି ଏହି କୁତ୍ସିତ କାରବାର ଚାଲୁଥିଲା। ଏହି ସବୁ କାମରେ ମହିଳା ଟେଲରିଂ ଇନ୍ଷ୍ଟ୍ରକ୍ଟର ମଧୁମଞ୍ଜରୀ ତାଙ୍କୁ ସହାୟତା କରୁଥିବା ଅଭିଯୋଗ ହୋଇଛି। ମୁଖ୍ୟତଃ ମଧୁମଞ୍ଜରୀ ହିଁ ବିଭିନ୍ନ ପ୍ରକାରେ ଫୁସୁଲାଇ ଦିବ୍ୟାଙ୍ଗ ଯୁବତୀମାନଙ୍କୁ ଏଥିପାଇଁ ବାଧ୍ୟ କରୁଥିଲେ। କେବଳ ସେତିକି ନୁହେଁ, ପୁରୁଣା କର୍ମଚାରୀଙ୍କୁ ଏଠାରୁ ହଟାଇବାରେ ସୁରେଶଙ୍କୁ ସେ ସହାୟତା କରୁଥିଲେ। ତେଣୁ କୋଭିଡ୍ ସମୟରେ ଏଠାରୁ ସମସ୍ତଙ୍କୁ ତଡ଼ି ଦିଆଯାଇଥିବା ବେଳେ କେବଳ ମଧୁମଞ୍ଜରୀଙ୍କୁ ହିଁ ରହିବା ପାଇଁ ସୁଯୋଗ ଦେଇଥିଲେ ସୁରେଶ। ଜଣେ ଯୁବତୀ ଏଭଳି ଅଭିଯୋଗ ଆଣିବା ପରେ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଥିଲା ଏବଂ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା।
ତେବେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଅଦ୍ୟାବଧି ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଖୁବ୍ଶୀଘ୍ର ସେ ଧରାପଡ଼ିଯିବେ ବୋଲି ପୁଲିସ କହିଛି।