ହ୍ବିଲଚେୟାର୍ରେ ୨୪ ଘଣ୍ଟାରେ ୨୧୫.୪ କିମି ଅତିକ୍ରମ କରି ବିରଳ ରେକର୍ଡ କରିଛନ୍ତି ପୁରୀ ଜିଲ୍ଲା ନିବାସୀ ଦିବ୍ୟାଙ୍ଗ କମଳାକାନ୍ତ ନାୟକ (୨୮)। ତାଙ୍କର ଏହି କୃତିକୁ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡସ୍ରେ ସ୍ଥାନ ଦେବା ପାଇଁ ନିବେଦନ କରାଯାଇଛି। ଏହି ଅବସରରେ ‘ସମ୍ବାଦ’ ପକ୍ଷରୁ ଦେବାଶିଷ ପଣ୍ଡାଙ୍କ ସହ ତାଙ୍କର ଆଳାପ...
ହ୍ବିଲ୍ଚେୟାର୍ରେ ବିରଳ ରେକର୍ଡ କରି କେମିତି ଅନୁଭବ କରୁଛନ୍ତି?
ବହୁତ ଖୁସି ଲାଗୁଛି। ମୁଁ ସକାରାତ୍ମକ ଚିନ୍ତାଧାରାରେ ବିଶ୍ବାସ ରଖେ। ମୋ ଉପରେ ପ୍ରଭୁ ଜଗନ୍ନାଥଙ୍କ କୃପା ଅଛି। ତେଣୁ ନିଶ୍ଚିତ ଏ ସଫଳତା ପାଇବି ବୋଲି ମୋର ଆଶା ଥିଲା।
ଶ୍ରେୟ କାହାକୁ ଦେବେ?
ମୋ’ ଭଉଣୀ, ଦୁର୍ଗା ଭାଇ, ପିପି ସାର୍ ଏବଂ ଏସ୍ ବୈଦନାଥନ୍ ସାର୍ଙ୍କୁ ଏ ସଫଳତାର ଶ୍ରେୟ ଦେବି। ଏମାନେ ପ୍ରତିଟି ମୁହୂର୍ତ୍ତରେ ମୋତେ ପ୍ରେରଣା ଦେଇ ଆସିଥିଲେ। ଏହି ରେକର୍ଡ ପାଇଁ ମୁଁ ଯେତେବେଳେ ରାସ୍ତାରେ ଅଭ୍ୟାସ କରେ, କିଛି ଲୋକ ମୋତେ ପାଗଳ କହନ୍ତି। କିନ୍ତୁ ଏବେ ସେମାନେ ନିଶ୍ଚୟ ବୁଝିପାରୁଥିବେ ଯେ ନିଷ୍ଠା ଓ ଉଦ୍ୟମ କେବେ ବୃଥା ଯାଏନି।
ସଫଳତାର ଏହି ଲମ୍ବା ଯାତ୍ରା କେମିତି ଥିଲା?
ମୁଁ ନୂଆ ଜୀବନ ପାଇଛି। ପିଲାବେଳୁ ଖେଳ ପ୍ରତି ମୋର ପ୍ରବଳ ଆଗ୍ରହ ଥିଲା। ବାସ୍କେଟ୍ ବଲ୍ ଖେଳିବା ବେଳେ ମୋର ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଇଥିଲା। ଅସ୍ତ୍ରୋପ୍ରଚାର ପରେ ସାରା ଜୀବନ ପାଇଁ ମୋର ଦୁଇ ଗୋଡ଼ ଅକାମି ହୋଇଗଲା। ସେତେବେଳେ ସବୁକିଛି ମୋତେ ଅନ୍ଧାର ଅନ୍ଧାର ଦିଶୁଥିଲା। ତେଣୁ ଜୀବନ ହାରିବାକୁ ଉଦ୍ୟମ କରିଥିଲି। କିନ୍ତୁ ମୋ ଭଉଣୀ ଓ ଗୁରୁଜନମାନେ ଆଇଆଇଟି ମାଡ୍ରାସ୍ରୁ ପାସ୍ କରିଥିବା ଡିଗ୍ରୀଧାରୀମାନଙ୍କଠାରୁ ନୂଆ କରି ପ୍ରସ୍ତୁତ କରୁଥିବା ହୁଇଲ୍ ଚେୟାର ଆଣି ଦେଇଥିଲେ। ତାହା ମୋତେ ନୂଆ ଜୀବନ ଦେଇଥିଲା। ମୁଁ ସେହି ହ୍ବିଲ୍ଚେୟାର୍ରେ ପରେ ବାସ୍କେଟ୍ ବଲ୍ ବି ଖେଳି ପାରିଲି ଏବଂ ଏବେ ଏ ବିରଳ ରେକର୍ଡର ଅଧିକାରୀ ହୋଇପାରିଛି।
ଦିବ୍ୟାଙ୍ଗ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ କ’ଣ କହିବେ?
ଦିବ୍ୟାଙ୍ଗମାନେ ସବୁବେଳେ ସ୍ବତନ୍ତ୍ର। ଭଗବାନ ସେମାନଙ୍କୁ କିଛି ନା କିଛି ସ୍ବତନ୍ତ୍ର ଗୁଣର ଅଧିକାରୀ କରିଥା’ନ୍ତି। ତେଣୁ ଜୀବନ ଯୁଦ୍ଧରେ ସେମାନେ କେବେ ହାର୍ ମାନିବା ଉଚିତ ନୁହେଁ। ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ମନକୁ ଦୃଢ଼ କରି ଲକ୍ଷ୍ୟପଥରେ ଆଗେଇଲେ ନିଶ୍ଚିତ ସଫଳତା ପାଇବେ।
୧ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ
ପାରା ଅଲିମ୍ପିକ୍ସରେ ସହଯୋଗ କରିବ କ୍ରୀଡ଼ା ବିଭାଗ: ସଚିବ
ଭୁବନେଶ୍ବର: ପାରା ଆଥଲେଟ୍ କମଳାକାନ୍ତ ନାୟକଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି ସମ୍ବର୍ଧିତ କରାଯାଇଛି। କଳିଙ୍ଗ ହକି ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଆର୍. ଭିନିଲ୍କ୍ରିଷ୍ଣା ତାଙ୍କୁ ସମ୍ବର୍ଧିତ କରିବା ସହ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି। ଏହି ଅବସରରେ ସଚିବ କହିଥିଲେ ଯେ ନିଜର ନିଷ୍ଠା, ଏକାଗ୍ରତା ଓ କଠିନ ପରିଶ୍ରମ ଦ୍ବାରା କମଳାକାନ୍ତ ବିଶ୍ବରେ ଏକ ନୂଆ ରେକର୍ଡ ସୃଷ୍ଟି କରିବା ସହ ଯୁବ କ୍ରୀଡ଼ାବିତ୍ମାନଙ୍କ ପାଇଁ ଉଦାହରଣ ସଷ୍ଟି କରିଛନ୍ତି। ଆଗାମୀ ଦିନରେ ପାରା ଅଲିମ୍ପିକ୍ସରେ ଅଶଂଗ୍ରହଣ ପାଇଁ ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବା ପାଇଁ ବିଭାଗ ପକ୍ଷରୁ ପ୍ରଚେଷ୍ଟା କରାଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର ନାୟକ, ବେଟରଲାଇଫ୍ ଫାଉଣ୍ଡେସନ୍ର ଅଧ୍ୟକ୍ଷଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପୁରୀ ଜିଲ୍ଲାର ୨୮ ବର୍ଷୀୟ ଦିବ୍ୟାଙ୍ଗ ଯୁବକ କମଳାକାନ୍ତ ହ୍ବିଲ୍ଚେୟାର୍ରେ ୨୪ ଘଣ୍ଟା ମଧ୍ୟରେ ୨୧୫.୪ କିମି ଯାତ୍ରା କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି।