ଏମ୍ସରେ ଦିବ୍ୟାଙ୍ଗ ରୋହନଙ୍କ ଚିକିତ୍ସା ଆରମ୍ଭ, ଆସନ୍ତା ସପ୍ତାହରେ ହେବ ପ୍ରଥମ ଅସ୍ତ୍ରୋପଚାର

ସ୍ପେସାଲ ଅଲିମ୍ପିକ୍ସ ଭାରତ ପାଇଁ ରଜତ ପଦକ ଜିତିଥିଲେ, ରାଜ୍ୟ ସରକାର, ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଲୋଡ଼ା

ଖଣ୍ଡଗିରି: ଓଡ଼ିଶାର ଗୌରବ ତଥା ୨୦୧୪ ସ୍ପେସାଲ ଅଲିମ୍ପିକ୍ସରେ ରଜତ ପଦକ ବିଜେତା ଆଥଲେଟ୍‌ ରୋହନ ସରାଫ(୧୮) ଅସ୍ଥିଶଲ୍ୟ, ସ୍ନାୟବିକ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅସ୍ଥିଶଲ୍ୟ ବିଭାଗ ଡାକ୍ତର ମଣ୍ଟୁ ଜୈନଙ୍କ ତତ୍ତ୍ବାବଧାନରେ ତାଙ୍କ ଚିକିତ୍ସା ଜାରି ରହିଛି। ଆସନ୍ତା ସପ୍ତାହରେ ତାଙ୍କର ଅସ୍ତ୍ରୋପଚାର ହେବ। ଏଥିସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଯାୟୀ ଗୋଟିଏ ପରେ ଗୋଟିଏ ୩ଟି ଅସ୍ତ୍ରୋପଚାର ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ରୋହନଙ୍କ ଚିକିତ୍ସା ପାଇଁ ୫୦ ହଜାରରୁ ଊର୍ଧ୍ବ ଟଙ୍କା ଖର୍ଚ ହୋଇସାରିଲାଣି। ଆଗାମୀ ଦିନରେ ବିଭିନ୍ନପ୍ରକାର ପରୀକ୍ଷା, ଅସ୍ତ୍ରୋପଚାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଉଛି। ରୋହନଙ୍କ ଅବସ୍ଥା ନେଇ ଜାନୁଆରି ମାସରେ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ସମ୍ବଲପୁର ରେଡକ୍ରସ୍‌ ପକ୍ଷରୁ ୩୦ହଜାର ଟଙ୍କା ସହାୟତା ଦିଆଯାଇଥିଲା। ରୋହନଙ୍କ ପିତା ଦିଲ୍ଲୀପ ସରାଫ ସମ୍ବଲପୁର ସହରର ପାନ ମସଲା ଦୋକାନୀ। ରୋହନଙ୍କ ସେବାଯତ୍ନରେ ମା, ମାମୁ ବ୍ୟସ୍ତ। ଏଭଳି ସ୍ଥିତିରେ ଲକ୍ଷାଧିକ ଟଙ୍କା ଯୋଗାଡ଼ କରିବା ପରିବାର ପାଇଁ ଅସମ୍ଭବ ପ୍ରାୟ। ତେଣୁ ରୋହନଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ତଥା ବିଭିନ୍ନ ସାମାଜିକ ସଙ୍ଗଠନକୁ ସହାୟତା କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।

ରୋହନଙ୍କ ମା’ କଳ୍ପନା ସରାଫ କହନ୍ତି, ଭିନ୍ନକ୍ଷମ ହୋଇ ମଧ୍ୟ ରୋହନ କେବେ ବୋଝ ହୋଇନାହାନ୍ତି, ବରଂ ପରିବାର ତାଙ୍କୁ ନେଇ ସର୍ବଦା ଗର୍ବ କରି ଆସିଛି। ରାଜ୍ୟ, ଜାତୀୟସ୍ତରୀୟ ଭିନ୍ନକ୍ଷମ କ୍ରୀଡ଼ା ପ୍ରତିଯୋଗିତାରେ ଅନେକ ପଦକ ଜିତିଛନ୍ତି। ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ୨୫ହଜାର ଟଙ୍କା, କ୍ରୀଡ଼ା ମନ୍ତ୍ରୀ ୨୦ହଜାର ଟଙ୍କା ଦେଇଥିଲେ। ସମ୍ବଲପୁରସ୍ଥିତ ନୃସିଂହ ଗୁରୁ ଟାଉନ ହାଇସ୍କୁଲରେ ସଫଳତାର ସହିତ ମାଟ୍ରିକ ପାସ କରିବା ପରେ ଯୁକ୍ତ ଦୁଇରେ ନାମ ଲେଖାଇ ପାଠ ପଢୁଥିଲେ। ହେଲେ ୨୦୧୭ ମସିହାରେ ସେ ଏକ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇପଡ଼ିଛନ୍ତି। ୨୦୧୮ ମସିହା ବେଳକୁ ତାଙ୍କ ଶରୀର ବଙ୍କେଇବା ଆରମ୍ଭ ହୋଇଥିଲା। ୨୦୧୯ ମସିହାରେ ଶରୀରର ଡାହାଣପାର୍ଶ୍ବ ଧନୁ ଭଳି ବଙ୍କା ହେବା ସହିତ ଶରୀର ଅଚଳ ହୋଇ ପଡ଼ିଛି। ନିଜ କାମ କି ଖାଇବା ମଧ୍ୟ ସମ୍ଭବ ହୋଇ ପାରୁ ନାହିଁ। ସମ୍ବଲପୁର, ବୁର୍ଲା ଡାକ୍ତରଖାନାରେ ତାଙ୍କ ଚିକିତ୍ସା ସମ୍ଭବ ନ ଥିବା କୁହାଗଲା। ଲକଡାଉନ୍‌ରେ ଘରର ଆର୍ଥିକ ସ୍ଥିତି ସହିତ ରୋହନଙ୍କ ସ୍ବାସ୍ଥ୍ୟଗତ ଅବସ୍ଥା ଆହୁରି ଜଟିଳ ହୋଇ ପଡ଼ିଲା। ଏଭଳି ସ୍ଥିତିରେ ନିରାଶ ମା ପୁଅକୁ ଧରି ଚଳିତ ବର୍ଷ ଜାନୁଆରି ମାସରେ ଏମ୍ସକୁ ଆସି ପହଞ୍ଚିଥିଲେ। ଏଠାରେ ଡାକ୍ତର ତାଙ୍କୁ ନିରାଶ କଲେ ନାହିଁ। ଅସ୍ତ୍ରୋପଚାର କଲେ ରୋହନ ସୁସ୍ଥ ହୋଇ ପାରିବେ ବୋଲି କହିବାରୁ ପରିବାରର ଆଶା ଉଜ୍ଜୀବିତ ହୋଇଛି। ତେବେ ଏମ୍‌ସରେ ଭିଡ଼ ଯୋଗୁଁ ରୋହନ୍‌ଙ୍କୁ ଭର୍ତ୍ତି କରାଯାଇ ପାରିଲା ନାହିଁ। ଘର ଭଡ଼ାରେ ୧୧ଦିନ ଏଠାରେ ରହିବା ସହିତ ବିଭିନ୍ନ ପ୍ରକାର ପରୀକ୍ଷା କରାଇବା ସହିତ ଭର୍ତ୍ତି ହେବା ପାଇଁ ନାମ ପଞ୍ଜୀକରଣ କରାଇଲେ। ସିଟି ସ୍କାନ, ଏମ୍‌ଆର୍‌ଆଇ, ରକ୍ତ ପରୀକ୍ଷା ସବୁ ପାଇଁ ଏତେ ଭିଡ଼ ଥିଲା ଯେ ଡାକ୍ତରଖାନାରେ ଟେଷ୍ଟ ସମ୍ଭବ ନଥିଲା। ସବୁ ବାହାରେ କରାଇବାରୁ ପ୍ରାୟ ୧୧ହଜାର ଟଙ୍କା ଖର୍ଚ ହେଲା। ଡାକ୍ତରଙ୍କ ପରାମର୍ଶରେ ସେମାନେ ଘରକୁ ଫେରି ଆସିଲେ।

‌ତେବେ ଫେବ୍ରୁଆରି ମାସରେ ଡାକ୍ତରଖାନା ପକ୍ଷରୁ ଫୋନ କରାଯିବା ପରେ ଗତ ୮ତାରିଖରେ ତାଙ୍କର ଆଡମିସନ ହୋଇଛି। ଏଠାରେ ଡାକ୍ତର ଦେଖିବା ସହ ବେକର ଉଭୟପାର୍ଶ୍ବ, ଅଣ୍ଟାରେ ସମସ୍ୟା ରହିଥିବା କହିଥିଲେ। ରୋହନଙ୍କ ଅବସ୍ଥା ଏତେ ଜଟିଳ ହୋଇ ପଡ଼ିଛି ଯେ ଡାକ୍ତରଙ୍କ ପରାମର୍ଶରେ ତାଙ୍କର ୩୨ପ୍ରକାର ପରୀକ୍ଷା କରିବାକୁ ପଡ଼ିଛି। ଅର୍ଥୋପେଡିକ୍ସ ସହିତ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ମଧ୍ୟ ଦେଖିଛନ୍ତି। ଅବସ୍ଥା ସ୍ଥିର ହେଲେ ୨ଥର ବେକର ଉଭୟ ପାର୍ଶ୍ବରେ ଅସ୍ତ୍ରୋପଚାର, ଅଣ୍ଟାରେ ଅସ୍ତ୍ରୋପଚାର ପରେ ଫିଜିଓଥେରାପି କରିବାକୁ ପଡ଼ିବ। ଏଥିପୂର୍ବରୁ ସ୍ବତନ୍ତ୍ର ପ୍ରକାର ବେଲ୍ଟ ଲଗାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ବେଲ୍ଟ ପାଇଁ ୭ ହଜାର ଟଙ୍କା ଖର୍ଚ ହେବ। ରୋହନଙ୍କ ପରିବାର ଅତ୍ୟନ୍ତ ଗରିବ (ଦାରିଦ୍ୟ ସୀମା‌ରେଖା ତଳେ) ହୋଇଥିବାରୁ ଏଥିପାଇଁ ଆବଶ୍ୟକ ଦସ୍ତାବିଜ୍‌ ଦାଖଲ ପରେ ପ୍ରଥମ ଅସ୍ତ୍ରୋପଚାର ନିଃଶୁଳ୍କ ହେବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ଏହି ଅସ୍ତ୍ରୋପଚାର ଅନ୍ୟ କୌଣସିଠାରେ ହୋଇଥିଲେ ଅନେକ ଅର୍ଥ ଖର୍ଚ ହୋଇଥାଆନ୍ତା ବୋଲି କଳ୍ପନା କହିଛନ୍ତି। ଏହା ସତ୍ତ୍ବେ ତାଙ୍କ ସମସ୍ୟା ସମାଧାନ ହେବ ନାହିଁ। ପ୍ରଥମ ଅସ୍ତ୍ରୋପଚାର ହୋଇ ଡିସଚାର୍ଜ କରାଯିବା ପରେ ୧୫ଦିନ ପରେ ଆସିବାକୁ ପଡ଼ିବ। ଏହି ସମୟ ମଧ୍ୟରେ ରୋହନଙ୍କୁ ଘରକୁ ନେବା ସମ୍ଭବ ନୁହେଁ। ତେଣୁ ଏଠି ଘର ଭଡ଼ାରେ ରହିବେ। ବାକି ଅସ୍ତ୍ରୋପଚାର, ଫିଜିଓଥେରାପି ସମେତ ଅନ୍ୟାନ୍ୟ ଖର୍ଚ ରହିଛି। ଏଥିପ୍ରତି ସରକାର କିମ୍ବା ବଦାନ୍ୟ ବ୍ୟକ୍ତି/ସଂସ୍ଥାର ସହାୟତାକୁ ପରିବାର ଚାହିଁ ବସିଛି। କେହି ସହୃଦୟ ବ୍ୟକ୍ତି ରୋହନଙ୍କ ପାଇଁ ସହାୟତା ଦେବାକୁ ଚାହୁଥିଲେ ମୋ:୯୬୬୮୧୬୭୩୯୪‌ରେ ଯୋଗଯୋଗ କରିବାକୁ ତାଙ୍କ ମା’ କଳ୍ପନା ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର